୬୬ ରନ୍‌ କରିବା ପରେ ବି ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଲେ ପୃଥ୍ଵୀ ସ, କାହିଁକି ? ପଢନ୍ତୁ ଏହି ରିପୋର୍ଟ

ସିଡନୀ : ପ୍ରଥମ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା । ଦମଦାର ଫର୍ମରେ ଥିବା ଯୁବ ଓପ୍ନର ପୃଥ୍ଵୀ ସ ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି । କ୍ରିକେଟ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଚାଲିଥିବା ଚାରି ଦିନିଆ ଅଭ୍ୟାସ ମ୍ୟାଚ୍‌ ବେଳେ ଆଜି ପୃଥ୍ଵୀ ଆହତ ହୋଇଥିଲେ । ଫିଲଡିଂ କଲା ବେଳେ ତାଙ୍କ ବାମ ଗୋଇଠି ମକଚି ହୋଇଯାଇଛି । ସ୍କାନିଂ ପରେ ତାଙ୍କ ଲିଗାମେଣ୍ଟକୁ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଛି ।
ଆଜି ମ୍ୟାଚ୍‌ର ତୃତୀୟ ଦିନରେ ଡିପ୍‌-ମିଡଓ୍ଵିକେଟ୍‌ରେ ଫିଲଡିଂ କଲା ବେଳେ କ୍ରିକେଟ୍‌ ଅଷ୍ଟ୍ରେଲିଆର ଓପ୍ନର ମାକ୍ସ ବ୍ରାଏଣ୍ଟଙ୍କ କ୍ୟାଚ୍‌ ଠିକ୍‌ ବାଉଣ୍ଡାରୀ ନିକଟରେ ଧରିବାକୁ ଚେଷ୍ଟା କରିଥିଲେ । ତେବେ ଏତିକି ବେଳେ ତାଙ୍କ ଗୋଇଠି ମକଚି ହୋଇଯାଇଥିଲା । ତାଙ୍କ ପାଦରେ ଏତେ ଯନ୍ତ୍ରଣା ହୋଇଥିଲା ଯେ ସେ ଚାଲି ପାରି ନଥିଲେ । ତାଙ୍କୁ ଫିଜିଓ ଏବଂ ଅନ୍ୟଜଣଙ୍କ ସହାୟତାରେ ପଡ଼ିଆରୁ ଟେକି ଟେକି ଆଣିବାକୁ ପଡ଼ିଥିଲା । ପ୍ରଥମ ଇନିଂସ୍‌ରେ ପୃଥ୍ଵୀ ସ ସର୍ବାଧିକ ୬୬ ରନ୍‌ ସ୍କୋର କରିଥିଲେ ।


ଆଡିଲେଡ୍‌ରେ ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟରୁ ପୃଥ୍ଵୀ ବାଦ୍‌ ପଡ଼ିଥିବା ବେଳେ ଦଳରେ ତାଙ୍କ ଜାଗାରେ କେ.ଏଲ୍‌ ରାହୁଲ କିମ୍ବା ମୁରଲୀ ବିଜୟଙ୍କୁ ସାମିଲ କରାଯିବ ବୋଲି ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର କହିଛନ୍ତି । ଯଦି ଅଧିକ ଦିନ ପାଇଁ ପୃଥ୍ଵୀଙ୍କୁ ବିଦା ହେବାକୁ ପଡ଼େ ତେବେ ଦଳ ବାହାରେ ଥିବା ଶିଖର ଧବନ ଓ ମୟଙ୍କ ଅଗ୍ରଓ୍ଵାଲଙ୍କ କଥା ମଧ୍ୟ ଚିନ୍ତା କରାଯାଇ ପାରେ ।

କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ୩୫୬/୬

ସେପଟେ ଅଭ୍ୟାସ ମ୍ୟାଚ୍‌ର ଆଜି ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ୬ ଓ୍ଵିକେଟ୍‌ରେ ୩୫୬ ରନ୍‌ କରିଛି । ଦୁଇ ଓପ୍ନର ଡି.ଏ. ସର୍ଟ ଓ ମାକ୍ସ ବ୍ରାଏଣ୍ଟଙ୍କ ସମେତ ହ୍ୟାରି ନିଲସେନ ଓ ଆରୋନ୍‌ ହାର୍ଡି ଅର୍ଦ୍ଧଶତକ ହାସଲ କରିଛନ୍ତି । ହାର୍ଡି ୬୯ ରନ୍‌ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ପେସ୍‌ ବୋଲର୍‌ ମହମ୍ମଦ ସାମିଙ୍କୁ ମିଳିଛି ୩ଟି ଓ୍ଵିକେଟ୍‌ ।
ପୂର୍ବରୁ ଭାରତୀୟ ଦଳ ପ୍ରଥମ ଇନିଂସ୍‌ରେ ୩୫୮ ରନ୍‌ କରିଥିଲା ।
ସ୍କୋର : ଭାରତ ପ୍ରଥମ ଇନିଂସ୍‌-୩୫୮ । କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ପ୍ରଥମ ଇନିଂସ୍‌-୩୫୬/୬

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.