ବାଃ ବାଃରେ ବିରାଟ : ଶହେତମ ଟେଷ୍ଟରେ ୮ ହଜାର ରନ ପୂରଣ କଲେ ବିରାଟ କୋହଲି, ଦେଖନ୍ତୁ ଭିଡିଓ

ମୋହାଲିରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚରେ ଚମକିଲେ ବିରାଟ । ଟେଷ୍ଟ କ୍ରିକେଟରେ ୮ ହଜାର ରନ ପୂରଣ କରିଛନ୍ତି ବିରାଟ କୋହଲି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ପ୍ରଥମ ଦିନରେ କୋହଲି ଏହି ସଫଳତା ହାସଲ କରିଛନ୍ତି । ଏହା ସହିତ ୮ ହଜାର ରନ୍ ପୂର୍ଣ୍ଣ କରିବାରେ କୋହଲି ହେଉଛନ୍ତି ଭାରତର ଷଷ୍ଠ ବ୍ୟାଟର୍ । ମୋହାଲିରେ କୋହଲି ତାଙ୍କର ୧୦୦ତମ ଟେଷ୍ଟ ଖେଳୁଛନ୍ତି । ନିଜର ୧୬୯ ତମ ଇନିଂସରେ ସେ ୮ ହଜାର ରନ୍ ପୂରଣ କରିଛନ୍ତି । ଏହି ସଫଳତା ହାସଲ କରିବାରେ ରିକି ପଣ୍ଟିଂଙ୍କ ବ୍ୟତୀତ ସେ ହେଉଛନ୍ତି ଦ୍ୱିତୀୟ କ୍ରିକେଟର୍।
ବିରାଟ ଭାରତର ସର୍ବାଧିକ ରନ ସ୍କୋରର ତାଲିକାରେ ଯୋଡି ହୋଇଛନ୍ତି । ଏହି ତାଲିକାରେ ସବା ଆଗରେ ଅଛନ୍ତି ସଚିନ ତେନ୍ଦୁଲକର । ସେ ୧୫ ହଜାର ୯ଶହ ୨୧ ରନ୍ କରି ସର୍ବାଗ୍ରେ ରହିଛନ୍ତି । ସେହିପରି ରାହୁଲ ଦ୍ରାବିଡ ଅଛନ୍ତି ଦ୍ୱିତୀୟରେ । ତାଙ୍କର ସ୍କୋର ରହିଛି ୧୩,୨୬୫ । ସୁନିଲ ଗାଭାସ୍କର ରହିଛନ୍ତି ତୃତୀୟରେ । ତାଙ୍କ ସ୍କୋର ୧୦ ହଜାର ୧୨୨ ରନ୍ । ଭିଭିଏସ ଲକ୍ଷ୍ମଣ ହେଉଛନ୍ତି ଚତୁର୍ଥ । ତାଙ୍କର ସ୍କୋର ହେଉଛି ୮,୭୮୧ । ଏହା ପରେ ରହିଛନ୍ତି ହିଟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗ । ସେ ୮,୫୦୩ ରନ କରିଛନ୍ତି । ତେବେ ଏମାନେ ସମସ୍ତେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇ ସାରିଛନ୍ତି।
କହିରଖୁଛୁ ବିରାଟ ଏବେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କ କ୍ୟାରିଅରର ଶହେ ତମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି । କୋହଲି କହିଛନ୍ତି କି ଆଗାମୀ ପିଢି ତାଙ୍କର ଏହି ସଫଳତା ଦ୍ୱାରା ପ୍ରେରିତ ହେବେ । ପୁଣି ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ମଧ୍ୟରେ ତିନି ଫର୍ମାଟରେ ଖେଳି ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛନ୍ତି । କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ ତାଙ୍କ ୧୦୦ତମ ଟେଷ୍ଟ ଅବସରରେ ଏହି ଷ୍ଟାର କ୍ରିକେଟରଙ୍କୁ ସମ୍ମାନିତ କରିଛି ।
