ତୃତୀୟ ଟେଷ୍ଟ : ରୋହିତଙ୍କ ନିଷ୍ପତ୍ତି ଭୁଲ ହେଲା, ଅଷ୍ଟ୍ରେଲିଆ ସ୍ପିନର ୧୦୯ ରନ୍‌ରେ ଆଉଟ୍‌ କରି ଦେଲେ ଟିମ୍‌ ଇଣ୍ଡିଆକୁ

ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୧୦୯ ରନରେ ଅଲଆଉଟ୍‌ । ଅଷ୍ଟ୍ରେଲିଆ ବୋଲିଂ ଆଗରେ ଧରାଶାୟୀ ଭାରତୀୟ ବ୍ୟାଟର । ଅଷ୍ଟ୍ରେଲିଆ ଟିମର କୁହ୍ନେମ୍ୟାନ୍‌ ୫ ଓ୍ଵିକେଟ ନେଇ ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି ।

ଆଜିଠାରୁ ଇନ୍ଦୋରରେ ଆରମ୍ଭ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୧୦୯ ରନରେ ଅଲଆଉଟ୍‌ ହୋଇଛି। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ହେଲେ ଅଷ୍ଟ୍ରେଲିଆ ଟିମର କୁହ୍ନେମ୍ୟାନ୍‌ ୫ ଓ୍ଵିକେଟ ନେଇ ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ଟିମ୍‌ ଇଣ୍ଡିଆର କୌଣସି ବ୍ୟାଟସମ୍ୟାନ ୩୦ ରନ୍‌ କରିପାରିନାହାନ୍ତି ।

ପରେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍‌ରେ ୧୫୬ ରନ୍‌ କରିଛି । ଉସମାନ ଖ୍ଵାଜା ୬୦ ଏବଂ ଲାବୁସେନ୍‌ ୩୧ ରନ୍‌ କରିଛନ୍ତି । କଙ୍ଗାରୁ ଦଳ ଭାରତ ଠାରୁ ୪୭ ରନ୍‌ରେ ଆଗୁଆ ଅଛି । ଅଷ୍ଟ୍ରେଲିଆର ପଡ଼ିଥିବା ୪ଟି ଯାକ ଓ୍ଵିକେଟ୍‌ ରବୀନ୍ଦ୍ର ଜାଡେଜା ନେଇଛନ୍ତି ।

ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲା ଭାରତ । ରୋହିତ ଶର୍ମା ଏବଂ ଶୁଭମନ ଗିଲ୍‌ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ବେଳେ କୁହ୍ନେମ୍ୟାନ୍‌ ଦୁହିଁଙ୍କ ଓ୍ଵିକେଟ ନେଇଥିଲେ । ରୋହିତ ୧୨ ଏବଂ ଶୁଭମନ ୨୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ । ବିରାଟ କୋହଲିଙ୍କୁ ଛାଡିଦେଲେ ଏହା ପରେ ଯେଉଁସବୁ ବ୍ୟାଟର ଆସିଥିଲେ, କେହି ବି ୨୦ ରନ୍‌ ପର୍ଯ୍ୟନ୍ତ କରିପାରିନଥିଲେ । ବିରାଟ କୋହଲି ମଧ୍ୟ ମାତ୍ର ୨୨ ରନ୍‌ କରି ଆଉଟ୍‌ ହୋଇଥିଲେ ।

ଭାରତ ମାତ୍ର ୩୩ ଓଭର ଖେଳି ସମସ୍ତ ଓ୍ଵିକେଟ ହରାଇଥିଲା । ପୂଜାରା ୧ ରନ, ରବିନ୍ଦ୍ର ଜାଡେଜା ୪, ଶ୍ରେୟସ ଆୟର ୦, କେଏସ ଭରତ ୧୭, ଅକ୍ଷର ପଟେଲ ୧୨, ଅଶ୍ୱିନ ୩, ଉମେଶ ଯାଦବ ୧୭ ରନ୍‌ କରି ଆଉଟ୍‌ ହୋଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ କୁହ୍ନେମ୍ୟାନ ୫ଟି, ଲେଏନ ୩ଟି, ମୁର୍ଫି ଗୋଟିଏ ଓ୍ଵିକେଟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.