ରିଷଭ ପନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ କରାଯିବ ସିଫ୍ଟ, DDCA ନେଲା ନିଷ୍ପତ୍ତି

ଟିମ୍‌ ଇଣ୍ଡିଆର ଓ୍ଵିକେଟ କିପର ରିଷଭ ପନ୍ତ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସିଫ୍ଟ ହେବେ ବୋଲି DDCA ନିର୍ଦ୍ଦେଶକ ଶ୍ୟାମ ଶର୍ମା ସୂଚନା ଦେଇଛନ୍ତି । ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । କିନ୍ତୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସିଫ୍ଟ କରାଯିବ। ମୁମ୍ବାଇର ଲୀଳାବତୀ ହସପିଟାଲରେ ପନ୍ତଙ୍କ ଚିକିତ୍ସା କରାଯିବ । ବିସିସିଆଇ ଡାକ୍ତର ସ୍ୱତନ୍ତ୍ର ଭାବେ ଚିକିତ୍ସାର ଅନୁଧ୍ୟାନ କରିବେ ।

ପନ୍ତଙ୍କୁ ଆଜି ଡେରାଡୁନର ମ୍ୟାକ୍ସ ହସ୍ପିଟାଲରୁ ମୁମ୍ବାଇ ସିଫ୍ଟ କରାଯିବ। ଏଥିପାଇଁ ଡିଡିସିଏ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ପନ୍ତଙ୍କ ମୁଣ୍ଡରେ ଦୁଇଟି କଟ୍‌ ଲାଗିଛି। ସୋମବାର ରିଷଭଙ୍କୁ ଆଇସିୟୁରୁ ବାହାର କରାଯାଇ ଜେନରାଲ ୱାର୍ଡକୁ ଅଣାଯାଇଥିଲା । ପୂର୍ବରୁ ତାଙ୍କର ଏମଆରଆଇ ସ୍କାନ କରାଯାଇଥିଲା । ତାଙ୍କର ମସ୍ତିଷ୍କ ଓ ମେରୁଦଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ରିଷଭଙ୍କ ଲିଗାମେଣ୍ଟକୁ ଆଘାତ ଲାଗିଛି । ଏହା ଠିକ୍ ହେବାକୁ ୩ରୁ ୬ ମାସ ସମୟ ଲାଗିବ ବୋଲି କୁହାଯାଉଛି । ତେଣୁ ଡିଡିସିଏ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇ ସିଫ୍ଟ କରିବାକୁ ନିଷ୍ପତ୍ତି ନେଇଛି ।

ପନ୍ତଙ୍କ ଏମଆରଆଇ ସ୍କାନ ରିପୋର୍ଟରେ କୌଣସି ଅସୁବିଧା ନାହିଁ। ପନ୍ତ ସହିତ ବିସିସିଆଇ ଲଗାତାର ସଂପର୍କରେ ରହିଛି। ସମଗ୍ର ଦେଶ ପନ୍ତ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛି । କିନ୍ତୁ ଲିଗାମେଣ୍ଟ ଫାଟିବା ଯୋଗୁଁ ୬ ମାସ ପର୍ଯ୍ୟନ୍ତ ପନ୍ତ ପଡିଆକୁ ଫେରିବା ମୁସ୍କିଲ ହୋଇପଡିଛି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଖେଳିବାରୁ ବାଦ୍‌ ପଡିଛନ୍ତି ।

ସୂଚନାଯୋଗ୍ୟ, ରିଷଭ ପନ୍ତ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ। ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ। ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଫଳରେ କାର ଦୁର୍ଘଟଣା ହୋଇଥିଲା। ହରିୟାଣା ରୋଡେଓ୍ଵଜର ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ପନ୍ତଙ୍କ କାର ଜଳିପୋଡି ପାଉଁଶ ହୋଇଯାଇଥିଲା ।

ଏହି ଘଟଣାରେ ରିଷଭଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପନ୍ତଙ୍କ ମୁଣ୍ଡ ଓ ମେରୁଦଣ୍ଡ ସଂପୂର୍ଣ୍ଣ ଭାବେ ଠିକ ଅଛି। ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଛି। ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଛି। ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଛି। ତେବେ ଉତ୍ତରାଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଛି। ଦୁର୍ଘଟଣାରେ ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ଲାଗିଥିଲା। ସେସବୁ କ୍ଷତ ଚିହ୍ନଗୁଡ଼ିକୁ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି। ଦୁର୍ଘଟଣାରେ କଟି ଯାଇଥିବା ତାଙ୍କ ବାମ ଆଖିପତାର ପ୍ଲାଷ୍ଟିକ୍ ସର୍ଜରୀ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.