ଟେଷ୍ଟ ସିରିଜ ପରେ ଅଷ୍ଟ୍ରେଲିଆ ଦିନିକିଆ ଟିମକୁ ଝଟକା, ବଦଳିଲେ ଟିମର ଅଧିନାୟକ

ଟେଷ୍ଟ ସିରିଜ ପରେ ଦିନିକିଆ ସିରିଜ ପାଇଁ ବଦଳିଲେ ଅଷ୍ଟ୍ରେଲିଆ ଟିମର ଅଧିନାୟକ । ପ୍ୟାଟ୍‌ କମିନ୍ସଙ୍କ ସ୍ଥାନରେ ଟିମର ଦାୟିତ୍ୱ ନେବେ ଷ୍ଟିଭ ସ୍ମିଥ ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଭାରତ ଜିତିବା ପରେ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ ଦଳ । ୧୭ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ପ୍ୟାଟ୍‌ କମିନ୍ସଙ୍କ ମା’ଙ୍କ ଦେହାନ୍ତ ଯୋଗୁଁ ସେ ଦିନିକିଆ ସିରିଜରୁ ମଧ୍ୟ ବାଦ୍‌ ପଡିଛନ୍ତି। ଆଉ ପ୍ୟାଟ୍‌ଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ଟିମର ଦାୟିତ୍ୱ ନେବେ ଷ୍ଟିଭ ସ୍ମିଥ ।

ମା’ଙ୍କ ଦେହାନ୍ତ କାରଣରୁ ଟେଷ୍ଟ ସିରିଜ ଅଧାରୁ ସ୍ବଦେଶ ଫେରିଯାଇଥିଲେ ପ୍ୟାଟ୍ କମିନ୍ସ । ସେ ଅହମଦାବାଦ ମ୍ୟାଚରେ ଖେଳିନଥିଲେ। ଆଉ ଭାରତ ଫେରିବେ ନାହିଁ ବୋଲି ପ୍ରଶିକ୍ଷକ ଆଣ୍ଡ୍ର୍ୟୁ ମ୍ୟାକ୍ଡୋନାଲ୍ଡ ସ୍ପଷ୍ଟ କରିଛନ୍ତି।

ଷ୍ଟିଭ ସ୍ମିଥ ସିରିଜର ଦୁଇଟି ଶେଷ ମ୍ୟାଚରେ ଟିମ ଦାୟିତ୍ୱ ନେଇଥିଲେ । ଏବେ ଦିନିକିଆ ସିରିଜରେ ମଧ୍ୟ ଦାୟିତ୍ୱ ନେବେ ସ୍ମିଥ । ଗତବର୍ଷ ଏରୋନ ଫିଞ୍ଚ ଖେଳରୁ ସନ୍ନ୍ୟାସ ନେବା ପରେ ପ୍ୟାଟ୍‌ କମିନ୍ସ ଦାୟିତ୍ୱ ନେଇଥିଲେ । ଡେଭିଡ୍ ୱାର୍ଣ୍ଣର ଦିନିକିଆ ଦଳକୁ ଫେରିବେ। ପୂର୍ବରୁ ଆହତ କାରଣରୁ ଝେ ରିଚାର୍ଡସନଙ୍କ ବଦଳରେ ନାଥନ୍ ଏଲିସଙ୍କ ସାମିଲ କରାଯାଇଥିଲା। ଗମ୍ଭୀର ଆହତ ସମସ୍ୟା କାରଣରୁ ଦଳଠାରୁ ଦୂରେଇ ରହିଥିବା ଦୁଇ ବରିଷ୍ଠ ଅଲ୍ରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ମିଚେଲ୍ ମାର୍ସ ମଧ୍ୟ ଏହି ଶୃଙ୍ଖଳା ଅବସରରେ ଦଳକୁ ଫେରିଛନ୍ତି।

ଦିନିକିଆ ସିରିଜ :

ପ୍ରଥମ ମ୍ୟାଚ୍‌ : ୧୭ ମାର୍ଚ୍ଚ (ମୁମ୍ବାଇ)

ଦ୍ୱିତୀୟ ମ୍ୟାଚ୍‌ : ୧୯ ମାର୍ଚ୍ଚ (ବିଶାଖାପାଟନମ)

ତୃତୀୟ ମ୍ୟାଚ୍‌ : ୨୨ ମାର୍ଚ୍ଚ (ଚେନ୍ନାଇ)

ଅଷ୍ଟ୍ରେଲିଆ ଦଳ: ଡେଭିଡ ୱାର୍ଣ୍ଣର, ଟ୍ରାଭିସ ହେଡ୍, ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ମାର୍ନସ ଲବୁସାନ, ମିଚେଲ ମାର୍ସ, ମାର୍କସ ଷ୍ଟୋଇନିସ, ଆଲେକ୍ସ କାରି (ୱିକେଟ୍ରକ୍ଷକ), ଗ୍ଲେନ୍ ମ୍ୟାକ୍ସୱେଲ୍, କାମେରନ ଗ୍ରିନ୍, ଜୋସ୍ ଇଙ୍ଗଲିସ, ସିନ୍ ଆବୋଟ, ଆଷ୍ଟନ ଅଗର, ମିଚେଲ ଷ୍ଟାର୍କ, ନାଥନ ଏଲିସ, ଆଦାମ ଜାମ୍ପା।