ପୋଲିସ ଗିରଫ କରିବାକୁ ଆସିଲେ କ’ଣ କରିବେ, ଜାଣନ୍ତୁ ସମ୍ବିଧାନର ନିୟମ

ପୋଲିସର ନାଁ ଶୁଣିବା ମାତ୍ରକେ ଭୟରେ ହାତଗୋଡ଼ ଥରିବାକୁ ଲାଗିଥାଏ। କାରଣ ଥରେ ପୋଲିସ ଚକ୍କରରେ ପଡ଼ିଗଲେ ଏଥିରୁ ନିସ୍ତାର ପାଇବା ଖୁବ୍‌ ମୁସ୍କିଲ ହୋଇଥାଏ। ଆଉ ଯଦି ପୋଲିସ ଗିରଫ କରି ନେଲା ତେବେ କୋର୍ଟକୁ ଦଉଡ଼ି ଦଉଡ଼ି ଅଧା ଜୀବନ କଟିଯିବ। ପୋଲିସ ଖାତାରେ ଥରେ ନାଁ ଚଢ଼ିବା ମାତ୍ରେ ଟଙ୍କା ସହ ଇଜ୍ଜତ ମଧ୍ୟ ଚାଲିଯାଏ। ଆଉ ଯଦି କୌଣସି ଛାତ୍ରର ନାଁ ପୋଲିସ ଡାଏରୀରେ ଚଢ଼ିଲା ତେବେ ତା’ ଭବିଷ୍ୟତ ଅନ୍ଧାର ହେଲା ବୋଲି ଜାଣ। ତେଣୁ କେହି ବି ଚାହାନ୍ତିନି ତାଙ୍କୁ ପୋଲିସ ଧରୁ। ତେବେ ବେଳେ ବେଳେ କିଛି ନ କରିଥିଲେ ମଧ୍ୟ ପୋଲିସ ଲୋକଙ୍କୁ ବାନ୍ଧିନେବା ଏବେ ଏକ ସାଧାରଣ ଘଟଣା ପାଲଟିଛି। ଏଭଳି ସ୍ଥିତିରେ ବ୍ୟକ୍ତି କ’ଣ କରିବ ବୁଝିପାରିନଥାଏ। କିନ୍ତୁ ଏବେ ଆଉ ଡରିବାର ଆବଶ୍ୟକତା ନାହିଁ। ପୋଲିସ ଗିରଫ କରିବା ବେଳେ ଜଣେ ସାଧାରଣ ଲୋକ କ’ଣ କରିବା ଆବଶ୍ୟକ, ସେଥିପାଇଁ ସିଆରପିସି କିଛି ଅଧିକାର ଦେଇଛି। ଯେତେବେଳେ ପୋଲିସ ଆପଣଙ୍କୁ ଗିରଫ କରିବାକୁ ଆସିବ ସେତେବେଳେ ଆପଣ ଏହି ଅଧିକାରକୁ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା ଆପଣଙ୍କର କି କି ଅଧିକାର ରହିଛି…

  • ପୋଲିସ ଗିରଫ କରିବାକୁ ଆସିବା ବେଳେ ସିଆରପିସିର ଧାରା ୫୦ ଅନୁସାରେ ଆପଣ ଗିରଫର କାରଣ ପଚାରିପାରିବେ। ଆଉ ପୋଲିସ ଏହାର ଉତ୍ତର ଦେବାକୁ ବାଧ୍ୟ।
  • ଗିରଫ କରିବାକୁ ଆସିଥିବା ପୋଲିସ ଅଫିସର ୟୁନିଫର୍ମରେ ଥିବା ଜରୁରୀ। ଏଥିସହ ତାଙ୍କ ୟୁନିଫର୍ମରେ ତାଙ୍କ ନାମଫଳକ ମଧ୍ୟ ରହିବା ଜରୁରୀ ଓ ନାମଫଳକରେ ତାଙ୍କ ନାଁ ଥିବା ଆବଶ୍ୟକ।
  • ସିଆରପିସିର ଧାରା ୫୦(ଏ) ମୁତାବକ, ଗିରଫ ହେଉଥିବା ବ୍ୟକ୍ତି ଏ ନେଇ ନିଜ ପରିବାରକୁ ଜଣାଇପାରିବେ। ଯଦି ଏ ବାବଦରେ ସେ ଜଣାଇବାକୁ ଅସମର୍ଥ ହେଉଛନ୍ତି ତେବେ ପୋଲିସ ନିଜ ଆଡ଼ୁ ତାଙ୍କ ପରିବାରକୁ ଏ ନେଇ ଅବଗତ କରାଇବେ।

