ଶିକ୍ଷକଙ୍କ କଟୁ କଥା ବଦଳାଇଥିଲା ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଖେଳାଳି ପଲକ କୋହଲିଙ୍କ ଜୀବନ
‘ଖେଳରୁ ଦୂରେଇ ରୁହ ନଚେତ ଆଉ ଗୋଟେ ହାତ ଯିବ’… ଶିକ୍ଷକଙ୍କ ଏମିତି କଥା ବଦଳାଇ ଦେଇଥିଲା ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଖେଳାଳି ପଲକଙ୍କ ଜୀବନ ।

ଜୀବନ କେତେ ବେଳେ ପରିବର୍ତ୍ତନ ହୋଇଯାଏ, ତାହା କେହି ଜାଣିପାରିବେ ନାହିଁ । ଟୋକିଓ ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳି ଭାରତକୁ ପ୍ରତିନିଧିତ୍ୱ କରିଥିଲେ ପଲକ କୋହଲି। ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଯୁବ ଆଥଲେଟ୍ ହେଉଛନ୍ତି ପଲକ । ପଲକଙ୍କର ଗୋଟେ ହାତ ଖରାପ ରହିଥିଲା। ଆଉ ସ୍କୁଲର ଏକ ଖେଳ ଇଭେଣ୍ଟରେ ଭାଗ ନେବାକୁ ଇଚ୍ଛୁକ ଥିଲେ ପଲକ । କିନ୍ତୁ ପଲକଙ୍କ ଏଭଳି ଅବସ୍ଥା ଦେଖି ଶିକ୍ଷକ ଖେଳିବାକୁ ବାରଣ କରିଥିଲେ । ଆଉ କହିଥିଲେ, ଖେଳରୁ ଦୂରେଇ ରୁହ ନଚେତ ଅନ୍ୟ ହାତ ମଧ୍ୟ ହରାଇବାକୁ ପଡିବ । ଶିକ୍ଷକଙ୍କ ଏଭଳି କଥା ପଲକ ଜୀବନରେ ଏକ ଝଡ ଆଣିଥିଲା ।
ଥରେ ଜଳନ୍ଧର ମଲ ବାହାରେ ନ୍ୟାସନାଲ ବ୍ୟାଡମିଣ୍ଟନ କୋଚ ଗୌରବ ଖାନ୍ନାଙ୍କ ମୁହଁରୁ ପାରାସ୍ପୋର୍ଟ୍ସ ଶବ୍ଦ ଶୁଣିଥିଲେ ପଲକ । ସେ ପଲକର ଜୀବନରେ ପରିବର୍ତ୍ତନ ଆଣିଥିଲେ । ପଲକଙ୍କୁ ଦେଖିବା ପରେ ଗୌରବ ହାତ କ’ଣ ହୋଇଛି ବୋଲି ପଚାରିଥିଲେ । ପିଲା ବେଳରୁ ପଲକଙ୍କ ହାତ ବିକଶିତ ହୋଇନଥିଲା ବୋଲି ଜାଣିବାକୁ ପାଇଥିଲେ । ତା’ ପରେ ଗୌରବ ତାଙ୍କୁ ବ୍ୟାଡମିଣ୍ଟନ ଖେଳିବା ଶିଖାଇଥିଲେ ।
ସ୍କୁଲରେ ସ୍ପୋଟ୍ସ ଇଭେଣ୍ଟ ହେବା ମାତ୍ରେ ଶିକ୍ଷକ କହିଥିବା କଥାକୁ ମନେ ପକାଇ ବ୍ୟାଡମିଣ୍ଟନ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ ପଲକ । ତେଣୁ ସୋସିଆଲ ମିଡିଆ ଜରିଆରେ ଗୌରବଙ୍କ ସହିତ ସଂପର୍କ କରିଥିଲେ । ୨୦୧୬ରେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରି ଟ୍ରେନିଂ ନେଇଥିଲେ । ତା’ ପରେ ପାରାଅଲିମ୍ପିକ୍ସରେ ନ୍ୟାସନାଲ ଚାମ୍ପିଅନସିପ ଜିତିଥିଲେ । ପାରା ଅଲିମ୍ପିକ୍ସରେ ଯୁବ ଖେଳାଳି ଭାବେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।
ପଲକ ଜାତୀୟ ସ୍ତରରେ ଅନେକ ପଦକ ଜିତିଛନ୍ତି । ସେ ୨୦ଟି ପଦକ ଜିତିଛନ୍ତି । ଏଥିମଧ୍ୟରୁ ୫ଟି ସ୍ୱର୍ଣ୍ଣ, ୭ଟି ସିଲଭର, ୮ଟି ବ୍ରୋଞ୍ଜ ଜିତିଛନ୍ତି ।