ଆଇପିଏଲ୍ ଫାଇନାଲ୍ : ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଦିଲ୍ଲୀ କ୍ୟାପିଟାଲ୍ସ ରଖିଲା୧୫୭ ରନ୍ର ଟାଇଟଲ୍ ଟାର୍ଗେଟ୍

ଦୁବାଇ : ଆରମ୍ଭରୁ ଝଟ୍କା । ଆଉ ତା ପରେ ମାତ୍ର ୪ ଓଭର ଭିତରେ ପଡ଼ିଗଲା ତିନିଟି ପ୍ରମୁଖ ଓ୍ଵିକେଟ୍ । ଏଭଳି ପ୍ରାରମ୍ଭିକ ଧକ୍କାକୁ ସମ୍ଭାଳି ଦିଲ୍ଲୀ କ୍ୟାପିଟାଲ୍ସ କରିଛି ରନ୍ । ଆଜି ଏଠାରେ ଚାଲିଥିବା ଆଇପିଏଲ୍ ୨୦୨୦ ଫାଇନାଲ୍ ମ୍ୟାଚ୍ରେ ଦିଲ୍ଲୀ ୧୫୭ ରନ୍ର ବିଜୟ ଲକ୍ଷ୍ୟ ରଖିଛି ବିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ । ୨୦ ଓଭର୍ ଖେଳରେ ଦିଲ୍ଲୀ ୭ ଓ୍ଵିକେଟ୍ ହରାଇ କରିଛି ୧୫୬ ରନ୍ ।
ଟସ୍ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ବଲ୍ରେ ଷ୍ଟୋଇନିସ୍ ଆଉଟ୍ ହେବା ପରେ ଲାଗୁଥିଲା ଶିଖର ଧବନ ଓ ଅଜିଙ୍କ୍ୟ ରାହାଣେ ପାଳି ସମ୍ଭାଳି ନେବେ । ହେଲେ ମୁମ୍ବାଇ ବୋଲରଙ୍କ ଆକ୍ରମଣରେ ଏମାନେ ବି ଧରାଶାୟୀ ହେଲେ । ରାହାଣେ ୨ ଓ ଧବନ ୧୫ ରନ୍ କରି ବିଦା ହୋଇଗଲେ । ୨୨ ରନ୍ରେ ୩ଟି ଓ୍ଵିକେଟ୍ ହରାଇଥିବା ଦିଲ୍ଲୀକୁ ସମ୍ମାନଜନକ ସ୍କୋର ଦେଲେ ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ଓ ଋଷଭ ପନ୍ତ । ଏହି ଯୋଡ଼ି ପ୍ରତିଆକ୍ରମଣ କରି ସ୍କୋର ବଢ଼ାଇ ଚାଲିଲେ । ୧୪ ଓଭରରେ ଦିଲ୍ଲୀ ୧୦୦ ରନ୍ ଟପି ଯାଇଥିଲା । ଏମାନେ ୧୧୮ ରନ୍ ପର୍ଯ୍ୟନ୍ତ ସ୍କୋରକୁ ଟାଣି ନେଇଥିଲେ ।
ତେବେ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ପନ୍ତଙ୍କୁ କଲଟିୟର ନିଲ ୫୬ ରନ୍ରେ ଆଉଟ୍ କରିଦେଲେ । ସେ ୩୮ ବଲ୍ରେ ୫୬ ରନ୍ (୪ ଚୌକା, ୨ ଛକା) କରିଥିଲେ । ପନ୍ତ ଓ ଆୟର ଚତୁର୍ଥ ଓ୍ଵିକେଟ୍ରେ ୯୬ ରନ୍ ଯୋଡ଼ିଥିଲେ । ଆଉ ୫ ଓଭର ବାକି ଥିବା ବେଳେ ନୂଆ ବ୍ୟାଟସମ୍ୟାନ୍ ଭାବେ ଆସି ହେଟମେୟର ମାତ୍ର ୫ ରନ୍ ଏବଂ ଅକ୍ଷର ପଟେଲ ୯ ରନ୍ କରି ଆଉଟ୍ ହୋଇଥିଲେ । ଆୟର ୫୦ ବଲ୍ରେ ଅପରାଜିତ ୬୫ ରନ୍ (୬ ଚୌକା, ୨ ଛକା) କରିଥିଲେ ।
ମୁମ୍ବାଇ ପକ୍ଷରୁ ଆଜି ବୁମରା ନୁହେଁ ଟ୍ରେଣ୍ଟ ବୋଲଟ୍ ଜମେଇ ଦେଲେ । ସେ ୪ ଓଭରରେ ୩୦ ରନ୍ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି । ସେହିଭଳି କଲଟିୟର ନିଲ ୨୯ ରନ୍ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି ।