ପୋଲାଣ୍ଡ-ୟୁକ୍ରେନ ସୀମାରେ ଭାରତୀୟଙ୍କୁ ଖାଦ୍ୟ ଓ ପାଣି ବାଣ୍ଟିଲେ ଜେନେରାଲ ଭିକେ ସିଂ, କହିଲେ ଖୁବଶୀଘ୍ର ଭାରତକୁ ଫେରିବୁ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୭ ଦିନରେ ପହଞ୍ଚିଲାଣି। ରୁଷ ହେଉ ଅବା ୟୁକ୍ରେନ କେହି ବି ପଛଘୁଞ୍ଚା ଦେବାକୁ ନାରାଜ। ଏପରି ସ୍ଥଳେ ୟୁକ୍ରେନବାସୀଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ଯୁଦ୍ଧ ଯୋଗୁଁ ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀ ନାହିଁ ନଥିବା ହଇରାଣ ହେଉଛନ୍ତି। ଅପରେସନ ଗଙ୍ଗା ସହାୟତାରେ ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଉଛି। ଏହାମଧ୍ୟରେ ଏବେ ଏକ ଭିଡିଓ ଭାଇରଲ ହେଉଛି। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭିକେ ସିଂ ପୋଲାଣ୍ଡ-ୟୁକ୍ରେନ ସୀମାରେ ପିଲାମାନଙ୍କୁ ଖାଦ୍ୟ ଏବଂ ପାଣି ବାଣ୍ଟୁଥିବା ଦେଖିବାକୁ ମିଳିଛନ୍ତି। ଆଉ ଖୁବଶୀଘ୍ର ପିଲାମାନଙ୍କୁ ପୋଲାଣ୍ଡରୁ ଭାରତ ଆଣିବେ ବୋଲି କହିଛନ୍ତି।

ଭିକେ ସିଂ ଭାରତୀୟ ଛାତ୍ରଙ୍କୁ ସାକ୍ଷାତ କରିବାର ଏକ ଭିଡିଓ ସେୟାର କରିଛନ୍ତି। ସେ ଟ୍ଵିଟ୍‌ କରି କହିଛନ୍ତି, ପିଲାମାନଙ୍କ ମନୋବଳ ଦୃଢ ଏବଂ ସେମାନଙ୍କ ସ୍ୱଭାବକୁ ନେଇ ମୁଁ ପ୍ରଭାବିତ, ଜୟ ହିନ୍ଦ୍‌। ପିଲାଙ୍କୁ ଉଦ୍ଧାର ପ୍ରକ୍ରିୟାର ତଦାରଖ ପାଇଁ ସରକାରଙ୍କ ତରଫରୁ ଭିକେ ସିଂ ପୋଲାଣ୍ଡରେ ଥିବା ଭାରତୀୟ ଦୂତ ନଗମା ମଲ୍ଲିକ ସହିତ ବୁଡୋମିର୍ଜ ସ୍ଥାନକୁ ଯାଇଥିଲେ।

ଏସବୁ ମଧ୍ୟରେ କେନ୍ଦ୍ରୀୟ ମନ୍ତ୍ରୀ କିରଣ ରିଜିଜୁ ଫସିଥିବା ଭାରତୀୟଙ୍କୁ ବାହାର କରିବା ପାଇଁ ୟୁକ୍ରେନ ସୀମା ପାଖରେ ସ୍ଲୋଭାକିଆର କୋସିସେକୁ ପହଞ୍ଚିଛନ୍ତି। ସ୍ଲୋଭାକିଆରେ ଭାରତର ଦୂତ ବନଲାଲହୁମା ଏବଂ ବ୍ରୁସେଲ୍ସରେ ଭାରତୀୟ ଦୂତାବାସରେ ସଚିବ ପଙ୍କଜ ଫୁକନ ମଧ୍ୟ ଅପରେସନ ଗଙ୍ଗା ମିଶନକୁ ସୁବିଧା କରିବା ପାଇଁ ପହଞ୍ଚିଛନ୍ତି।

Also Read : ଖାରକିଭ୍‌ର ପୋଲିସ ମୁଖ୍ୟାଳୟ ଉପରେ ରୁଷର ରକେଟ ମାଡ଼, ବିଲିଡିଂ ଛିନ୍‌ଛତ୍ର