ପେରୁରେ ମିଳିଛି ପୃଥିବୀର ସର୍ବପ୍ରଥମ ଥର୍ମାଲ ନଦୀ, ବୈଜ୍ଞାନିକମାନେ ମଧ୍ୟ କରିପାରୁନାହାଁନ୍ତି ରହସ୍ୟର ଉନ୍ମୋଚନ

କୋଟି କୋଟି ଏକରରୁ ଅଧିକ ସ୍ଥାନରେ ନିଜର କାୟା ବିସ୍ତାର କରିଥିବା ଆମାଜନ ଫରେଷ୍ଟରେ ଅନେକ ଗୁପ୍ତ ସ୍ଥାନ ରହିଛି । ଏହି ଜଙ୍ଗଲର କୋଣ ଅନୁକୋଣରେ ରହିଛି ବହୁ ରହସ୍ୟମୟୀ କାହାଣୀ । ଯାହା ପାଖରେ କୌଣସି ମଣିଷ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି। ସେହିପରି ପେରୁ ସହିତ ଏହି ଆମାଜନ ଜଙ୍ଗଲର କିଛି ଅଂଶ ଲାଗି ରହିଛି। ଏହି ଅଂଶରେ ଏମିତି ଏକ ନଦୀ ରହିଛି ଯାହାର ପାଣି ଆଶ୍ଚର୍ଯ୍ୟଜନକ ଭାବେ ସର୍ବଦା ଫୁଟୁଥିବା ଦେଖାଯାଇଛି । Boiling River କୁହାଯାଉଥିବା ଏହି ନଦୀକୁ ବୈଜ୍ଞାନିକମାନେ ପୃଥିବୀର ସବୁଠାରୁ ବୃହତ ଥର୍ମାଲ ନଦୀ ବୋଲି କହିଥାନ୍ତି। କିନ୍ତୁ ଏହିଭଳି ଅଦ୍ଭୁତ ନଦୀ ପଛରେ ରହିଥିବା ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଅଜଣା ହୋଇରହିଛି।

peru river3

ତେବେ ଏହି ଅଦ୍ଭୁତ ନଦୀକୁ ପ୍ରଥମେ ଭୂବୈଜ୍ଞାନିକ Adres Ruzo ୨୦୧୧ ମସିହାରେ ଖୋଜି ବାହାର କରିଥିଲେ। ଏହି Boiling River ବା Mayantuyacu River ର ସନ୍ଧାନ କରିବା ପାଇଁ ରୁଜୋ ଖୁବ ପରିଶ୍ରମ କରିଥିଲେ। କୁହାଯାଏ ଯେ ପିଲାଦିନେ ରୁଜୋ ନିଜ ଜେଜେବାପାଙ୍କ ଠାରୁ ଏହିଭଳି ଫୁଟନ୍ତା ପାଣି ଥିବା ନଦୀର ଗପ ଶୁଣୁଥିଲେ। ବୈଜ୍ଞାନିକ ବୁଦ୍ଧି ରଖିଥିବା ରୁଜୋଙ୍କୁ ବିଶ୍ୱାସ ଥିଲା ଯେ ଯଦି ଗପରେ ଏହିଭଳି କିଛି କଥା ରହିଛି ତେବେ ତାହା ବାସ୍ତବରେ ମଧ୍ୟ ନିଶ୍ଚୟ ରହିଥିବ। ସମୟାନୁକ୍ରମେ ସେ ଭୂବୈଜ୍ଞନିକ ହୋଇଥିଲେ ଓ ଏହିଭଳି ନଦୀର ସୂଚନା ପାଇବା ପାଇଁ ସରକାରଙ୍କ ଠାରୁ ଗ୍ୟାସ କମ୍ପାନୀ ସମସ୍ତଙ୍କୁ ଏହା ବିଷୟରେ ପଚାରିଥିଲେ।କିନ୍ତୁ ସମସ୍ତେ ଏହିଭଳି କୌଣସି ନଦୀ ନଥିବାର ତାଙ୍କୁ ସୂଚନା ଦେଇଥିଲେ। ଏହାପରେ ରୁଜୋ ନିଜେ ଏହି ନଦୀକୁ ଖୋଜି ବାହାର କରିଥିଲେ।

ପାଖାପାଖି ୪ ମାଇଲ ପର୍ଯ୍ୟନ୍ତ ବିସୃତ ହୋଇ ରହିଥିବା ଏହି ନଦୀର ଆଖପାଖରେ ଆଶାନିନକା ଜନଜାତିର ଲୋକେ ରହିଛନ୍ତି। ଏହି ଲୋକମାନେ Boiling River କୁ ପବିତ୍ର ମାନିଥାନ୍ତି ଓ ଏହାକୁ ତାଙ୍କ ଭାଷାରେ ‘ମୟାନତୁୟାକୁ’ କହିଥାନ୍ତି। ଏକ ରିପୋର୍ଟ ଅନୁସାରେ, ଏହି ନଦୀର ପାଣି ଖୁବ ଅଧିକ ମାତ୍ରାରେ ଗରମ ରହିଥାଏ। ଏହି ପାଣି ଭିତରକୁ ଆଙ୍ଗୁଳି ପୁରାଇଲେ କିଛି ସେକେଣ୍ଡ ମଧ୍ୟରେ ଏହା ଭୀଷଣ ଭାବେ ପୋଡ଼ିଯାଇଥାଏ । ତେବେ ରୁଜୋ ଅନେକ ପଶୁପକ୍ଷୀଙ୍କୁ ନିଜ ଆଖି ସାମନାରେ ଏହି ନଦୀରେ ପଡ଼ି ପ୍ରାଣ ହରାଇଥିବାର ଦେଖିଛନ୍ତି। କେବଳ ସେତିକି ନୁହେଁ ରୁଜୋ ଏହି ନଦୀ ବିଷୟରେ ‘The boiling river: Adventure and Discovery in the Amazon’ ନାମକ ଏକ ବହି ମଧ୍ୟ ଲେଖିଛନ୍ତି।

peru river2

ବୈଜ୍ଞାନିକ ରୁଜୋଙ୍କ କହିବାନୁସାରେ, ଏହି ନଦୀର ନାମ ପୂର୍ବରୁ Shanay-timpishka ଥିଲା। ଏହି ନାମର ଅର୍ଥ ହେଉଛି ସୂର୍ଯ୍ୟଙ୍କ ଉତ୍ତାପରୁ ଫୁଟୁଥିବା ପାଣି। ତେବେ ଏହି ନଦୀର ରହସ୍ୟକୁ ଖୋଜି ବାହାର କରିବା ପାଇଁ ବର୍ତ୍ତମାନ ଏକ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି । ଯେଉଁଥିରେ ଅଶାନିନକା ଜନଜାତିଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହି ସ୍ଥାନ ପର୍ଯ୍ୟଟନ କରୁଥିବା ବ୍ୟକ୍ତିଙ୍କୁ ଖୁବ ସାବଧାନର ସହ ଏଠାକୁ ଯିବା ପାଇଁ ପରାର୍ମଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.