  • ସିଆରପିସିର ଧାରା ୪୧(ବି) ଅନୁସାରେ, ପୋଲିସକୁ ଗିରଫ କରିବା ପୂର୍ବରୁ ଏକ ଆରେଷ୍ଟ ମେମୋ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ସେଥିରେ ଗିରଫ କରିବାକୁ ଆସିଥିବା ପୋଲିସ ଅଧିକାରୀଙ୍କ ର‍୍ୟାଙ୍କ, ଗିରଫ କରିବା ସମୟ, ଉପସ୍ଥିତ ଅନ୍ୟ ପୋଲିସ ଅଧିକାରୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ହସ୍ତାକ୍ଷର ରହିବା ଜରୁରୀ। ଏହି ମେମୋରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ସ୍ୱାକ୍ଷର ରହିବା ଅନିବାର୍ଯ୍ୟ।
  • ସିଆରପିସିର ଧାରା ୫୪ ମୁତାବକ ଗିରଫ ହୋଇଥିବା ବ୍ୟକ୍ତି ଯଦି ମେଡିକାଲ ଟେଷ୍ଟ କରିବାକୁ ଚାହିଁବେ ତେବେ ପୋଲିସ ଏହା କରିବାକୁ ବାଧ୍ୟ। ମେଡିକାଲ ଟେଷ୍ଟର ଫାଇଦା ହେଉଛି ଯଦି ପୋଲିସ ହେପାଜତରେ ଆସିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୌଣସି ଆଘାତ ଲାଗୁଛି ତେବେ ଏଥିପାଇଁ ପୋଲିସ ଦାୟୀ ରହିବ ଓ ଆପଣଙ୍କ ନିକଟରେ ଏନେଇ ପ୍ରମାଣ ଥିବ। ନିୟମ ମୁତାବକ ଗିରଫ ହୋଇଥିବା ବ୍ୟକ୍ତିଙ୍କର ୪୮ ଘଣ୍ଟା ମଧ୍ୟରେ ମେଡିକାଲ ଯାଞ୍ଚ କରାଯିବା ଉଚିତ।

  • ସିଆରପିସିର ଧାରା ୫୭ ମୁତାବକ ପୋଲିସ କୌଣସି ବ୍ୟକ୍ତିଙ୍କୁ ୨୪ଘଣ୍ଟାରୁ ଅଧିକ ସମୟ ଅଟକ ରଖିପାରିବ ନାହିଁ। ଯଦି ପୋଲିସ କାହାକୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ନିଜ କବ୍ଜାରେ ରଖୁଛି ତେବେ ଧାରା ୫୬ ମୁତାବକ ତାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ଅନୁମତି ନେବାକୁ ପଡ଼ିବ। କାହିଁକି ଅଧିକ ସମୟ ତାଙ୍କୁ ଅଟକ ରଖାଯାଉଛି ସେ ନେଇ ମାଜିଷ୍ଟ୍ରେଟ୍‌କୁ କହିବାକୁ ପଡ଼ିବ।
  • ସିଆରପିସିର ଧାରା ୪୧(ଡି) ଅନୁସାରେ ଗିରଫ ବ୍ୟକ୍ତି ନିଜ ପରିଜନ ଓ ଓକିଲ ସହ କଥା ହୋଇପାରିବେ।
  • ଯଦି ଅପରାଧ ଗମ୍ଭୀର ନୁହେଁ ତେବେ ଗିରଫ ବ୍ୟକ୍ତିଙ୍କ ନିକଟରେ ନିଜ ଗିରଫ ଓ୍ଵାରେଣ୍ଟ ଦେଖିବା ଅଧିକାର ରହିଛି। କିନ୍ତୁ ଯଦି ଅପରାଧ ଗମ୍ଭୀର ତେବେ ପୋଲିସ ବିନା ଓ୍ଵାରେଣ୍ଟରେ ବ୍ୟକ୍ତିଙ୍କୁ ଗିରଫ କରିପାରିବେ।

ଭାରତୀୟ ଦଣ୍ଡ ସଂହିତା ମହିଳାଙ୍କୁ କେତେକ ବିଶେଷ ଅଧିକାର ଦେଇଛି, ଆସନ୍ତୁ ଜାଣିବା ସେ ଅଧିକାର ବାବଦରେ…

  • ସିଆର୍‌ପିସିର ଧାରା ୪୬(ଏ) ଅନୁସାରେ କୌଣସି ମହିଳାଙ୍କୁ ସୂର୍ଯ୍ୟାସ୍ତ ପରେ ଓ ସୂର୍ଯ୍ୟୋଦୟ ପୂର୍ବରୁ ଗିରଫ କରାଯାଇପାରିବ ନାହିଁ।
  • କିନ୍ତୁ ଯଦି କେବେ ଏଭଳି ପରିସ୍ଥିତି ଆସେ, ଯେତେବେଳେ ମହିଳାଙ୍କୁ ରାତିରେ ଗିରଫ କରିବା ଜରୁରୀ ସେତେବେଳେ ପୋଲିସକୁ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ଙ୍କ ଅନୁମତି ନେବାକୁ ପଡ଼ିଥାଏ।

