ଦିନିକିଆରେ ଅଧିନାୟକ ହେବାକୁ ମନା କରିନଥିଲି କି ବ୍ରେକ୍‌ ନେବାକୁ କହି ନଥିଲି : ବିରାଟ କୋହଲି

ମୁମ୍ବାଇ : ମୁଁ ଟି-୨୦ରେ ଅଧିନାୟକ ହେବି ନାହିଁ ବୋଲି ବହୁ ଆଗରୁ କହି ସାରିଥିଲି । ତେବେ ଟେଷ୍ଟ ଓ ଦିନିକିଆରେ ଏହି ଦାୟିତ୍ୱ ତୁଲାଇବି ବୋଲି ସ୍ପଷ୍ଟ କରିଥିଲି । ହେଲେ ବିସିସିଆଇ ତରଫରୁ ମୋତେ ଠିକ୍‌ ଭାବେ ଯୋଗାଯୋଗ କରାଗଲା ନାହିଁ । ଦକ୍ଷିଣ ଆଫ୍ରିକା ପାଇଁ ଟେଷ୍ଟ ଦଳ ଚୟନର ଘଣ୍ଟାଏ ଦେଢ଼ଘଣ୍ଟା ପୂର୍ବରୁ ମୋତେ ଜଣାଇ ଦିଆଗଲା କି ରୋହିତ ଶର୍ମା ହେବେ ଦିନିକିଆ ଦଳର ଅଧିନାୟକ । ଆହୁରି ମଧ୍ୟ ମୁଁ ଏକଥା ବି କହିଥିଲି କି ବ୍ରେକ୍‌ ନେବି ନାହିଁ ଏବଂ ତିନି ଟିକିଆ ଦିନିକିଆ ସିରିଜ୍‌ରେ ଖେଳିବି ବୋଲି ।….

ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ନେଇ ଲାଗି ରହିଥିବା ବିବାଦ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଏକଥା କହିଛନ୍ତି କୋହଲି । ସେ ଆଉଥରେ ଜୋର ଦେଇ କହିଛନ୍ତି ଯେ ରାହିତ ଜଣେ ବଢ଼ିଆ ଅଧିନାୟକ । ତାଙ୍କ ସହ ମୋର କୌଣସି ମତାନ୍ତର କି ମନାନ୍ତର ନାହିଁ । ଏକଥା ଗତ ଦୁଇ ବର୍ଷ ହେଲା କହି କହି ମୁଁ କ୍ଳାନ୍ତ ହୋଇପଡ଼ିଲିଣି । ଆଉ ମୋତେ ସେ ବିଷୟରେ ପଚାରନ୍ତୁ ନାହିଁ । ହେଲେ ସେ ଦିନିକିଆରେ ଅଧିନାୟକ ରହିବେ ନାହିଁ ବୋଲି ତାଙ୍କୁ ଆଗରୁ କୁହା ଯାଇନଥିଲା । ଯାହା ତାଙ୍କୁ ଖରାପ ଲାଗିଛି । ସେ କହିଛନ୍ତି କି ଯଦି ଚୟନକର୍ତ୍ତା ଏବଂ ବିସିସିଆଇ କର୍ମକର୍ତ୍ତା ଭାବୁଛନ୍ତି କି ମୁଁ ଦିନିକିଆରେ ଅଧିନାୟକ ହେବାକୁ ଉପଯୁକ୍ତ ନୁହେଁ ତେବେ ତ ଠିକ ଅଛି । ମୋ ପାଇଁ କିଛି ଅସୁବିଧା ନାହିଁ । ରୋହିତ ଜଣେ ଭଲ ଅଧିନାୟକ ଏବଂ ରାହୁଲ (ଦ୍ରାବିଡ଼) ଭାଇ ମଧ୍ୟ ଗାଇଡ୍‌ କରିବାକୁ ଅଛନ୍ତି । ତେଣୁ ମୁଁ ଦଳରେ ରହି ମୋ ଖେଳ ଉପରେ ଶତପ୍ରତିଶତ ଦୃଷ୍ଟି ଦେଇ ପାରିବି ।

ସୂଚନା ରହିଛି କି ଆସନ୍ତା ଡିସେମ୍ବର ୨୬ ତାରିଖରୁ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ସେଞ୍ଚୁରିଅନ୍‌ରେ ଏବଂ ଦ୍ୱିତୀୟ ଟେଷ୍ଟ ଓ୍ଵାଣ୍ଡରର୍ସରେ ଜାନୁଆରୀ ୩ରୁ ଖେଳାଯିବ । ତେବେ ତୃତୀୟ ତଥା ଶେଷ ଟେଷ୍ଟ ଜାନୁଆରୀ ୧୧ରୁ କେପ ଟାଉନ୍‌ରେ ଆରମ୍ଭ ହେବ । ଏହାପରେ ତିନିଟି ଦିନିକିଆ ଓ ତିନିଟି ଟି-୨୦ ମ୍ୟାଚ୍‌ ମଧ୍ୟ ଦୁଇ ଦଳ ଖେଳିବେ । ଏହି ସିରିଜ୍‌ରେ ଖେଳିବା ପାଇଁ ସେ ଖୁବ୍‌ ଉତ୍ସାହୀ ଅଛନ୍ତି ବୋଲି କୋହଲି ତାଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏଠି ଆମେ କହି ରଖୁଛୁ କି ବିରାଟ ଏପର୍ଯ୍ୟନ୍ତ ୯୫ଟି ଦିନିକିଆ ମ୍ୟାଚ୍‌ରେ ଭାରତର ଅଧିନାୟକ ରହି ୬୫ଟିରେ ଦଳକୁ ଜିତାଇଛନ୍ତି । ୨୭ଟିରେ ଟିମ୍‌ ପରାସ୍ତ ହୋଇଛି । ୧୯ଟିରୁ ୧୫ଟି ଦ୍ୱିପାକ୍ଷିକ ଦିନିକିଆ ସିରିଜରେ ସେ ଭାରତକୁ ବିଜୟ ଭେଟି ଦେଇଛନ୍ତି । ତେଣୁ ତାଙ୍କ ପରାମର୍ଶ ନନେଇ ଦିନିକିଆ ଦଳରୁ ତାଙ୍କୁ ଅଧିନାୟକ ପଦରୁ ହଟାଇବା ଘଟଣା ବିରାଟଙ୍କୁ ବାଧିଛି ।

ସେପଟେ ବିସିସିଆଇ ସ୍ପଷ୍ଟ କରିଛି ଯେ ବିରାଟ ଦିନିକିଆରେ ଖେଳିବେ ନାହିଁ ବୋଲି ଯେଉଁ କଥା ଉଠିଛି ତାହା ସତ ନୁହେଁ । ସେ ଦିନିକିଆରେ ଦଳ ପକ୍ଷରୁ ଖେଳିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.