ବିସିସିଆଇର ନୂଆ ଫିଟନେସ ଟେଷ୍ଟରେ ବିଫଳ ହେଲେ ୬ ଭାରତୀୟ ଖେଳାଳି, ଖେଳରୁ ପଡିପାରନ୍ତି ବାଦ୍

ନିଜର ଫିଟନେସ୍ ପ୍ରୋଟୋକଲକୁ ନେଇ ବିସିସିଆଇ ସମଗ୍ର ବିଶ୍ବରେ ଜଣାଶୁଣା। ଏବେ ପୁଣି ନିଜର ଫିଟନେସ ଟେଷ୍ଟକୁ ନେଇ ଚର୍ଚ୍ଚାରେ ବିସିସିଆଇ। ଭାରତୀୟ ଖେଳାଳିଙ୍କ ଫିଟନେସ ଟେଷ୍ଟକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଆକାଡେମୀରେ ଚଳିତ ସପ୍ତାହରେ ହୋଇଥିବା ୨ କିମି ଦୌଡ ଫିଟନେସ ଟେଷ୍ଟରେ ୬ ଭାରତୀୟ କ୍ରିକେଟର ଫେଲ୍ ହୋଇଛନ୍ତି । ଏଥିରେ ଓ୍ୱିକେଟ୍ କିପର ସଞ୍ଜୁ ସାମସନଙ୍କ ସହ ଇଶାନ କିଶନ, ନୀତିଶ ରାଣା, ରାହୁଲ ତେଓ୍ୱାତିଆ, ସିଦ୍ଧାର୍ଥ କୌଲ ଓ ଜୟଦେବ ଉନାଦକତ ରହିଛନ୍ତି ।

ବିସିସିଆଇ ସୂତ୍ରାନୁସାରେ, ଦ୍ୱିତୀୟ ଥର ଏହି ଖେଳାଳିମାନେ ଫିଟନେସ ଟେଷ୍ଟରେ ଫେଲ୍ ହେଲେ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଏମାନଙ୍କୁ ଚୟନ କରିବା କଷ୍ଟକର ହୋଇଯିବ । ଏହାପୂର୍ବରୁ ୨୦୧୮ ୟୋୟୋ ଟେଷ୍ଟରେ ଫେଲ୍ ହେବା କାରଣରୁ ସଞ୍ଜୁ ସାମସନ, ମହମ୍ମଦ ସାମି ଓ ଅମ୍ବତି ରାୟଡୁ ଇଂଲଣ୍ଡ ଗସ୍ତରେ ଦିନିକିଆ ସିରିଜରେ ସ୍ଥାନ ପାଇନଥିଲେ । ଇଂଲଣ୍ଡ ବିପକ୍ଷ ଟି୨୦ ଓ ଟି୨୦ ବିଶ୍ୱକପ ପାଇଁ ୧୫ରୁ ୨୦ ଖେଳାଳିଙ୍କୁ ଏନସିଏରେ ତାଲିମ ଦିଆଯାଉଛି ।

ଓ୍ୱିକେଟ୍ କିପର ଓ ସ୍ପିନରଙ୍କୁ ଏଠାରେ ୮ ମିନିଟ ୩୦ ସେକେଣ୍ଡରେ ୨କିମି ଦୌଡିବାକୁ ପଡିଥାଏ । ସେହିପରି ଦ୍ରୁତ ବୋଲରଙ୍କୁ ୮ ମିନିଟ ୧୫ ସେକେଣ୍ଡରେ ୨ କିମି ପୁରା କରିବାକୁ ହୋଇଥାଏ । କିନ୍ତୁ ୬ ଖେଳାଳି ଏହା କରିପାରି ନଥିଲେ । ଆଉ କିଛି କ୍ରିକେଟର ମଧ୍ୟ ବହୁ କଷ୍ଟରେ ଏହି ରେସ୍ ପୁରା କରିଥିଲେ ।

ଖବର ମୁତାବକ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଭାରତୀୟ ଖେଳାଳିଙ୍କ ଫିଟନେସ ତଦାରଖ ପାଇଁ ଏକ ଟେଷ୍ଟ ଆରମ୍ଭ କରିଛି । ଏଥିରେ ୬ଜଣ ଖେଳାଳି ପାସ୍ ହୋଇପାରି ନାହାଁନ୍ତି । ତେବେ ଏମାନଙ୍କୁ ପୁଣି ଥରେ ନିଜକୁ ପ୍ରମାଣିତ କରିବାକୁ ସୁଯୋଗ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.