ଶେଷ ଭାଗରେ ବୁମରା ଓ ବିଜୟଙ୍କ କମାଲ୍, ଦ୍ୱିତୀୟ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ

ନାଗପୁର : ଦ୍ୱିତୀୟ ଦିନିକିଆରେ ରୋମାଞ୍ଚ, ଉତ୍କଣ୍ଠା ସବୁ ଶେଷ ଓଭରରେ ଥିଲା । ତେବେ ଚମତ୍କାର ପ୍ରଦର୍ଶନ କରି ଭାରତ ୮ ରନ୍ରେ ବିଜୟୀ ହୋଇଛି । ଏହି ବିଜୟ ସହ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ସିରିଜ୍ରେ ଭାରତୀୟ ଦଳ ୨-୦ରେ ଆଗୁଆ ରହିଛି । ୨୫୧ ରନ୍ର ବିଜୟଲକ୍ଷ୍ୟ ନେଇ ଖେଳିଥିବା ଅଷ୍ଟ୍ରେଲିଆ ଆଉ ୩ଟି ବଲ୍ ବାକି ଥାଇ ୨୪୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ବିଜୟ ଶଙ୍କର ୪୬ ରନ୍ କରିବା ସହ ୨ଟି ଓ୍ଵିକେଟ୍ ନେଇଛନ୍ତି ।
ଅଷ୍ଟ୍ରେଲିଆ ପକ୍ଷରୁ ଓପ୍ନିଂ ଯୋଡ଼ିରେ ଅଧିନାୟକ ଆରୋନ୍ ଫିଞ୍ଚ ଓ ଉସମାନ ଖ୍ଵାଜା ୮୩ ରନ୍ ସଂଗ୍ରହ କରି ଭଲ ମୂଳଦୁଆ ପକାଇଥିଲେ । ପରେ ହ୍ୟାଣ୍ଡସ୍କମ୍ବ ଦଳକୁ ଆଗେଇ ନେଇଥିଲେ । ଦୀର୍ଘ ଦିନ ପରେ ଅପେକ୍ଷାକୃତ ଏକ ଭଲ ଇନିଂସ୍ ଖେଳି ଫିଞ୍ଚ ୫୩ ବଲ୍ରୁ ୩୭ ରନ୍ (୫ ଚୌକା, ୧ ଛକା) ଏବଂ ଖ୍ଵାଜା ୩୮ ରନ୍ (୬ ଚୌକା) କରିଥିଲେ । ହ୍ୟାଣ୍ଡସ୍କମ୍ବ ୫୯ ବଲ୍ରୁ ୪୮ ରନ୍ କରିଥିଲେ । ତାଙ୍କ ପରେ ଷ୍ଟୋଇନିସ୍ ଓ କାରେ (୨୨) ପାଳି ସମ୍ଭାଳି ଥିଲେ । ଏହି ସମୟରେ ଲାଗୁଥିଲା ଅଷ୍ଟ୍ରେଲିଆ ମ୍ୟାଚ୍ ଜିତି ଯାଇ ପାରେ । ତେବେ ୪୬ତମ ଓଭରରେ ବୁମ୍ ବୁମ୍ ବୁମରା କମାଲ୍ ଦେଖାଇଲେ । କୋଲଟିୟର ନିଲ୍ ଓ କମିନ୍ସଙ୍କୁ ଆଉଟ୍ କରି ପୁଣି ଭାରତକୁ ଟ୍ରାକ୍କୁ ଫେରାଇ ଆଣିଥିଲେ ।
ଏହା ପରେ ଶେଷ ପର୍ଯ୍ୟନ୍ତ ଖୁବ୍ ଲଢ଼େଇ ହୋଇଥିଲା । ଜିତିବା ପାଇଁ ଶେଷ ଓଭରରେ ଅଷ୍ଟ୍ରେଲିଆକୁ ୧୧ ରନ୍ ଦରକାର ହେଉଥିଲା । ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ବିଜୟ ଶଙ୍କର । ପ୍ରଥମ ବଲ୍ରେ ଫର୍ମରେ ଥିବା ଷ୍ଟୋଇନିସ୍ଙ୍କୁ ଏଲ୍ବିଡବଲ୍ୟୁ କରି ଦଳ ପାଇଁ ସବୁଠାରୁ ବଡ଼ ସଫଳତା ଆଣି ଦେଇଥିଲେ । ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ଆସିଥିଲେ ଆଡାମ ଜାମ୍ପା । ତାଙ୍କୁ ତୃତୀୟ ବଲ୍ରେ କ୍ଲିନ୍ ବୋଲ୍ଡ କରି ବିଜୟ ଭାରତକୁ ବିଜୟୀ କରାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟୋଇନିସ୍ ସର୍ବାଧିକ ୫୨ ରନ୍ (୪ ଚୌକା, ୧ ଛକା) କରିଥିଲେ । ବିରାଟ କୋହଲି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଧିନାୟକ ବିରାଟ କୋହଲିଙ୍କ ୪୦ତମ ଦିନିକିଆ ଶତକ (୧୧୬ ରନ୍) ସହାୟତାରେ ୨୫୦ ରନ୍ କରି ଅଲ୍ଆଉଟ୍ ହୋଇଯାଇ ଥିଲା । ଏହି ଇନିଂସ୍ ବେଳେ କୋହଲି ଦିନିକିଆରେ ୯୦୦୦ ରନ୍ ପୂରଣ କରିଛନ୍ତି । ଏହା କରିବାରେ ସେ ହେଉଛନ୍ତି ଦ୍ରୁତତମ ଖେଳାଳି ।
ସ୍କୋର : ଭାରତ-୨୫୦, ୪୮.୨ ଓଭର (ଧବନ୍ ୨୧, କୋହଲି ୧୧୬, ରାୟୁଡୁ ୧୮, ବିଜୟ ଶଙ୍କର ୪୬, ଜାଡେଜା ୨୧ା କମିନ୍ସ ୯-୨-୨୯-୪, ଜାମ୍ପା ୧୦-୦-୬୨-୨) ।
ଅଷ୍ଟ୍ରେଲିଆ- (ଫିଞ୍ଚ୍ ୩୭, ଖ୍ଵାଜା ୩୮, ସନ୍ ମାର୍ଶ ୧୬, ହାଣ୍ଡସ୍କମ୍ବ ୪୮, ମାକ୍ସେଓ୍ଵଲ୍ ୪, ଷ୍ଟୋଇନିସ୍
କାରେ ୨୨, କଲଟିୟର ନିଲ୍ ୪, କମିନ୍ସ ୦, ଲିୟନ୍ ଅପରାଜିତ ୬, ଜାମ୍ପା ୨ । ବୁମରା ୨/୨୯, ଜାଡେଜା ୧/୪୮, କୁଲଦୀପ ଯାଦବ ୩/୫୪, ବିଜୟ ଶଙ୍କର ୨/୧୫)
👏👏👏#INDvAUS pic.twitter.com/OTkDUVG25u
— BCCI (@BCCI) 5 March 2019