  • ସିଆରପିସିର ଧାରା ୪୬ ମୁତାବକ ମହିଳାଙ୍କୁ କେବଳ ମହିଳା ପୋଲିସ କର୍ମୀ ହିଁ ଗିରଫ କରିପାରିବେ। କୌଣସି ପୁରୁଷ ପୋଲିସ କର୍ମୀ ମହିଳାଙ୍କୁ ଗିରଫ କରିପାରିବେ ନାହିଁ।
  • ସିଆର୍‌ପିସି ଧାରା ୫୫(୧) ମୁତାବକ ଗିରଫ ବ୍ୟକ୍ତିଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟର ଯତ୍ନ ପୋଲିସକୁ ନେବାକୁ ପଡ଼ିଥାଏ।

ଦଣ୍ଡ ସଂହିତା ବ୍ୟତୀତ ଭାରତୀୟ ସମ୍ବିଧାନ ମଧ୍ୟ ସାଧାରଣ ନାଗରିକଙ୍କୁ କେତେକ ବିଶେଷ ଅଧିକାର ଦେଇଛନ୍ତି। ସେଗୁଡ଼ିକ ହେଲା…

  • ଏହି ଅଧିକାର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କୁ ବେଆଇନ୍‌ ଭାବେ ଗିରଫ କରାଯାଇଛି ତେବେ ଏହା ସମ୍ବିଧାନର ଅନୁଚ୍ଛେଦ ୨୦,୨୧ ଓ ୨୨ରେ ଦିଆଯାଇଥିବା ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରୁଛନ୍ତି।
  • ସମ୍ବିଧାନର ଅନୁଚ୍ଛେଦ ୨୦ ମୁତାବକ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ଅପରାଧ ପାଇଁ ମାତ୍ର ଥରେ ହିଁ ଗିରଫ କରାଯାଇପାରିବ।
  • ଅପରାଧୀଙ୍କୁ ଅପରାଧ କରିବା ବେଳେ ଥିବା ଆଇନ୍‌ ଅନୁସାରେ ହିଁ ଦଣ୍ଡ ମିଳିବ। ଅପରାଧ କରିବା ପରେ ଯଦି କୌଣସି ଆଇନ୍‌ ପରିବର୍ତ୍ତନ ହୋଇଛି ତେବେ ସେ ହିସାବରେ ତାଙ୍କୁ ଦଣ୍ଡ ଦିଆଯାଇପାରିବ ନାହିଁ।
  • ପୋଲିସ କୌଣସି ବ୍ୟକ୍ତିଙ୍କୁ ନିଜ ବିରୋଧରେ ସାକ୍ଷୀ ହେବାକୁ ବାଧ୍ୟ କରିପାରିବ ନାହିଁ।
  • ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁସାରେ କୌଣସି ବ୍ୟକ୍ତିଙ୍କୁ କେବଳ ଆଇନ୍‌ ଅନୁସାରେ ଦଣ୍ଡ ଦିଆଯାଇପାରିବ। ତାଙ୍କୁ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାରୁ ବଞ୍ଚିତ କରାଯାଇପାରିବ ନାହିଁ।

  • ସମ୍ବିଧାନର ଅନୁଚ୍ଛେଦ ୨୨ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କୁ ମନଇଚ୍ଛା ପୋଲିସ ଅଟକ ରଖିଛି ତେବେ ତାଙ୍କୁ ତିନି ପ୍ରକାରର ସ୍ୱାଧୀନତା ମିଳିପାରିବ।
    ୧. ଗିରଫର କାରଣ କହିବାକୁ ପଡ଼ିବ।
    ୨. ୨୪ ଘଣ୍ଟା ଭିତରେ ତାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ହାଜର କରିବାକୁ ହେବ।
    ୩. ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ନିଜ ଇଚ୍ଛା ମୁତାବକ ଓକିଲ ବାଛିବା ଅଧିକାର ରହିଥାଏ।

ଯଦି ଏସବୁ ଅଧିକାର ଆପଣ ଜାଣିଥିବେ କୌଣସି ବି ଆଇନ ଆପଣଙ୍କୁ ବେଆଇନ୍‌ ଭାବେ ଗିରଫ କରିପାରିବେ ନାହିଁ। ଏଥିପାଇଁ ନିଜ ଅଧିକାର ବିଷୟରେ ଜାଣନ୍ତୁ ଓ ମନେ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.