ଭାରତ ବର୍ଷରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। କେବଳ ଭାରତରେ ନୁହେଁ ବରଂ ଆମ ଓଡିଶାରେ ବି ଏମିତି ବହୁତ ମନ୍ଦିର ରହିଛି, ଯାହାର ଅନେକ ପୌରାଣିକ ମହତ୍ତ୍ୱ ରହିଛି। ବାଲେଶ୍ଵର ସହରରୁ ମାତ୍ର 13 କିଲୋମିଟର ଦୂରରେ ପୂଜା ପାଉଛନ୍ତି ବର୍ଦ୍ଧନପୁରର ଐତିହାସିକ ବାବା ମଣିନାଗେଶ୍ୱର ମନ୍ଦିର। କିମ୍ବଦନ୍ତୀ କହେ ଏହି ମନ୍ଦିର ପୌରାଣିକ ଯୁଗର । ବର୍ଷ ବର୍ଷ ଧରି ବାବାଙ୍କୁ ପୂଜା କରିଆସୁଛନ୍ତି ଭକ୍ତ ମାନେ ଆଉ ବାବାଙ୍କର ରହିଛି ଅଲୌକିକ ମହିମା।କିନ୍ତୁ ଏହି ମନ୍ଦିର ସହିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ବା ଆଇ ଟି ଆର୍ ର ରହିଛି ଅନେକ ସମ୍ପର୍କ ।
ଯେତେ ବେଳେ ବଡ଼ବଡ଼ ଘାତ ପ୍ରତିଘାତ ଆସେ ଦୁନିଆରେ ଲୋକମାନେ ଭଗବାନଙ୍କ ନିକଟରେ ଶରଣାପନ୍ନ ହୁଅନ୍ତି । ନେହୁରା ହୁଅନ୍ତି ଆଉ ପ୍ରଭୁଙ୍କୁ ଗୁହାରି ବି କରନ୍ତି । ଆଉ ଦୁଃଖ ହରଣ କରି ଆଉ ଗୁହାରି ଶୁଣି ଠାକୁର ଆଶୀର୍ବାଦ କରନ୍ତି ବୋଲି ହିନ୍ଦୁ ଧର୍ମରେ ଅନେକ ବିଶ୍ୱାସ ରହିଛି । ସେହି ବିଶ୍ୱାସର ଠାକୁର ହେଉଛନ୍ତି ବାଲେଶ୍ଵର ସହର ଠାରୁ ମାତ୍ର 13 କିମି ଦୂରରେ ଅବସ୍ଥିତ ବାବା ମଣି ନାଗେଶ୍ଵର । ଯେଉଁଠି ସବୁବେଳେ ଭକ୍ତ ଓ ଭଗବାନଙ୍କ ମିଳନ ହୁଏ ।
କିମ୍ବଦନ୍ତୀ ଅନୁସାରେ, ପାଣ୍ଡଵମାନେ ଅଜ୍ଞାତବାସରେ କିଛିଦିନ ଏହି ସ୍ଥାନରେ ରହିଥିଲେ। ସ୍ନାନ ପରେ ପାଣ୍ଡବମାନେ ପ୍ରତ୍ୟହ ଶିବ ଦର୍ଶନ କରୁଥିଲେ। ସେତେବେଳେ ଉକ୍ତ ଅଞ୍ଚଳରେ କୌଣସି ଶିବ ମନ୍ଦିର ନଥିଲା। ସେଥିପାଇଁ ଯୁଧିଷ୍ଠିରଙ୍କ ପରାମର୍ଶ କ୍ରମେ ଅର୍ଜୁନ ଶର ମୁନରେ ପାତାଳରୁ ପାଞ୍ଚ ଶମ୍ଭୁଙ୍କୁ ବାହାର କରି ଭିନ୍ନଭିନ୍ନ ସ୍ଥାନରେ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ସେରଗଡ଼ର ବାବା ଖଜୁରେଶ୍ୱର, ପୁରୁଣା ବାଲେଶ୍ୱରର ବାବା ବାଣେଶ୍ୱର, ରେମୁଣାର ଗାର୍ଗବେଶ୍ୱର, ବାଙ୍କେଶ୍ୱରର ବକ୍ରେଶ୍ୱର ଓ ବର୍ଦ୍ଧନପୁରର ମଣିନାଗେଶ୍ୱର ନାମରେ ନାମିତହୋଇଥିଲା । ପ୍ରତିଦିନ ସକାଳେ ସ୍ନାନ ସାରିବା ପରେ ପାଣ୍ଡଵମାନେ ଏହି ପାଞ୍ଚ ଶିଵଶମ୍ଭୁଙ୍କୁ ଦର୍ଶନ କରୁଥିଲେ। ପରବର୍ତ୍ତୀ ସମୟରେ ଗଙ୍ଗ ବଂଶର ରାଜାମାନେ ଓଡିଶାକୁ ଶାସନ କରୁଥିବା ବେଳେ ଏହି ପୀଠ ସଂସ୍ପର୍ଶରେ ଆସିଥିଲେ। ସେତେବେଳେ ରାଜାମାନେ ମନ୍ଦିର ନିର୍ମାଣ କରିଥିଲେ। ଅନ୍ୟପଟେ କିମ୍ବଦନ୍ତୀ କୁହେ ବାଣାସୁର ଏହି ପଞ୍ଚ ଶମ୍ଭୁଙ୍କୁ ପୂଜା କରିବାର ମଧ୍ୟ ଲୋକ କଥା ରହିଛି ।
