ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ ଆସନ୍ତାକାଲି ଠାରୁ, କୋହଲି କହିଲେ ଜଗି ରଖି ଖେଳିବୁ

ବିଦର୍ଭ : ଟି-୨୦ରେ ଜୋରଦାର ଲଢ଼େଇ ପରେ ଏବେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ୍‌ । ଆସନ୍ତାକାଲି ଠାରୁ ଏଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ୍‌ । ବର୍ତ୍ତମାନ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ଦଳ ଦୁଇଟି ସିରିଜ୍‌ ଖେଳି ଦୁଇଟି ଯାକ ଜିତି ସାରିଛି । ସର୍ବାଧିକ ୨୪୦ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ତେଣୁ ବାଂଲାଦେଶ ବିପକ୍ଷରେ ମଧ୍ୟ ଦୁଇଟି ଟେଷ୍ଟ ଜିତି କୋହଲିଙ୍କ ଟିମ୍‌ ସଫଳତା ବଜାୟ ରଖିବା ଲକ୍ଷ୍ୟରେ ରହିଛି ।

KOHLI

ମୁକାବିଲା କିଭଳି ରହିବ

ତେବେ େଓ୍ଵଷ୍ଟଇଣ୍ଡିଜ୍‌ରେ ଇଣ୍ଡିଜ୍‌କୁ ଏବଂ ନିଜ ମାଟିରେ ଦକ୍ଷିଣ ଆଫ୍ରିକାକୁ ଶୋଚନୀୟ ଭାବେ ହରାଇବା ପରେ ବାଂଲାଦେଶ ବିରୋଧରେ କିଭଳି ରଣନୀତି ପ୍ରସ୍ତୁତ କରାଯାଇଛି ସେକଥା ଖେଳ ବେଳେ ହିଁ ଜଣାପଡ଼ିବ । କାରଣ ଟି-୨୦ ଭଳି ଟେଷ୍ଟରେ ମଧ୍ୟ ବାଂଲାଦେଶ ଭଲ ମୁକାବିଲା ଦେବାକୁ ପୂରା ପ୍ରସ୍ତୁତ ହୋଇଛି । ଏହାର ସ୍ପିନର ଭାରତ ପାଇଁ ସମସ୍ୟା ସୃଷ୍ଟି କରି ପାରନ୍ତି । ମେହେଦି ହାସାନ ଏବଂ ତାଜଉଲ୍‌ ଇସଲାମ ଭାରତର ସ୍ପିନ୍‌ ପିଚ୍‌ରୁ ଫାଇଦା ଉଠାଇ ପାରନ୍ତି । ଅବଶ୍ୟ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସୂଚନା ଅନୁସାରେ ସେମାନେ ଦକ୍ଷିଣ ଆଫ୍ରିକା ବିପକ୍ଷ ରଣନୀତି ଭଳି ୩ ପେସ୍‌ ବୋଲର୍‌ ଓ ୨ ସ୍ପିନର୍‌ ଖେଳାଇବେ ।

ପୂଜାରାଙ୍କ ଉପରେ ନଜର

ସେପଟେ ଚେତେଶ୍ୱର ପୂଜାରାଙ୍କ ଉପରେ ରହିବ ଚୟନକର୍ତ୍ତାଙ୍କ ନଜର । ଏଥର ତାଙ୍କୁ ଯେମିତି ହେଉ ଶତକ ହାସଲ କରିବାକୁ ହେବ । ନଚେତ ତାଙ୍କ ଉପରେ ଖଣ୍ଡା ଝୁଲୁଛି ଓ ସେ ବିଦା ହେବେ । କାରଣ ଗତ ୫ଟି ଟେଷ୍ଟରେ ପୂଜାରା ମାତ୍ର ୨୦୫ ରନ୍‌ ସ୍କୋର କରିଛନ୍ତି ।

ଇନ୍ଦୋର ପିଚ୍‌ କେମିତି ?

