ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ୍‌ରେ ଓଡ଼ିଶା ଭେଟିବ ବେଙ୍ଗଲକୁ, ୨୦ରୁ ଲଢ଼େଇ

ଭୁବନେଶ୍ୱର (କେ ନ୍ୟୁଜ୍‌) : ତିନିଟି ସିଜିନ୍‌ ପରେ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିବା ଓଡ଼ିଶା କ୍ରିକେଟ୍‌ ଦଳକୁ ପୁରସ୍କୃତ କରିବାକୁ ଘୋଷଣା କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ । ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୫୦ ହଜାର ଲେଖାଏଁ ଅର୍ଥରାଶି ମିଳିବ । ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ଘୋଷଣା କରିଛନ୍ତି । ଏହା ପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ଲଗାତର ୩ଟି ବୋନସ୍‌ ପଏଣ୍ଟ ପାଇଥିବା ହେତୁ ଦଳକୁ ଓସିଏ ତରଫରୁ ସାଢ଼େ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିଲା ।
ଆସନ୍ତା ୨୦ ତାରିଖରେ ଓଡ଼ିଶା ଦଳ କ୍ୱାର୍ଟରଫାଇନାଲ୍‌ରେ ବେଙ୍ଗଲକୁ ଭେଟିବ । ଏହି ମ୍ୟାଚ୍‌ କଟକ ଡ୍ରିମ୍‌ସ ପଡ଼ିଆରେ ଖେଳାଯିବ । ଗତକାଲି ଲିଗ୍‌ ପର୍ଯ୍ୟାୟରେ ତାର ଶେଷ ମ୍ୟାଚ୍‌କୁ ଝାଡ଼ଖଣ୍ଡ ସହ ଡ୍ର ରଖିଥିଲେ ମଧ୍ୟ ପ୍ରଥମ ଇନିଂସ୍‌ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ଦଳ ୩ ପଏଣ୍ଟ ହାସଲ କରିଥିଲା । ଫଳରେ ଏଲିଟ୍‌ ଗ୍ରୁପ୍‌ ‘ସି’ରେ ଦଳ ଜମ୍ମୁ କଶ୍ମୀର (୩୯ ପଏଣ୍ଟ) ଠାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ରହି ଦ୍ୱିତୀୟ ସ୍ଥାନ ହାସଲ କରିଥିଲା । ଗ୍ରୁପ୍‌ ପ୍ରଥମ ଦୁଇ ଶ୍ରେଷ୍ଠ ଦଳ ଭାବେ ଜମ୍ମୁ କଶ୍ମୀର ଏବଂ ଓଡ଼ିଶା କ୍ୱାର୍ଟର ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ ।

ଦେବାଶିଷ ଓ ସୂର୍ଯ୍ୟକାନ୍ତଙ୍କ କମାଲ

ଏଥର ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା ପକ୍ଷରୁ ବ୍ୟାଟ୍ସମ୍ୟାନ୍‌ ଦେବାଶିଷ ସାମନ୍ତରାୟ ମୋଟ୍‌ ୭ଟି ମ୍ୟାଚ୍‌ ଖେଳି ସର୍ବାଧିକ ୪୬୭ ରନ୍‌ ସ୍କୋର କରିଛନ୍ତି । ଏଥିରେ ରହିଛି ଦୁଇଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ । ତାଙ୍କ ପରେ ଦ୍ୱିତୀୟରେ ଅଛନ୍ତି ଓପ୍ନର ଶାନ୍ତନୁ ମିଶ୍ର । ସେ ୮ଟି ମ୍ୟାଚ୍‌ ଖେଳି ୨ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ସହିତ ୪୬୪ ରନ୍‌ କରିଛନ୍ତି । ସେହିପରି ବୋଲର୍‌ମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ସୂର୍ଯ୍ୟକାନ୍ତ ପ୍ରଧାନ । ସେ ୯ଟି ମ୍ୟାଚ୍‌ ଖେଳି ମୋଟ୍‌ ୩୫ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି । ତାଙ୍କ ପଛକୁ ଥିବା ରାଜେଶ ମହାନ୍ତି ୮ଟି ମ୍ୟାଚ୍‌ରୁ ୩୨ଟି ଏବଂ ଭେଟେରାନ୍‌ ବସନ୍ତ ମହାନ୍ତି ୮ଟି ମ୍ୟାଚ୍‌ରୁ ୩୦ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି । ତେବେ ବୋଲର୍‌ ସୂର୍ଯ୍ୟକାନ୍ତ ପ୍ରଧାନ ବ୍ୟାଟିଂରେ ମଧ୍ୟ କମାଲ କରିଛନ୍ତି । ସେ ୯ଟି ମ୍ୟାଚ୍‌ରେ ୨୪୪ ରନ୍‌ ସ୍କୋର କରିଛନ୍ତି । ଏଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି । ସର୍ବାଧିକ ଛକା ମଧ୍ୟ ତାଙ୍କରି ନାଁରେ ରହିଛି । ସେ ମୋଟ୍‌ ୧୫ଟି ଛକା ମାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.