ବାଟୁଳି ମାରି କାଚ ଭାଙ୍ଗନ୍ତି, ଯାହା ପାରନ୍ତି ଲୁଟି ନିଅନ୍ତି, ଏରାଗୋଲା ଗ୍ୟାଙ୍ଗର ୧୧ ଅଭିଯୁକ୍ତ ଖୁବ୍ ଶୀଘ୍ର ଯିବେ ରିମାଣ୍ଡରେ

ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସକୁ ସଫଳତା। ଧରାପଡିଲେ ୧୧ ଜଣିଆ ଏରାଗୋଲା ଗ୍ୟାଙ୍ଗ। ବ୍ୟାଙ୍କରୁ ବାହାରୁଥିବା ଲୋକଙ୍କୁ ମୁଖ୍ୟତଃ ଟାର୍ଗେଟ କରୁଥିଲେ । ବିପୁଳ ପରିମାଣର ମୋବାଇଲ, ସୁନା ଅଳଙ୍କାର, ବାଇକ ଓ ନଗଦ ଟଙ୍କା ଜବତ।

ଭୁବନେଶ୍ୱର(କେନ୍ୟୁଜ) : ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସକୁ ମିଳିଛି ବଡ ସଫଳତା । ଧରାପଡିଛନ୍ତି ୧୧ ଜଣିଆ ଏରାଗୋଲା ଗ୍ୟାଙ୍ଗ। ବ୍ୟାଙ୍କରୁ ବାହାରୁଥିବା ଲୋକଙ୍କୁ ମୁଖ୍ୟତଃ ଏମାନେ କରୁଥିଲେ ଟାର୍ଗେଟ । ତେବେ ବିପୁଳ ପରିମାଣର ମୋବାଇଲ, ସୁନା ଅଳଙ୍କାର, ବାଇକ ଓ ନଗଦ ଟଙ୍କାଏମାନଙ୍କଠାରୁ ଜବତ କରାଯାଇଛି ।

ତେବେ ହାତରେ ଲାଗିଛି  ଏକ ସିସିଟିଭି ଫୁଟେଜ । ଯେଉଁ ଫୁଟେଜରେ  ଏକ କଣ୍ଟା ସାହାଯ୍ୟରେ ବାଇକ ଡିକି ଭାଙ୍ଗୁଛନ୍ତି ଲୁଟେରା । ଦିନ ଦ୍ବିପ୍ରହରେ ରାଜଧାନୀବାସୀଙ୍କ ମୁଣ୍ଡବିନ୍ଧା ପାଲଟିଥିବା ଏରାଗୋଲା ଗ୍ୟାଙ୍ଗ ର ୧୧ ଜଣ ସଦସ୍ୟଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ୬ ଟି ମଟର ସାଇକେଲ, ୫୦ ମୋବାଇଲ ଫୋନ, ୧୭ ଟି ସୁନା ଚେନ, ୨୫ ଗ୍ରାମ ର ସୁନା ଅଳଙ୍କାର, ଅଢେ଼ଇ ଲକ୍ଷ ଟଙ୍କା ଓ ଲୁଟ ରେ ବ୍ୟବହୃତ ଅନ୍ୟ ସାମଗ୍ରୀ ଜବତ କରାଯାଇଛି ।

୧୧ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯାଜପୁର ର ହୋଇଥିବା ବେଳେ ଅନ୍ୟ ସମସ୍ତେ ଗଞ୍ଜାମ ଜିଲ୍ଲାର। କମିଶନରେଟ ପୋଲିସ ଅନ୍ତର୍ଗତ ବିଭିନ୍ନ ଥାନାରେ ୨୩ ଟି ମାମଲା ଥିବା ବେଳେ ସାଲେପୁର, ରାଜନଗର, ଗୋଳନ୍ଥରା ଓ ଆନ୍ଧ୍ର ପ୍ରଦେଶରେ ଅଭିଯୁକ୍ତଙ୍କ ନାଁ ରେ ରହିଛି ସଙ୍ଗୀନ କେସ୍ ।

କୋଟିଏ ଟଙ୍କାର ଗାଡି ହେଉ ଅଥବା ଦୁଇ କୋଟି ଏହି ବାଟୁଳି ସାହାଯ୍ୟରେ ଅଭିଯୁକ୍ତ ମାନେ ବଡ଼ ବଡ଼ିଆଙ୍କ ଗାଡିରୁ ଟଙ୍କା ଓ ଦାମୀ ଜିନିଷ ଲୁଟି ସ୍ପୀଡ଼ ବାଇକ ଯୋଗେ ଚମ୍ପଟ ମାରୁଥିଲେ । ଗାଡ଼ିରେ ବ୍ୟବହୃତ ନମ୍ବର କୁ ଟ୍ୟାମ୍ପର କରିଦେଉଥିଲେ । ଖୁବ କମ ପାଠ ପଢିଥିବା ଏହି ଅଭିଯୁକ୍ତ ମାନେ ଘୁଷୁରିଆ ଜାତିର ହୋଇଥିବା ବେଳେ ନିଶା ଖାଇବା ପାଇଁ ଏଭଳି କରୁଥିବା ଜାଣିବାକୁ ପାଇଛି ପୋଲିସ ।

ସେମାନଙ୍କ ଗ୍ରୁପରେ ଆଉ କେତେଜଣ ସଦସ୍ୟ ଅଛନ୍ତି, ସେ ନେଇ ଖୋଳତାଡ଼ ଚାଲିଛି । ସେପଟେ ଖଣ୍ଡଗିରି ଅଞ୍ଚଳରୁ ଲୁଟ ର ଶିକାର ବ୍ୟକ୍ତିଙ୍କୁ ଜବତ ହୋଇଥିବା ଲକ୍ଷେ ଟଙ୍କା ଫେରାଇଛନ୍ତି କମିଶନର।  ଏରାଗୋଲା ଗ୍ୟାଙ୍ଗ ସମ୍ପର୍କରେ ଅଧିକ ସୂଚନା ପାଇଁ ଅନ୍ୟ ଜିଲ୍ଲା ପୋଲିସକୁ କମିଶନରେଟ ପୋଲିସ ଯୋଗାଯୋଗ କରିଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ସ୍ପେଶାଲ ସ୍କ୍ୱାର୍ଡ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.