Below header

ଦେଖନ୍ତୁ କେତେ ଭୟଙ୍କର ଥିଲା ରିଷଭ୍ ପନ୍ତଙ୍କ କାର୍ ଦୁର୍ଘଟଣା! ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍ ଓ ଫଟୋ

ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟ୍ କିପର ଖେଳାଳି ରିଷଭ ପନ୍ତଙ୍କ କାର ଦିଲ୍ଲୀ-ଡେରାଡୁନ୍ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ କାର ଜଳି ପାଉଁଶ ହୋଇଯାଇଛି। ଯଦିଓ ଠିକ୍ ସମୟରେ ପନ୍ତ କାରରୁ ବାହାରି ଆସିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ। ପରେ ତାଙ୍କୁ ଡେରାଡୁନ୍ ରେଫର୍ କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ, ତାଙ୍କ ଅବସ୍ଥା ଗମ୍ଭୀର ରହିଛି। ଏହାରି ଭିତରେ ପନ୍ତଙ୍କ କାର ଦୁର୍ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସାମ୍ନାକୁ ଆସିଛି। ପନ୍ତ ନିଜେ ମଧ୍ୟ କହିଛନ୍ତି କି, କିପରି ତାଙ୍କ ଦୁର୍ଘଟଣା ଘଟିଲା।

ହସ୍ପିଟାଲରେ ପହଞ୍ଚିବା ପରେ ପନ୍ତ କହିଥିଲେ କି, ସେ ଦିଲ୍ଲୀରୁ ରୁର୍କି ନିଜ ଘରକୁ ଯାଉଥିଲେ। ସେ ନିଜେ କାର ଚଳାଉଥିଲେ। ରୁର୍କିର ଗୁରୁକୂଳ ନାରସନ ଦେଇ ସେ ଯାଉଥିଲେ ଏବଂ କିଛି ସମୟ ପରେ ଘରେ ପହଞ୍ଚି ଥାଆନ୍ତେ। କିନ୍ତୁ ସେହି ସମୟରେ ସେ ସମାନ୍ୟ ଘୁମାଇ ପଡ଼ିଥିଲେ, ଯାହା ଫଳରେ ତାଙ୍କ କାର୍ ଡିଭାଇଡରକୁ ଧକ୍କା ଦେଇଥିଲା। ତେବେ କାର୍ରେ ନିଆଁ ଲାଗିବା ପୂର୍ବରୁ ପନ୍ତ ଝରକା କାଚ ଭାଙ୍ଗି ପଦାକୁ ବାହାରି ଆସିଥିଲେ। ସେ କାରରୁ ବାହାରିବା କ୍ଷଣି ହିଁ ଗାଡ଼ି ହୁ ହୁ ହୋଇ ଜଳିବାକୁ ଲାଗିଥିଲା।

car
photo: hindi cricket addictor

ଏହା ପରେ ଘଟଣା ସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ଲୋକେ ତାଙ୍କୁ ରୁର୍କିର ସିଭିଲ୍ ହସ୍ପିଟାଲରେ ନେଇ ଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡେରାଡୁନ୍‌ସ୍ଥିତ ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପନ୍ତଙ୍କ ହାଡରେ ଆଘାତ ଲାଗିଛି। ତାଙ୍କ ମୁଣ୍ଡ, ହାତ, ଗୋଡ ଏବଂ ପିଠିରେ ମଧ୍ୟ ଗୁରୁତର ଆଘାତ ଲାଗିଛି। ହସ୍ପିଟାଲର ଅର୍ଥୋପେଡିକ୍ ସର୍ଜନ ଡାକ୍ତର ଗୌରବ ଗୁପ୍ତା ତାଙ୍କୁ ଚିକିତ୍ସା କରୁଛନ୍ତି। ପନ୍ତ ଏହି ସମୟରେ ହୋସ୍‌ରେ ଅଛନ୍ତି ଏବଂ କଥାବାର୍ତ୍ତା କରୁଛନ୍ତି।

ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପନ୍ତଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି। ଏଥି ସହିତ ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ କହିଛନ୍ତି। ଘଟଣା ସମ୍ପର୍କରେ ହରିଦ୍ୱାର ଏସଏସପି ଅଜୟ ସିଂ କହିଛନ୍ତି ଯେ ମାଙ୍ଗଲୋରରେ ପନ୍ତଙ୍କ ଆକ୍ସିଡେଣ୍ଟ ହୋଇଛି। ସକାଳ ସାଢ଼େ ୫ଟା ସମୟରେ ତାଙ୍କ କାର୍‌ ଡିଭାଇଡରକୁ ଧକ୍କା ଦେଇଥିଲା। ଏହା ପରେ ତାଙ୍କୁ ରୁର୍‌କିର ସକ୍ଷମ ହସ୍ପିଟାଲକୁ ନିଆଯାଇଥିଲା, ପରେ ତାଙ୍କୁ ଡେରାଡୁନ୍‌ର ମ୍ୟାକ୍ସ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା।

ତେବେ ସାମ୍ନାକୁ ଆସିଥିବା ଭିଡିଓରେ ପନ୍ତଙ୍କ ଗାଡ଼ି ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହୋଇଯାଉଛି। ଦେଖୁ ଦେଖୁ କିଛି ହିଁ ସେକେଣ୍ଡ ଭିତରେ ତାଙ୍କ କାର୍‌ ରାସ୍ତାର ଅପର ପାର୍ଶ୍ୱକୁ ଚାଲି ଯାଉଛି। ଏହାପରେ କାର୍‌ରେ ନିଆଁ ଲାଗି ଯାଉଛି ଏବଂ ତାହା ହୁତୁ ହୁତୁ ହୋଇ ଜଳିବାକୁ ଲାଗୁଛି। କୁହାଯାଉଛି ଯେ ରିଷଭ ପନ୍ତ ନୂଆ ବର୍ଷ ସେଲିବ୍ରେସନ ପାଇଁ ନିଜ ଘରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.