ବୀରେନ୍ଦ୍ର ଲାକ୍ରାଙ୍କ ବଢ଼ିଲା ଅଡ଼ୁଆ: ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ: ହାଇକୋର୍ଟ

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅନ୍ତର୍ଜାତୀୟ ହକି ତାରକା ତଥା ପୋଲିସ ଅଧିକାରୀ ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କଟକ (କେନ୍ୟୁଜ): ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବୀରେନ୍ଦ୍ର ଲାକ୍ରା ଜଣେ ଡ଼ିଏସପି ହୋଇଥିବାରୁ କ୍ରାଇମବ୍ରାଞ୍ଚର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡକ୍ଟର ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ । ଜଣେ ଡିଆଇଜି ପାହ୍ୟାର ଅଧିକାରୀଙ୍କୁ ଦିଆଯିବ ଦାୟିତ୍ୱ । ପୂର୍ବରୁ ତଦନ୍ତ କରୁଥିବା କମିଶନରେଟ ପୋଲିସ ତଦନ୍ତର ସମସ୍ତ ନଥିପତ୍ର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ମାନଜିତ ଟେଟେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ହାଇକୋର୍ଟରେ ମାମଲା ରୁଜ୍ଜୁ କରିଛନ୍ତି ମୃତକ ଆନନ୍ଦ ଟପ୍ପୋଙ୍କ ବାପା । ମୃତକଙ୍କ ବାପା ବନ୍ଧନ ଟପ୍ପୋ ଆବେଦନରେ ଦର୍ଶାଇଛନ୍ତି ଯେ, ୨୦୨୨ ଫେବୃଆରୀ ୨୮ ତାରିଖ ଦିନ ପ୍ରାୟ ୧୨ଟୋ୍ର ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଇନ୍ଫୋସିଟିର ଆୟୁଷ ରେଡିୟମ ଫ୍ଲାଟ୍‌ ନମ୍ବର ୪୦୧ରେ ବେକରେ ଶାଢ଼ି ଦେଇ ଆନନ୍ଦ ଆତ୍ମହତ୍ୟା କରିଥିବା ବୀରେନ୍ଦ୍ର ମୃତକଙ୍କ ବାପାଙ୍କୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ । ମୃତକଙ୍କ ବେକରେ ୨ଟି ଦାଗ ରହିଥିଲା । ୧୦ ଦିନ ପୂର୍ବରୁ ଆନନ୍ଦ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.