ଡିଭାଇଡର ଉପରେ ବାଇକ ଚଲାଇଲେ ଯୁବକ, ଭାଇରାଲ ହେଉଛି ଭିଡିଓ

ଏକ ଭାଇରାଲ ଭିଡିଓରେ ଜଣେ ଯୁବକ ରାସ୍ତାରେ ବାଇକ ନ ଚଲାଇ ଏକ ସଂକୀର୍ଣ୍ଣ ଡିଭାଇଡର ଉପରେ ବାଇକ ଚଲାଉଛନ୍ତି । ତେବେ ବର୍ତ୍ତମାନ ଏହି ଭାଇରାଲ ଭିଡିଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ଏବଂ ଷ୍ଟଣ୍ଟମ୍ୟାନଙ୍କ ବିରୋଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।

ଆଜିକାଲି ସୋସିଆଲ ମିଡିଆରେ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି । ଏହିପରି ଭିଡିଓ ଦେଖିବା ପରେ ଏହାକୁ ବିଶ୍ୱାସ କରିବା ମଧ୍ୟ କଷ୍ଟକର । ସୋସିଆଲ ମିଡିଆରେ ଫେମସ ହେବା ପାଇଁ ମେଟ୍ରୋ କିମ୍ବା ଟ୍ରେନରେ କେହି ଅଶ୍ଳୀଳ ନୃତ୍ୟ କରୁଛନ୍ତି ତ କେହି ନିଜ ବାଇକ୍ ଷ୍ଟଣ୍ଟ୍ ଦେଖାଉଛନ୍ତି । ଏଭଳିକି ନିଜ ଜୀବନକୁ ବି ବାଜି ଲଗାଇବାକୁ ପଛଉନାହାନ୍ତି ଆଜିର ଯୁବପିଢ଼ି । ଏହିଭଳି ଏକ ଭିଡିଓ ଏବେ ଖୁବ ଭାଇରାଲ୍ ହେବାରେ ଲାଗିଛି, ଯାହା ଦେଖିବା ପରେ ଲୋକମାନେ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ ।

କାରଣ ଏହି ଭାଇରାଲ ଭିଡିଓରେ ଜଣେ ଯୁବକ ରାସ୍ତାରେ ବାଇକ ନ ଚଲାଇ ଏକ ସଂକୀର୍ଣ୍ଣ ଡିଭାଇଡର ଉପରେ ବାଇକ ଚଲାଉଛନ୍ତି । ତେବେ ଏହା ଦ୍ୱାରା ସେ କେବଳ ନିଜ ଜୀବନ ନୁହେଁ ବରଂ ରାସ୍ତାରେ ଯାଉଥିବା ପ୍ରତ୍ୟକ ଲୋକଙ୍କ ଜୀବନକୁ ବିପଦରେ ପକାଇଛନ୍ତି । କାରଣ ଏହି ସମୟରେ ସଡ଼କର ଉଭୟ ପାର୍ଶ୍ୱରେ ଅନେକ ଭାରି ଯାନ ଯାତାୟାତ କରୁଥିଲା । ସୂଚନା ଅନୁସାରେ ମେ’ ୨୩ ତାରିଖ ଦିନ ଏକ ବାଇକ ରାଲି ସମୟରେ ଯୁବକ ଜଣକ ରାଲିରେ ଆଗକୁ ଯିବା ପାଇଁ କୋଲିଡାମ ନଦୀ ବ୍ରିଜ ଉପରେ ଥିବା ଏକ ଉଚ୍ଚ ଡିଭାଇଡର ଉପରେ ଏଭଳି ବାଇକ ଚଳାଇଥିଲେ ।

ତେବେ ଏହି ବାଇକ ରାଲିରେ ଅନେକ ଯୁବକ ଅତି ଦ୍ରୁତ ଗତିରେ ବାଇକ ଚଳାଉଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କିନ୍ତୁ ଏହି ଯୁବକ ଜଣକ ସବୁ ସୀମା ପାର କରିଦେଇଛନ୍ତି । ତେବେ ଏହା ଦେଖି ରାସ୍ତାରେ ଯାଉଥିବା ଲୋକ ଅତ୍ୟନ୍ତ ଭୟଭୀତ ହୋଇ ଚିଲାଉଥିଲେ ମଧ୍ୟ ତାଙ୍କର କୌଣସି ଖାତିର ନଥିଲା । ଏହି ଦୃଶ୍ୟ ଦେଖି ଏଭଳି ଲାଗୁଥିଲା ଯେପରି ସେ ଏକ ଖୋଲା ରାସ୍ତାରେ ଖୁବ ଆରାମରେ ଗାଡ଼ି ଚଲାଉଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତି ମଧ୍ୟ ତାଙ୍କର ଟିକେ ବି ଭୟ ନାହିଁ ।

ତେବେ ବର୍ତ୍ତମାନ ଏହି ଭାଇରାଲ ଭିଡିଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ଏବଂ ଷ୍ଟଣ୍ଟମ୍ୟାନଙ୍କ ବିରୋଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ଏଭଳି ବେପରୁଆ ଆଚରଣ ଏବଂ ଗାଡି ଚାଳନା କେବଳ ଟ୍ରାଫିକ ନିୟମକୁ ଅବମାନନା କରେ ନାହିଁ ବରଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ମଧ୍ୟ ଏକ ବଡ଼ ବିପଦ ସୃଷ୍ଟି କରିଥାଏ ବୋଲି ଚର୍ଚ୍ଚା ଜୋର ଧରିଛି । ଭବିଷ୍ୟତରେ ଏହିପରି ବିପଜ୍ଜନକ କାର୍ଯ୍ୟକୁ ରୋକିବା ପାଇଁ କଡା ନିୟମ ଏବଂ ଦଣ୍ଡବିଧାନ କରିବାକୁ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.