ଇନ୍ଦୋର ପିଚ୍‌ ବ୍ୟାଟ୍ସମ୍ୟାନ୍‌ଙ୍କୁ ସୁହାଇବ । ଏଥିରେ ଭଲ ଷ୍ଟ୍ରୋକ୍‌ ଖେଳି ହେବ । ତେବେ ପିଚ୍‌ରେ ଅଳ୍ପ ଘାସ ଥିବାରୁ ପ୍ରଥମରୁ ଏହା ପେସ୍‌ ବୋଲର୍‌ଙ୍କୁ ଓ୍ଵିକେଟ୍‌ ନେବାରେ ସହାୟକ ହେବ । ଏଠାକାର ହୋଲକାର ଷ୍ଟାଡିୟମ୍‌ରେ ଏପର୍ଯ୍ୟନ୍ତ ଗୋଟିଏ ମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳା ଯାଇଛି । ୨୦୧୬ରେ ନ୍ୟୁଜିଲାଣ୍ଡ ଦଳକୁ ଭାରତ ଏଠାରେ ୩୨୧ ରନ୍‌ର ବଡ଼ ବ୍ୟବଧାନରେ ହରାଇ ୩-୦ରେ ସିରିଜ୍‌ ବିଜୟୀ ହୋଇଥିଲା । ସ୍ପିନର ଆର୍‌. ଅଶ୍ୱିନ୍‌ ୧୪୦ ରନ୍‌ ଦେଇ ମୋଟ୍‌ ୧୩ଟି ଓ୍ଵିକେଟ୍‌ ନେବା ସହ ‘ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌’ ପୁରସ୍କାର ଜିତିଥିଲେ ।

ନୂଆ ଖେଳାଳି ସଇଫଙ୍କୁ ସୁଯୋଗ ମିଳିପାରେ

ବାଂଲାଦେଶ ଏହି ମ୍ୟାଚ୍‌ରେ ୨୧ ବର୍ଷୀୟ ଯୁବ ଓପ୍ନର ସଇଫ ହାସାନଙ୍କୁ ଖେଳାଇବାର ସମ୍ଭାବନା ଅଧିକ ରହିଛି । ସେ ୩୭ଟି ଘରୋଇ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ୨୨୪୫ ରନ୍‌ ସ୍କୋର କରିଛନ୍ତି । ମଧ୍ୟଭାଗ ବ୍ୟାଟ୍‌ସମ୍ୟାନ୍‌ ମୋସାଦେକ ହୋସେନ ଗସ୍ତ ଅଧାରୁ ଦେଶକୁ ଫେରି ଯାଇଛନ୍ତି । କିଛି ପାରିବାରିକ ସମସ୍ୟା ଯୋଗୁଁ ସେ ଓହରି ଯାଇଛନ୍ତି । ଯଦି ସଇଫ ନଖେଳନ୍ତି ତେବେ ଆଉ ଜଣେ ଯୁବ ଖେଳାଳି ଇମରୁଲ କେୟସ ଦଳରେ ସାମିଲ ହୋଇ ପାରନ୍ତି । କେହିବି ଖେଳିଲେ ଏହା ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍‌ ହେବ ।

ଦୁଇ ଅଧିନାୟକ କଣ କହିଲେ

କୋହଲି କହିଛନ୍ତି, ଭାରତ ଓ ବାଂଲାଦେଶର ପିଚ୍‌ ପ୍ରାୟ ସମାନ । ତେଣୁ ଆମକୁ ନେଇ ସେମାନେ ନିଶ୍ଚିତ ଭାବେ କିଛି ନିର୍ଦ୍ଦିଷ୍ଟ ରଣନୀତି କରିଥିବେ । ତେଣୁ ଆମକୁ ସତର୍କ ହୋଇ ଖେଳିବାକୁ ପଡ଼ିବ। ସେପଟେ ବାଂଲାଦେଶ ଅଧିନାୟକ ମୋଇନ୍‌ ଉଲ୍‌ ହକ୍‌ କହିଛନ୍ତି ଆମେ ଏହି ଟେଷ୍ଟ ସିରିଜ୍‌ର କିଛି ବଡ଼ ସଫଳତା ଆଶା କରୁନାହୁଁ । ତଥାପି ଆମେ ଆମର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ପୂରା ଦମ୍‌ରେ ଚେଷ୍ଟା କରିବୁ ।

Leave A Reply

Your email address will not be published.