ତେବେ ଏ ତ ଥିଲା କିମ୍ବଦନ୍ତୀ ଅନୁସାରେ ବାବାଙ୍କ ଅବସ୍ଥିତିର କଥା । ବେଳେ ବେଳେ ବିଜ୍ଞାନ ବିଶ୍ୱାସ ଆଗରେ ହାର ମାନିଯାଏ । ଆଉ ସେତେବେଳେ ବଡ଼ ବଡ଼ ପ୍ରବୀଣ ଓ ବିଜ୍ଞ ଲୋକମାନେ ମଧ୍ୟ ଭଗବାନଙ୍କ ଶରଣାପନ୍ନ ହୁଅନ୍ତି । ଆଉ ଆଧୁନିକ ଯୁଗରେ ଏହା ବାସ୍ତବ ତାହା ଆଜି କାଳ କାଳ ପାଇଁ ସ୍ୱର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଯାଇଛି । ଯେତେ ବେଳେ ଚାନ୍ଦିପୁରର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ସେହି ସମୟରେ ପ୍ରଥମ କରି ଅଗ୍ନି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା। ବୈଜ୍ଞାନିକମାନଙ୍କ ଅନନ୍ୟ ପରିଶ୍ରମ ପରେ ବି ବାରମ୍ବାର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇ ପାରି ନଥିଲା। ଯେଭଳି ସମସ୍ତ କଷ୍ଟ ଓ ପରିଶ୍ରମ ବ୍ୟର୍ଥ ପାଲଟି ଯାଉଥିଲା ।
ଆଉ ସେହିସମୟରେ ମିସାଇଲ ମ୍ୟାନ ଡ଼ ଅବଦୁଲ କଳାମଙ୍କ ତତ୍ୱାବଧାନରେ ଏହି ପରୀକ୍ଷଣ କରାଯାଉଥିଲା। ବାରମ୍ବାର ପରୀକ୍ଷଣ ବିଫଳ ହେବାପରେ ଶେଷରେ କଲାମ ନିଜ ଟିମ ସହ ମଣିନାଗେଶ୍ୱରଙ୍କ ଶରଣାପନ୍ନ ହୋଇ ପୂଜାର୍ଚନା କରି ଆଶୀର୍ବାଦ ନେଇଥିଲେ । ପରେ ଅଗ୍ନି ମିସାଇଲର ସଫଳ ପରୀକ୍ଷଣ ହୋଇଥିଲା। ସେହି ଦିନଠାରୁ ଆଜିବି କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ବାବା ମଣିନାଗେଶ୍ୱରଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଯା ଦ୍ଵାରା କି ଆଜି ଚାନ୍ଦିପୁର ଆଇ ଟି ଆର୍ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରିଚାଲିଛି । ତେବେ ସବୁଠୁ ବଡ କଥା ହେଉଛି ରାଜ୍ୟ ପର୍ଯ୍ୟଟନ ବିଭାଗର ସ୍ୱୀକୃତି ମିଳିଛି ସତ ହେଲେ ଏହି ପବିତ୍ର ସ୍ଥାନ ଆଜି ବି ଦୃଷ୍ଟି ଆଢୁଆଳରେ ରହିଯାଇଛି। ପୀଠରେ ଉନ୍ନତି କରଣ ପାଇଁ ଏବେବି ଅନେକ ପଦକ୍ଷେପ ନେବାର ଆଵଶ୍ୟକତା ରହିଛି।