ପିଟି ଉଷା ଏକାଡେମୀରେ ଚାଲିଛି ଅବୈଧ ନିର୍ମାଣ ଏବଂ ଗୁଣ୍ଡାଗର୍ଦ୍ଦି, ସାଂସଦ ହେବା ପରେ କରାଯାଉଛି ହଇରାଣ

ପ୍ରଖ୍ୟାତ ଆଥଲେଟ ତଥା ଭାରତୀୟ ଅଲିମ୍ପିକ ଆସୋସିଏସନର ଅଧ୍ୟକ୍ଷ ପିଟି ଉଷା ଆଣିଛନ୍ତି ସାଂଘାତିକ ଅଭିଯୋଗ । କେରଳର କୋଝିକୋଡି ଜିଲ୍ଲାର ବାଲୁସେରୀରେ ଥିବା ତାଙ୍କ ଆଥଲେଟ ଏକାଡେମୀରେ ଅବୈଧ ନିର୍ମାଣ ଓ ଗୁଣ୍ଡାଗର୍ଦ୍ଦି କରାଯାଉଛି। ଆଉ ଏହାକୁ ବିରୋଧ କରିବା ନେଇ ତାଙ୍କ ସହିତ ର୍ଦୁବ୍ୟବହାର କରାଯାଉଛି । ତେବେ ପୋଲିସ ନିକଟରେ ଅଭିଯୋଗ କରିବା ପରେ କାମକୁ ବନ୍ଦ କରିଦିଆଯାଇଛି ।

ଖବର ମୁତାବକ, କିଛି ଲୋକ ଉଷା ସ୍କୁଲ ଅଫ୍‌ ଆଥଲେଟିକ୍ସର କମ୍ପାଉଣ୍ଡରେ ପଶି ଅବୈଧ ନିର୍ମାଣ କାର୍ଯ୍ୟ କରିଥିଲେ । ଏକାଡେମୀ ତରଫରୁ ଏହାକୁ ବିରୋଧ କରାଯାଇଥିଲା ବୋଲି ତାଙ୍କୁ ର୍ଦୁବ୍ୟବହାର କରିଥିଲେ । ତେଣୁ ଏଠାରେ ଗୁଣ୍ଡାଗର୍ଦ୍ଦି କରାଯାଉଥିବାରୁ ପିଟି ଉଷା ମହିଳା ଆଥଲେଟଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ସେ ଭୋଗୁଥିବା ସମସ୍ୟାରେ ବିରାମ ଲଗାଇବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସହଯୋଗ ଲୋଡ଼ିଛନ୍ତି।

ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ବିଜେତା ଆଥଲେଟ ସୃଷ୍ଟି କରିବା ପାଇଁ ୨୦୦୨ ମସିହାରେ ଉଷା ସ୍କୁଲ ଅଫ ଆଥଲେଟିକ୍ସ ସ୍ଥାପନ କରାଯାଇଥିଲା। ଏଠାରେ ହଜାର ହଜାର ଆଥଲେଟଙ୍କୁ ଆଥଲେଟିକ୍ସ ତାଲିମ ଦିଆଯାଏ। ହେଲେ ଏବେ ଏହି ଏକାଡେମୀରେ ନିଜେ ପିଟି ଉଷା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏ ସମ୍ପର୍କରେ ପିଟି ଉଷା ଦିଲ୍ଲୀରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଆଉ ସମସ୍ତଙ୍କ ସାମ୍ନାରେ କାନ୍ଦି ମଧ୍ୟ ପକାଇଛନ୍ତି। ସେହି କହିଛନ୍ତି, ସ୍କୁଲରେ ୨୫ ମହିଳା ରହିଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୧୧ ଜଣ ଉତ୍ତର ଭାରତର ରହିଛନ୍ତି । ସେମାନଙ୍କ ସୁରକ୍ଷା ଦାୟିତ୍ୱ ଆମର । ତେଣୁ ଏହି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛି । ଉଷା ଆହୁରି ମଧ୍ୟ କହିଛନ୍ତି, ଡ୍ରଗ୍ସ ଖାଉଥିବା ଲୋକେ ଏବଂ ପ୍ରେମୀ ଯୁଗଳ ଏକାଡେମୀ ପରିସରକୁ ପଶିଆସୁଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ପିଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏସିଆନ ଗେମ୍ସରେ ଗୋଲ୍ଡ ମେଡାଲ ଜିତିଥିବା ଉଷା ୧୯୮୪ ଅଲିମ୍ପିକରେ ମାତ୍ର କିଛି ସେକେଣ୍ଡ ପାଇଁ ପଦ ଜିତିବାରୁ ବଞ୍ଚିତ ହୋଇଥିଲେ।

Leave A Reply

Your email address will not be published.