Below header

ହକି ଖେଳାଳି ଅମିତ ରୋହିଦାସ ଓ ବକ୍ସିଂ କୋଚ୍‌ ବ୍ରଜ ଭୂଷଣଙ୍କୁ ଓସ୍‌ଜା ପୁରସ୍କାର ପ୍ରଦାନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାର ଯୁବ ହକି ଖେଳାଳି ଅମିତ ରୋହିଦାସ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ବକ୍ସିଂ କୋଚ୍‌ ବ୍ରଜ ଭୂଷଣ ମହାନ୍ତିଙ୍କୁ ଆଜି ଓସଜା କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସଜା) ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ବାର୍ଷିକ ଉତ୍ସବରେ ଏହି ଦୁଇ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ପୁରସ୍କୃତ କରାଯାଇଛି । ୨୦୧୮ ବର୍ଷ ପାଇଁ ଅମିତଙ୍କୁ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଏବଂ ବ୍ରଜ ଭୂଷଣଙ୍କୁ ଜୀବନ ବ୍ୟାପି ଅବଦାନ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି ।
ଓସ୍‍ଜାର କାର୍ଯ୍ୟନିର୍ବାହୀ ସଭାପତି ସନ୍ଦୀପ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା କ୍ରୀଡ଼ାର ଇତିହାସ ରଚନାକାରୀ ଖେଳାଳି ଦେବାଶିଷ ମହାନ୍ତି ଏବଂ ଇମ୍ଫାର କର୍ପୋରେଟ ଆଫାୟର୍ସ ମୁଖ୍ୟ ତଥା ଉପସଭାପତି ଅଶୋକ କୁମାର ବେହେରା ଅତିଥି ଭାବରେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ଖେଳର ପ୍ରସାରରେ କ୍ରୀଡ଼ା ସାମ୍ବାଦିକମାନଙ୍କର ଗୁରୁତ୍ୱ ବିଷୟ ବର୍ଣ୍ଣନା କରିବା ସାଙ୍ଗକୁ ରାଜ୍ୟରେ ଚାଲିଥିବା ଖେଳ ବିକାଶ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଥିଲେ । ଏହା ସହିତ ପାରମ୍ପରିକ ଖେଳ ତଥା ଗ୍ରାମାଞ୍ଚଳର କ୍ରୀଡ଼ାକୁ ଗୁରୁତ୍ୱ ଦେବା ସରକାରଙ୍କ ଲକ୍ଷ୍ୟ ବୋଲି କହିଥିଲେ । ହକିର ଗଡ ସୁନ୍ଦରଗଡରେ ହକି ତାଲିମଙ୍କୁ ଅଧିକ ବ୍ୟାପ୍ତ କରିବା ପାଇଁ ଜିଲାର ୧୭ଟି ବ୍ଲକ୍‌ରେ ଆଷ୍ଟ୍ରୋଟର୍ଫ ପଡିଆ କରିବାକୁ ନିଷ୍ପତ୍ତି ହୋଇଥିବା ସେ କହିଥିଲେ । ସେହିପରି ୩୦ଟି ଜିଲା ମୁଖ୍ୟାଳୟର ଷ୍ଟାଡିୟମ ଗୁଡିକୁ ଉନ୍ନତ କରିବା ଏବଂ
ଭୁବନେଶ୍ୱର ସହ ରାଜ୍ୟର ଅନ୍ୟ ୪ଟି ସହରରେ କ୍ରୀଡ଼ାକେନ୍ଦ୍ର ସ୍ଥାପନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ । ଆସନ୍ତା ନଭେମ୍ବର-ଡିସେମ୍ବରରେ ରାଜ୍ୟର କ୍ରୀଡ଼ା ଶିକ୍ଷକମାନଙ୍କ ଲାଗି ଏକ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା ହେଉଥିବା ସୂଚନା ଦେଇଥିଲେ ।
ଦେବାଶିଷ ମହାନ୍ତି ଏବଂ ଅଶୋକ କୁମାର ବେହେରା ନିଜ ନିଜ ବକ୍ତବ୍ୟରେ କ୍ରୀଡ଼ାବିତ୍‍ଙ୍କ ଜୀବନରେ ପୁରସ୍କାର ମହତ୍ତ୍ୱ ବିଷୟ କହିବା ସହ ଓସ୍‍ଜାର ପ୍ରୟାସକୁ ପ୍ରଶଂସା କରିଥିଲେ । ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ଶାଖା ଭାବେ କାର୍ଯ୍ୟ କରୁଥିବା ଓସଜା ତରଫରୁ ଗତ ୨୦୧୭ରୁ ଏହି ଦୁଇ ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ଉଭୟ ପୁରସ୍କାର ବାବଦରେ ମାନପତ୍ର ସହିତ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.