ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଠାରୁ ହାରିବାର ପ୍ରତିଶୋଧ ନେଲା ଭାରତ, ମୂଳପୋଛ କଲା ଟି-୨୦ ସିରିଜ୍‌

ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚକୁ ୭୩ ରନରେ ବାଜି ମାରିନେଇଛି। ଏହା ସହିତ ଟି-୨୦ ସିରିଜକୁ ମୂଳପୋଛ କରିଦେଇଛି ଟିମ୍‌ ଇଣ୍ଡିଆ। ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅତି ଖରାପ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ। ଫଳରେ ଭାରତର ବିଶ୍ୱକପ୍‌ ସ୍ୱପ୍ନ ଅଧାରେ ରହିଯାଇଥିଲା। କିନ୍ତୁ ଏବେ ରୋହିତଙ୍କ ବାହିନୀ ଭାରତରେ ଚାଲିଥିବା ଟି-୨୦ ସିରିଜକୁ ମୂଳପୋଛ କରିନେଇଛି। ପ୍ରଥମ ଟି-୨୦ କ୍ୟାପଟେନ ରୋହିତ ଓ ପ୍ରଥମ ମୁଖ୍ୟ କୋଚ୍ ଦ୍ରାବିଡ଼ଙ୍କ ତତ୍ତ୍ୱାବଧାନରେ ଟିମ୍‌ ସିରିଜକୁ ପୋଛି ନେଇଛି।

କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ବି ନ୍ୟୁଜିଲ୍ୟାଣ୍ଡକୁ ହରାଇ ବିଜୟ ହୋଇଛି ଭାରତ। ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବଳରେ ୧୮୪ ରନ୍‌ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ୧୭.୨ ଓଭର୍‌ରେ ଖେଳି ମାତ୍ର ୧୧୧ ରନ୍‌ କରି ଅଲ୍‌ ଆଉଟ ହୋଇଯାଇଥିଲା।

ଭାରତ ଦେଇଥିବା ୧୮୫ ରନ୍‌ର ଟାର୍ଗେଟ ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଦେଖିଥିଲା। ୨ ଓଭର୍‌ରେ ରନ୍‌ ଦଳ ୨୨ ରନ୍‌ ହାସଲ କରିଥିବା ବେଳେ ତୃତୀୟ ଓଭର୍‌ ବୋଲିଂ କରିବାକୁ ଆସିଥିବା ଅକ୍ଷର ପଟେଲ ନ୍ୟୁଜିଲାଣ୍ଡ ଟିମ୍‌କୁ ପ୍ରଥମ ଝଟକା ଦେଇଥିଲେ।

ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ୨ଟି ୱିକେଟ ନେଇଛନ୍ତି। ସେହିପରି ଭେଙ୍କଟେଶ ଆୟର, ଦୀପକ ଚହର ଓ ୟୁଜଭେନ୍ଦର ଚହଲ ଗୋଟିଏ ଲେଖାଓ ୱିକେଟ ହାସଲ କରିଛନ୍ତି।

ଟି-୨୦ ସିରିଜରେ ୧୫୯ ରନ କରି ମ୍ୟାନ ଅଫ ଦ ସିରିଜ ହୋଇଥିଲେ ରୋହିତ। ରୋହିତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ଠିକ୍‌ ରହିଥିଲା। ରୋହିତ ଲଗାତାର ୩ଟି ଯାକ ମ୍ୟାଚରେ ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହା ତାଙ୍କ ଟିମ୍‌ ପାଇଁ ଫଳପ୍ରଦ ହୋଇଥିଲା। ପ୍ରଥମ ମ୍ୟାଚ ଜୟପୁର ଏବଂ ଦ୍ୱିତୀୟ ମ୍ୟାଚ ରାଞ୍ଚି ଏବଂ ତୃତୀୟ ମ୍ୟାଚ କୋଲକତାରେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.