What a moment to commemorate his 100th Test appearance in whites 🙌🏻
Words of appreciation from the Head Coach Rahul Dravid and words of gratitude from @imVkohli👏🏻#VK100 | #INDvSL | @Paytm pic.twitter.com/zfX0ZIirdz
— BCCI (@BCCI) March 4, 2022
ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାପରେ କୋହଲି କହିଛନ୍ତି କି ଆମେ ବର୍ତ୍ତମାନ ୩ଟି ଫର୍ମାଟରେ ଖେଳୁଛେ । ଆଇପିଏଲ ମଧ୍ୟ ଆଗରେ । ତେଣୁ ଆଗାମୀ ପିଢ଼ି ମୋର ଏହି ସଫଳତାରୁ ଅନେକ କଥା ଶିଖିବେ । ମୁଁ କିପରି ଟପ ଫର୍ମାଟରେ ୧୦୦ମ୍ୟାଚ ଖେଳି ପାରିଛି ତାହା ଏକ ବହୁତ ବଡ଼ କଥା ।
ଏହି ଅବସରରେ ରାହୁଲ ଦ୍ରାବିଡ଼ ବିରାଟଙ୍କୁ ଏକ କ୍ୟାପ ସହ ମେମେଣ୍ଟୋ ଦେଇ ସମ୍ମାନିତ କରିଥିଲେ । କୋହଲିଙ୍କ ପତ୍ନୀ ତଥା ଆକ୍ଟ୍ରେସ ଅନୁଷ୍କା ଶର୍ମା, ଭାଇ ବିକାଶ କୋହଲି, ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି, ସଚିବ ଜୟ ଶାହା, କୋଷାଧ୍ୟକ୍ଷ ଅରୁଣ ଧୁମଲ ଓ ଉପସଭାପତି ରାଜୀବ ଶୁକ୍ଳା ମଧ୍ୟ ଉପସ୍ଥିତ ଥିଲେ ।
କୋହଲିଙ୍କୁୁ ରାହୁଲ ପ୍ରଶଂସା କରିବା ସହ ଆହୁରି ଭଲ ଖେଳିବାକୁ ପ୍ରୋସାହିତ କରିଥିଲେ । କୋହଲି କହିଥିଲେ କି ଏହା ତାଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ । କାରଣ ତାଙ୍କ ସହ ତାଙ୍କ ପତ୍ନୀ ଓ ପରିବାର ସମସ୍ତେ ଉପସ୍ଥିତ ଅଛନ୍ତି । ସମସ୍ତେ ତାଙ୍କ ପାଇଁ ବହୁତ ଗର୍ବିତ ମଧ୍ୟ । କିନ୍ତୁ ଏହା ଏକ ଦଳୀୟ ଖେଳ । ଏହା ଆପଣଙ୍କ ବିନା ସମ୍ଭବ ନୁହେଁ ବୋଲି ବିରାଟ ରାହୁଲଙ୍କୁ କହିଛନ୍ତି ।
.@imVkohli breaches another milestone on his momentous day.
8000 and counting runs in whites for him 👏👏#VK100 @Paytm #INDvSL pic.twitter.com/EDZz9kPZwy
— BCCI (@BCCI) March 4, 2022
ଶହେ ଟେଷ୍ଟ ମ୍ୟାଚ୍ ଖେଳିବାରେ କୋହଲି ହେଉଛନ୍ତି ଭାରତର ବର୍ତ୍ତମାନ ଦ୍ୱାଦଶ ଖେଳାଳି । ତାଙ୍କ ପୂର୍ବରୁ ସୁନୀଲ ଗାଭାସ୍କର, ଦିଲ୍ଲୀପ ଭେଙ୍ଗସକର, କପିଲ ଦେବ, ସଚିନ ତେନ୍ଦୁଲକର, ଅନୀଲ କୁମ୍ବଲେ, ରାହୁଲ ଦ୍ରାବିଡ, ଭିଭିଏସ ଲକ୍ଷ୍ମଣ, ବୀରେନ୍ଦ୍ର ସେହୱାଗ, ସୌରଭ ଗାଙ୍ଗୁଲି, ହରଭଜନ ସିଂ ଏବଂ ଇଶାନ୍ତ ଶର୍ମା ୧୦୦ ଟେଷ୍ଟ ଖେଳିବାର ସଫଳତା ହାସଲ କରିଛନ୍ତି ।