ସତ ହୋଇଗଲା ଥଟ୍ଟା ପରିହାସ, ପନ୍ତ କୋଳେଇଲେ ପାଇନ୍ଙ୍କ ପିଲାକୁ

ସିଡନୀ : ବେଳବେଳେ ଜୀବନରେ ଏମିତି ସବୁ ଘଟଣା ଘଟେ ଯାହା ଆପଣ କଳ୍ପନା ବି କରି ନଥିବେ । ସେମିତି ଏକ ଘଟଣା ଭାରତ-ଅଷ୍ଟ୍ରେଲିଆ ସିରିଜ୍ ବେଳେ ଘଟିଛି । ଆପଣମାନଙ୍କର ମନେ ଥିବ ନିକଟରେ ଭାରତ ଜିତିଥିବା ମେଲବର୍ଣ୍ଣ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ଭାରତ ବ୍ୟାଟିଂ କରୁଥିବା ବେଳେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଟିମ୍ ପାଇନ୍ ଭାରତୀୟ ଓ୍ଵିକେଟ୍କିପର ୠଷଭ ପନ୍ତଙ୍କୁ ସ୍ଲେଜିଂ କରିଥିଲେ । ପନ୍ତ ବ୍ୟାଟିଂ କଲା ବେଳକୁ ଭାରତର ସ୍କୋର ଥିଲା ୫ ଓ୍ଵିକେଟ୍ରେ ୪୭ ରନ୍ । ଏହି ସମୟରେ ପନ୍ତଙ୍କ ଉପରେ ଚାପ ପକାଇବା ପାଇଁ କହିଥିଲେ ‘‘ଏମ୍ଏସ୍ ଧୋନି ଦିନିକିଆ ଟିମ୍କୁ ଆସିଗଲେଣି । କାରଣ ଭାରତୀୟ ଦଳରେ ଜଣେ ବ୍ୟାଟ୍ସମ୍ୟାନ୍ ଦରକାର । ଅଷ୍ଟ୍ରେଲିଆରେ ବହୁତ ଭଲ ଭଲ ଦର୍ଶନୀୟ ସ୍ଥାନ ରହିଛି । ତୁମେ ଏଠି ରହି ଛୁଟି କଟାଇ ପାରିବ । ତୁମେ ଟିକେ ମୋ ପିଲାକୁ ସମ୍ଭାଳି ପାରିବ କି ? ତାହେଲେ ମୁଁ ମୋ ପତ୍ନୀଙ୍କୁ ନେଇ ସିନେମା ଦେଖିବାକୁ ଯାଇଥାନ୍ତି ?’’ । ଏହାର ଉତ୍ତରରେ ପନ୍ତ ଏତିକି କହିଥିଲେ ‘‘ତୁମେ ଅଷ୍ଟ୍ରେଲିଆ ଟିମ୍ର ଟେମ୍ପରାରୀ’’ ।
ତେବେ ପାଇନ୍ ଯେଉଁ କଥାଟି ଥଟ୍ଟା ପରିହାସରେ କହିଥିଲେ ସେକଥାଟି ସତ ହୋଇଯାଇଛି । କଥା ହେଉଛି, ଆଜି ସିଡନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳକୁ ତାଙ୍କ ବାସଭବନରେ ଭେଟିଥିଲେ । ଏହି ସମୟରେ ସତରେ ପାଇନ୍ଙ୍କ ପତ୍ନୀ ବନ୍ନି ପନ୍ତଙ୍କ କୋଳରେ ଦୁଇ ପିଲାଙ୍କୁ ଧରାଇ ଦେଇଥିଲେ । ପରେ ବନ୍ନି ସେହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିରେ ଲେଖିଛନ୍ତି ‘ବେଷ୍ଟ ବେବି ସିଟର @ ୠଷଭ ପନ୍ତ’ । ପନ୍ତ ମଧ୍ୟ ଭାରି ଖୁସିରେ ପାଇନ୍ଙ୍କ ପିଲାକୁ ଧରିଥିବା ଫଟୋରେ ଦେଖା ଯାଇଛି ।
ଆସନ୍ତା ୩ ତାରିଖରୁ ସିଡନୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ଖେଳାଯିବ ।