Below header

ବିଶ୍ୱର ସବୁଠୁ ବଡ ପରିବାର: ୧୦ ସ୍ତ୍ରୀଙ୍କ ସ୍ୱାମୀ, ୯୮ ସନ୍ତାନଙ୍କ ବାପା, ନାତି ନାତୁଣୀଙ୍କ ସଂଖ୍ୟା ୫୬୮

ସାଧାରଣତଃ ଗୋଟିଏ ପରିବାରର ମୁଖ୍ୟ ପରିବାରର ସମସ୍ତ ସଦସ୍ୟଙ୍କ ଦାୟିତ୍ୱ ନିଅନ୍ତି ଏବଂ ସମସ୍ତଙ୍କର ଛୋଟ ଏବଂ ବଡ ଆବଶ୍ୟକତାକୁ ପୂରଣ କରନ୍ତି। କିନ୍ତୁ ଏପରି ଏକ ପରିବାର ମଧ୍ୟ ଅଛି ଯାହା ଏତେ ବଡ ଯେ ପରିବାରର ମୁଖ୍ୟ ନିଜ ନାତି ନାତୁଣୀଙ୍କ ନାମ ମନେ ରଖି ପାରନ୍ତି ନାହିଁ । ଏପରି ପରିସ୍ଥିତିରେ ସେମାନଙ୍କର ଆବଶ୍ୟକତା ଜାଣିବା ଅସମ୍ଭବ । ଏହାଥିଲା ମହାରାଷ୍ଟ୍ର ସୋଲାପୁରରେ ଥିବା ଜଣେ ବ୍ୟବସାୟୀଙ୍କର ୭୨ ଜଣିଆ ପରିବାର । ଏହି ପରିବାରରେ ୭୦୦ରୁ ଅଧିକ ସଦସ୍ୟ ରୁହନ୍ତି। ଏବେ ବିଶ୍ୱର ସବୁଠାରୁ ବଡ ପରିବାର କଥା ଜାଣନ୍ତୁ ।

ତେବେ ସେହି ବ୍ୟକ୍ତିଙ୍କ ନାମ ହେଉଛି ମୁସା ହସାଦଜୀ ଯିଏ ନିଜ ପରିବାରକୁ ଏତେ ବିସ୍ତାର କରିଛନ୍ତି ଯେ ଏହା ଦୁନିଆର ସବୁଠାରୁ ବଡ ପରିବାର ହୋଇପାରିଛି । ମୁସାଙ୍କର ୧୦ଜଣ ସ୍ତ୍ରୀ ଅଛନ୍ତି । ସେ ୯୮ଜଣ ସନ୍ତାନସନ୍ତତିଙ୍କର ବାପା, ତାଙ୍କର ନାତିନାତୁଣୀଙ୍କ ସଂଖ୍ୟା ହେଉଛି ୫୬୮। ତାଙ୍କ ପରିବାର ଏତେ ବଡ ଯେ, ଘରର ସବୁ ଲୋକଙ୍କ ନାଁ ତାଙ୍କର ମନେନଥିବା କହିଛନ୍ତି ମୁସା ହସାଦଜୀ । ବିଶ୍ୱର ଏହି ବଡ ପରିବାର ରହିଛି ଆଫ୍ରିକାର ଉଗାଣ୍ଡାରେ ।

