ଲର୍ଡ଼ସରେ ଶୋଚନୀୟ ପରାଜୟ : ଏବେ ଟିମ୍ ଇଣ୍ଡିଆ ଥିଙ୍କଟ୍ୟାଙ୍କ କରିବ କଣ ?

ଲଣ୍ଡନ : ଏଜବାଷ୍ଟନରେ ପ୍ରଥମ ଟେଷ୍ଟ ଚାରି ଦିନରେ ସରିଥିଲା । ଲର୍ଡସ୍ ଟେଷ୍ଟରେ ଭାରତୀୟ ଦଳ ତିନି ଦିନ ବି ତିଷ୍ଠି ପାରିଲେନି । ଶୋଚନୀୟ ପରାଜୟ ବରଣ କଲା । ଏକ ଇନିଂସ ଓ ୧୫୯ ରନ୍ରେ ବାଜି ମାରି ନେଲା ଇଂଲଣ୍ଡ । ଦ୍ୱିତୀୟ ଇନିଂସରେ ୧୩୦ ରନ୍ରେ ଅଲ୍ଆଉଟ୍ ହୋଇ ହେଲା ବିରାଟ ବାହିନୀ । ଇଂଲଣ୍ଡ ଖେଳାଳିଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ତିଷ୍ଠି ପାରି ନଥିଲେ । ଆଶ୍ଚର୍ଯ୍ୟ କଥା ହେଉଛି ସ୍ପିନର ରବିଚନ୍ଦ୍ର ଅଶ୍ୱିନ ଅପରାଜିତ ରହି ସର୍ବାଧିକ ୩୩ ରନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୬ ରନ କରିଥିଲେ । ଅଶ୍ୱିନ୍ ପ୍ରଥମ ପାଳିରେ ମଧ୍ୟ ୨୯ ରନ୍ କରି ସର୍ବାଧିକ ସ୍କୋରର ଥିଲେ । ଅଧିନାୟକ ବିରାଟ କୋହଲିଙ୍କ ସମେତ ପ୍ରମୁଖ ବ୍ୟାଟ୍ସମ୍ୟାନମାନେ ପୂରା ଫେଲ୍ ମାରିଲେ । ତେବେ ସବୁଠାରୁ ବେଶି ସମାଲୋଚନାର ଶିକାର ହୋଇଛନ୍ତି ଓପ୍ନର ମୁରଲୀ ବିଜୟ । ଯିଏକି ଉଭୟ ଇନିଂସରେ ‘ଶୂନ’ରେ ଆଉଟ୍ ହୋଇଛନ୍ତି । ଯିଏକ ଜଣେ ଭଲ ଟେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହୁଅନ୍ତି । ଅବଶ୍ୟ ବିରାଟ ଆହତ ଥିବାରୁ ତାଙ୍କ ଫର୍ମ ଅନୁସାରେ ଖେଳି ପାରିନଥିଲେ । ଇଂଲଣ୍ଡ ପକ୍ଷରୁ ପେସ୍ ବୋଲର୍ ଅଣ୍ଡରସନ ଓ ବ୍ରଡ୍ ୪ଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ପୂର୍ବରୁ ପ୍ରଥମ ପାଳିରେ ଭାରତ ୧୦୭ ରନ କରିଥିବା ବେଳେ ୩୯୬ ରନ କରି ଇଂଲଣ୍ଡ ପାଳି ଘୋଷଣା କରିଥିଲା । ଦ୍ୱିତୀୟ ଟେଷ୍ଟରେ ବର୍ଷା ଯୋଗୁଁ ପ୍ରଥମ ଦିନ ଆଦୌ ଖେଳ ହୋଇ ପାରିନଥିଲା । ପରବର୍ତ୍ତୀ ଦିନଗୁଡ଼ିକରେ ମଧ୍ୟ ବର୍ଷା ବାଧା ସୃଷ୍ଟି କରିଥିଲା । ତଥାପି ତିନି ଦିନ ଭିତରେ ସରିଗଲା ମ୍ୟାଚ୍ । ଇଂଲଣ୍ଡ ଅଲରାଉଣ୍ଡର କ୍ରିସ୍ ଓକ୍ସ ଅପରାଜିତ ୧୩୭ ରନ୍ ରିବା ସହ ଉଭୟ ପାଳିରେ ୪ଟି ଓ୍ଵିକେଟ୍ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ଏହି ବିଜୟ ସହ ୫ଟିକିଆ ଟେଷ୍ଟ ସିରିଜରେ ଇଂଲଣ୍ଡ ୨-୦ରେ ଆଗୁଆ ରହିଛି । ଆସନ୍ତା ୧୮ ତାରିଖରୁ ନଟିଂହମ୍ରେ ଆରମ୍ଭ ହେବ ତୃତୀୟ ଟେଷ୍ଟ । ଆଉ ୩ଟି ମ୍ୟାଚ୍ ବାକି ଥିବା ବେଳେ କଣ କରିବ ଟିମ୍ ଇଣ୍ଡିଆ ଥିଙ୍କଟ୍ୟାଙ୍କ ତାକୁ ଅପେକ୍ଷା କରିଛନ୍ତି ଭାରତୀୟ କ୍ରିକେଟ୍ ଫ୍ୟାନ୍ ।