ସଂସଦ ଭିତରେ ମହିଳା ସାଂସଦ କଲେ ଅନଲାଇନ ସପିଂ! ଅର୍ଡର କଲେ ‘ଜିନ୍ସ ଓ ଟପ୍ସ’; ବିରୋଧୀ କହିଲେ, ମାଗଣାରେ ବସି ନେଉଛନ୍ତି ଦରମା

ଗଣତାନ୍ତ୍ରିକ ଦେଶରେ ସାଂସଦମାନେ ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଉଚିତ୍‌। ଲୋକଙ୍କ ସମସ୍ୟା ହିସାବରେ କାମ କରିବା ଦରକାର। ଏହା ସେମାନଙ୍କର ଗୁରୁ ଦାୟିତ୍ୱ। କିନ୍ତୁ ଅନେକ ନେତା, ମନ୍ତ୍ରୀଙ୍କ ମନୋଭାବ ନିର୍ବାଚନ ଜିତିବା ପରେ ଜନସାଧାରଣଙ୍କ ପ୍ରତି ବଦଳି ଯାଇଥାଏ। ସେମାନେ ଅତ୍ୟନ୍ତ ଦାୟିତ୍ୱହୀନ ହୋଇ ଯାଆନ୍ତି। ଏହାରି ଭିତରେ ଜଣେ ମହିଳା ସାଂସଦଙ୍କ ଖବର ସାମ୍ନାକୁ ଆସିଛି, ଯିଏ ସଂସଦ ଭିତରେ ବସି ଜନହିତକର କାର୍ଯ୍ୟ ନୁହେଁ, ବରଂ ଅନଲାଇନ୍ ସପିଂ କରୁଥିବା ଜଣା ଯାଇଛି।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ମହିଳା ସାଂସଦ ସଂସଦରେ ଅନଲାଇନରେ ସପିଂ କରୁଥିବା ଦେଖିବାକୁ ମିଳିଥିଲା। ସାଂସଦ ଜଣକ ମାଲେସିଆର, ଯିଏ ସଦନ ଭିତରେ ଅନଲାଇନ୍ ସପିଂ କରିବା ସମୟରେ କ୍ୟାମେରାରେ କଏଦ ହୋଇ ଯାଇଥିଲେ। ଏହାପରେ ବିରୋଧୀ ଦଳର ନେତାମାନେ ତାଙ୍କ ଫଟୋକୁ ଟ୍ୱିଟରରେ ସେୟାର କରି ଦେଇଥିଲେ। ଏବେ ମହିଳା ସାଂସଦଙ୍କୁ ଖୁବ୍‌ ସମାଲୋଚନା କରାଯାଉଥିବା ବେଳେ ସେ ଏକ ପ୍ରକାର ବିବାଦ ଭିତରେ ଫସି ଯାଇଛନ୍ତି।

ମାଲେସିଆର ପୂର୍ବତନ ସାଂସଦ ଓ୍ଵି ଚୁ କେଓଙ୍ଗ ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଗାଜି ବୁଟା ନାମ୍ନୀ ଜଣେ ମହିଳା ସାଂସଦଙ୍କ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି ଯେ ମହିଳା ସାଂସଦ ନିଜ ଲାପଟପରୁ ‘ଜିନ୍ସ ଏବଂ ଟପ୍ସ’ ଅର୍ଡର କରୁଛନ୍ତି। ଏହି ଟ୍ଵିଟ୍‌ ଜରିଆରେ ପୂର୍ବତନ ସାଂସଦ କେଓଙ୍ଗ ମହିଳା ସାଂସଦଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ ସେ ମାଗଣାରେ ବସି ଦରମା ନେଉଛନ୍ତି। କୌଣସି କାମ କରୁ ନାହାନ୍ତି। କେଓଙ୍ଗ ଆହୁରି ଲେଖିଛନ୍ତି ଯେ ‘ସଂସଦ ବର୍ତ୍ତମାନ ସର୍କସରେ ପରିଣତ ହୋଇଛି’। ସେହିପରି ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଦାତୁକ ସେରି ନଜୀବ ରଜାକ ମଧ୍ୟ ଏହି ଫଟୋକୁ ସେୟାର କରିଛନ୍ତି। ତେବେ ଏହି ମାମଲା ବିଷୟରେ ଜାଣିବା ପରେ ମହିଳା ସାଂସଦ କହିଥିଲେ କି, ‘ଏହା ହେଉଛି ତାଙ୍କ ଲାପଟପରେ ଆସିଥିବା ବିଜ୍ଞାପନର ଝଲକ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.