୧୦ କୋଟିର ଘର କିଣିଲେ ଯୁବ କ୍ରିକେଟର ପୃଥ୍ଵୀ ଶ…୨୨ ବର୍ଷ ବୟସରେ ସ୍ୱପ୍ନ ହେଲା ସାକାର

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ରେ ନିଜର ବଢ଼ିଆ ପ୍ରଦର୍ଶନ ଦେଖାଉଥିବା ଯୁବ କ୍ରିକେଟର ପୃଥ୍ଵୀ ଶ ଦେଶର ଭଲ ଖେଳାଳିଙ୍କ ମଧ୍ୟରୁ ଜଣେ। ଏବେ ପୃଥ୍ଵୀ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ତରଫରୁ ଖେଳୁଛନ୍ତି। ଆଇପିଏଲ୍‌ ଭିତରେ ପୃଥ୍ଵୀ ଏକ ଘର କିଣିଛନ୍ତି, ଯାହାର ପ୍ରସ୍ତୁତି ସେ ଦୀର୍ଘ ଦିନରୁ କରି ଆସୁଥିଲେ। ଏବେ ତାଙ୍କ ସ୍ୱପ୍ନ ସାକାର ହୋଇଛି। ୨୨ ବର୍ଷର ପୃଥ୍ଵୀ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ନିଜର ଏକ ଘର କିଣିଛନ୍ତି, ଯାହାର ଦାମ୍‌ ରହିଛି ୧୦.୫ କୋଟି ଟଙ୍କା। ରିପୋର୍ଟ ମୁତାବକ, ୨୨୦୯ ବର୍ଗଫୁଟ୍‌ ଅଞ୍ଚଳରେ ତିଆରି ଏହି ଘର ବାନ୍ଦ୍ରାର ପୋଶ୍‌ ସୋସାଇଟିର ୮ମ ମହଲାରେ ରହିଛି।

ପୃଥ୍ଵୀ ଶ ଙ୍କୁ ଏହି ଘର ସହିତ ୩ଟି କାର୍‌ ପାର୍କ କରିବା ପାଇଁ ଜାଗା ମଧ୍ୟ ମିଳିଛି। ରିପୋର୍ଟ ମୁତାବକ, ୩୧ ମାର୍ଚ୍ଚରେ ପୃଥ୍ଵୀ ୫୨.୫୦ ଲକ୍ଷ ଟଙ୍କାର ଷ୍ଟାମ୍ପ୍‌ ଡ୍ୟୁଟି ଦେଇଥିଲେ। ୨୮ ଏପ୍ରିଲରେ ଏହି ଘର ପୃଥ୍ଵୀଙ୍କ ନାମରେ ହୋଇ ଯାଇଥିଲା। କହି ରଖୁଛୁ ଯେ ପୃଥ୍ଵୀ ଶ ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ସହିତ ଅଛନ୍ତି ଏବଂ ତାଙ୍କୁ ଟିମ୍‌ ତରଫରୁ ପ୍ରତି ସଜନ ପିଛା ୭.୫୦ କୋଟି ଟଙ୍କା ମିଳୁଛି। ସୂଚନାଥାଉ କି, ବର୍ଷ ୨୦୧୮ରେ ପୃଥ୍ଵୀ ଶ ଙ୍କ ନେତୃତ୍ୱରେ ଭାରତ ଅଣ୍ଡର-୧୯ ବିଶ୍ୱକପ୍‌ ଜିତିଥିଲା। ଆଉ ଏହାପର ଠାରୁ ହିଁ ଏହି ଯୁବ ପ୍ରତିଭା ଛାଇ ହୋଇ ରହିଛନ୍ତି। ପୃଥ୍ଵୀ ଟିମ୍‌ ଇଣ୍ଡିଆ ଟେଷ୍ଟ୍‍ ଟିମ୍‌ର ଅଂଶ ମଧ୍ୟ ରହି ସାରିଛନ୍ତି।

ଅନ୍ୟ ପକ୍ଷରେ ଚଳିତ ସଜନରେ ଯଦି ପୃଥ୍ଵୀ ଶ ଙ୍କ ରେକର୍ଡ କଥା ଦେଖିବା, ତ ସେ ୯ଟି ମ୍ୟାଚ୍‌ରେ ୨୫୯ ରନ୍‌ କରିଛନ୍ତି। ଏହି ସମୟରେ ତାଙ୍କର ଆଭେରେଜ୍‌ ୨୮ ଥିବାବେଳେ ସେ ଦୁଇଟି ଅର୍ଦ୍ଧଶତକ କରିଛନ୍ତି। ତେବେ ମଝିରେ ପୃଥ୍ଵୀଙ୍କ ଫିଟ୍‌ନେସକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ପୃଥ୍ଵୀ ଶ ଭାରତ ପାଇଁ ବର୍ଷ ୨୦୧୮ରେ ଟେଷ୍ଟ୍‍ ଡେବ୍ୟୁ କରିଥିଲେ। ଟେଷ୍ଟରେ ତାଙ୍କ ନାମରେ ଏକ ଶତକ ମଧ୍ୟ ରହିଛି, ଯାହାକୁ ସେ ନିଜ ଡେବ୍ୟୁ ଟେଷ୍ଟ୍‍ ମ୍ୟାଚରେ ହାସଲ କରିଥିଲେ। ସେ ଏ ପର୍ଯ୍ୟନ୍ତ ୫ଟି ଟେଷ୍ଟ୍‍ ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ୩୩୯ ରନ୍‌ କରିଛନ୍ତି। ଯେତେବେଳେ କି, ୬ଟି ଦିନିକିଆ ମ୍ୟାଚ୍‌ରେ ସେ ୧୮୯ ରନ୍‌ ହାସଲ କରିଛନ୍ତି। ଆଇପିଏଲ୍‌ରେ ପୃଥ୍ଵୀ ଶ ୬୨ଟି ମ୍ୟାଚ୍‌ରେ ୧୫୬୪ ରନ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.