କୋହଲି-ନବୀନଙ୍କ ବନ୍ଧୁତା ଦେଖି କ୍ରିକେଟ ଫ୍ୟାନ୍ସ ଜଳକା, ଭିଡିଓ ଭାଇରଲ

ଇଣ୍ଟରନେଟ ଏବେ କୋହଲି-ନବୀନଙ୍କ ଚର୍ଚ୍ଚା । ଭାରତ-ଆଫଗାନିସ୍ତାନ ମ୍ୟାଚରେ ଉଭୟଙ୍କ ବନ୍ଧୁତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଆଫଗାନିସ୍ତାନକୁ ୮ ଓ୍ଵିକେଟରେ ହରାଇ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚ୍‌ ଜିତିଛି ଭାରତ । ବିଶ୍ୱକପ ମ୍ୟାଚରେ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି । ଏହି ମ୍ୟାଚରେ ରୋହିତ ଶର୍ମା ଶତକ ସହ ବିରାଟଙ୍କ ଅର୍ଦ୍ଧଶତକ ଓ ବୁମରାହଙ୍କ ବୋଲିଂ ଭାରତକୁ ଏହି ବୃହତ ବିଜୟ ଭେଟି ଦେଇଛି । ତେବେ ଭାରତ ବନାମ ଆଫଗାନିସ୍ତାନ ଏହି ମ୍ୟାଚରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ଥିଲା ବିରାଟ କୋହଲି ଏବଂ ନବୀନ ଉଲ୍ ହକ୍ ଲଢେଇ । ୬ ମାସ ତଳେ ଆରମ୍ଭ ହୋଇଥିବା ବିବାଦ ପରେ ଆଜି ପ୍ରଥମ ଥର ମୁହାଁମୁହିଁ ହୋଇଥିଲେ ଉଭୟ ଖେଳାଳି । ତେଣୁ ମାମଲା ସରଗରମ ହେବ ବୋଲି ଆଶା କରୁଥିଲେ କ୍ରିକେଟପ୍ରେମୀ ।

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ କୋହଲିଙ୍କର ଏକ ଅଲଗା ରୂପ ଦେଖିବାକୁ ମିଳିଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଆଫଗାନିସ୍ତାନ ମ୍ୟାଚରେ ଏମିତି କିଛି ଦେଖିବାକୁ ମିଳିଥିଲା, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଆଇପିଏଲର ଏହି ଲଢେଇ ଆଜିର ମ୍ୟାଚରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଲୋକେ ଆଶା କରୁଥିଲେ । କିନ୍ତୁ ବିରାଟ କୋହଲି ଏହାର ସମ୍ପୂର୍ଣ୍ଣ ଓଲଟା କାର୍ଯ୍ୟ କରି ଦେଖାଇଛନ୍ତି । କୋହଲି-ନବୀନଙ୍କ ବନ୍ଧୁତା ଇଣ୍ଟରନେଟରେ ଚର୍ଚ୍ଚା ପାଲଟିଛି । ଏହି ମ୍ୟାଚରେ ଉଭୟ ଖେଳାଳି ପୁରୁଣା ତିକ୍ତତାକୁ ଭୁଲି ମଇଦାନରେ ପରସ୍ପରକୁ ଆଲିଙ୍ଗନ କରିଥିଲେ । ଏହି ସମୟରେ ବିରାଟ ଏବଂ ନବୀନ କୋଳାକୋଳି ହେବା ସହ ହସି ହସି କଥା ହେଉଥିବାର ଭିଡିଓ ଏବେ ଖୁବ ଭାଇରଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଆଇପିଏଲ୍‌ ୨୦୨୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବିରାଟ ଏବଂ ନବୀନଙ୍କ ମଧ୍ୟରେ ଝଗଡା ହୋଇଯାଇଥିଲା । ଏହି ମ୍ୟାଚରେ ନବୀନ ବିରାଟଙ୍କ ହାତ ଧରିଦେଇଥିବା ପରେ ମାମଲା ବଢିଯାଇଥିଲା । ସେତେବେଳେ ଲକ୍ଷ୍ନୌ ଟିମର ମେଣ୍ଟର ଗୌତମ ଗମ୍ଭୀର ମାମଲାକୁ ସମ୍ଭାଳିଥିଲେ ।

ଗମ୍ଭୀର କୋହଲିଙ୍କୁ ଅନେକ କଥା ଶୁଣାଇଥିଲେ । ଏହି ମାମଲା ଏତେ ବଢିଯାଇଥିଲା ଯେ, ଗମ୍ଭୀର, କୋହଲି ଏବଂ ନବୀନକୁ ନେଇ ଅନେକ ସମାଲୋଚନା ହୋଇଥିଲା । ଫ୍ୟାନ୍ସ ଏମାନଙ୍କୁ ଟ୍ରୋଲ କରିଥିଲେ । କିନ୍ତୁ ବିଶ୍ୱକପରେ ଏମାନଙ୍କ ବନ୍ଧୁତା ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ମ୍ୟାଚରେ ପ୍ରଥମ ଟସ୍‌ ଜିତି ବ୍ୟାଟିଂ କରିଥିଲା ଆଫଗାନିସ୍ତାନ । ଭାରତକୁ ୨୭୩ ରନର ଟାର୍ଗେଟ ଦେଇଥିଲା ଆଫଗାନିସ୍ତାନ । ଯାହାକୁ ଭାରତ ୮ ଓ୍ଵିକେଟ ଥାଇ ଜିତି ନେଇଥିଲା । ରୋହିତ ଶର୍ମା, ଈଶାନ କିଶନ ଏବଂ ବିରାଟ କୋହଲିଙ୍କ ବ୍ୟାଟିଂ ଯୋଗୁଁ ଭାରତ ବିଶ୍ୱକପର ଦ୍ୱିତୀୟ ମ୍ୟାଚ ଜିତିସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.