ମୁସାଙ୍କ କହିବା କଥା ତାଙ୍କର ୧୦ଜଣ ସ୍ତ୍ରୀ ଗୋଟିଏ ଛାତତେଳେ ଏକାଠି ରୁହନ୍ତି । ୧୦ଜଣ ସ୍ତ୍ରୀଙ୍କ ମୋଟ ୯୮ଜଣ ପିଲାଥିବାବେଳେ ୫୬୮ଜଣ ନାତିନାତୁଣୀ ଅଛନ୍ତି । ବହୁ ବିବାହକୁ ଈଶ୍ୱରଙ୍କ ଆଶୀର୍ବାଦ ବୋଲି କହିଛନ୍ତି ମୁସା । ତାଙ୍କ ପରିବାର ବିଶ୍ୱର ସବୁଠୁ ବଡ ପରିବାର ହୋଇଥିବାରୁ ସେ ଗର୍ବିତ ବୋଲି କହିଛନ୍ତି । ଯେତେବେଳେ ମୁସାଙ୍କୁ ମାତ୍ର୧୭ ବର୍ଷ ବୟସ ହୋଇଥିଲା ତାଙ୍କର ପ୍ରଥମ ସନ୍ତାନ ଜନ୍ମ ନେଇଥିଲା । ତାଙ୍କ ପ୍ରଥମ ସ୍ତ୍ରୀ ନାଁ ହନିଫା ସହାଦଜୀ ହୋଇଥିବାବେଳେ ସବୁଠୁ ସାନ ସ୍ତ୍ରୀ ହେଉଛନ୍ତି କାକାଜୀ ଯିଏ ତାଙ୍କର ନାତି ନାତୁଣୀଙ୍କ ଠାରୁ ବି ସାନ ବୟସର । ମୁସାଙ୍କ ସାନ ପତ୍ନୀ କାକାଜୀ କହିଛନ୍ତି ଯେ ଯଦି ତାଙ୍କ ସ୍ୱାମୀ ଅଧିକ ବିବାହ କରନ୍ତି ତା’ହେଲେ ତାଙ୍କର କୌଣସି ଅସୁବିଧା ହେବ ନାହିଁ, କାରଣ ସେ ଆମର ଭଲରେ ଯତ୍ନ ନିଅନ୍ତି। ମୁସାଙ୍କର ସମସ୍ତ ପତ୍ନୀ ଅଲଗା ଅଲଗା ଖାଦ୍ୟ ରାନ୍ଧନ୍ତି କିନ୍ତୁ ସମସ୍ତ ଲୋକ ଗୋଟିଏ ଘରେ ରୁହନ୍ତି | ମୁସାଙ୍କ ଏହି ପତ୍ନୀମାନେ ଉଗାଣ୍ଡାର ବିଭିନ୍ନ ସ୍ଥାନରୁ ଆସିଛନ୍ତି ।

ଉଗାଣ୍ଡାରେ କନ୍ୟା ପକ୍ଷକୁ ଯୌତୁକ ଦେଇ ବିବାହ କରିବାର ପରମ୍ପରା ଥିବାବେଳେ ମୁସା ସମସ୍ତ ସ୍ତ୍ରୀଙ୍କୁ ଯୌତୁକ ଦେଇ ବିବାହ କରଇଥିଲେ । ଯୌତୁକରେ ସେ ଗାଈ ଓ ଛେଳି ଯୌତୁକ ଦେଉଥିଲେ । ଯେତେବେଳେ ମୁସା ପ୍ରଥମ ଥର ବିବାହ କରିଥିଲେ, ସେତେବେଳେ ସେ ତିନିଟି ଗାଈ ଏବଂ ଚାରିଟି ଛେଳି ଦେଇ ତାଙ୍କ ପତ୍ନୀଙ୍କୁ ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀଙ୍କୁ ବିବାହ କରିବା ବେଳେ ମଧ୍ୟ ବଦଳରେ ସମାନ ପରିମାଣର ଯୌତୁକ ଦେଇଥିଲା। ଗୋଟିଏ ସମୟରେ ମୁସାଙ୍କୁ ପରିବାର ଚଳାଇବାକୁ ଆର୍ଥିକ ସଙ୍କଟ ଭୋଗିବାକୁ ପଡିଥିବାବେଳେ ପରେ ତାଙ୍କର କଠିନ ପରିଶ୍ରମ ଏଥିରୁ ମୁକ୍ତି ଦେଇଥିଲା । ଫଳରେ ଏବେ ତାଙ୍କର ବଡ ପରିବାର ସୁରୁଖୁରୁରେ ଚାଲିଛି । ସବୁଠୁ ବଡ କଥା ହେଲା ମୁସା ସବୁ ପତ୍ନୀଙ୍କର ସମାନ ଭାବରେ ଧ୍ୟାନ ରଖନ୍ତି । ମୁସାଙ୍କର ବାଜରା ବ୍ୟବସାୟ ଥିବାବେଳେ , ସେ ଗାଈ ଓ ଛେଳି ପାଳନ କରନ୍ତି । ଏହାସହ ତାଙ୍କର ମଟନ ଓ ଚିକେନ୍ ବ୍ୟବସାୟ ମଧ୍ୟ ରହିଛି । ମୁସାଙ୍କର ଅନେକ ଏକର ଜମି ଅଛି, ଯେଉଁଠାରେ ସେ ଅନେକ ଫସଲ ଚାଷ କରନ୍ତି। ତାଙ୍କର ଏହି ପରିବାର ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚରେ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.