ମୁଁ ହସୁଛି ସିନା ହେଲେ ମୋ ଭିତରେ ଅସହ୍ୟ ଯନ୍ତ୍ରଣା, ମୁଁ କଣ ଆଉ ଭଲ ହେବିନି? କହୁଛି ଗଣେଶ୍ୱର

ଉଦଳା (କେନ୍ୟୁଜ) : ଖିଲି ଖିଲି ହସ। ପିଲାଟିର ଏ ହସକୁ ଦେଖିଲେ ପେଟ ପୁରି ଯାଉଛି, ଆଖି ଲାଖିଯାଉଛି। ହସ ଖଣ୍ଡିଏ ଲକ୍ଷେ ଟଙ୍କା। କୋମଳମତି ଏହି ପିଲାଟିର ହସକୁ ଦେଖି ଆପଣ ବି ଖୁସି ହୋଇଯାଉଥବେ ନିଶ୍ଚିତ । ହେଲେ ଏହି ହସ ପଛରେ ଯେ କେତେ ଯନ୍ତ୍ରଣା ଲୁଚି ରହିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଖିଲି ଖିଲି ହହୋଇ ପିଲାଟି ହସୁଛି ସିନା ହେଲେ ନା କାହାକୁ କିଛି କହିପାରୁଛି ନା କିଛି କରିପାରିଛୁ । ନା କାହା ସହିତ ଖେଳିପାରୁଛି ନା ମା ପାଖରେ ଅଝଟ କରି ପାରୁଛି । କେବଳ ଆଉ କାହା ମୁହଁରେ ହସ ଦେଖିଲେ ସେଥିରୁ ଯାହା ବୁଝୁଛି ସେହିଥିରେ ନିଜେ ବି ହସି ପକାଉଛି ।

ହସୁଥିବା ଏହି ପିଲାଟି କପ୍ତିପଦା ବ୍ଲକ ମାଙ୍କଡପଡା ପଂଚାୟତ ହସଗୁଠ ଗ୍ରାମର ୧୨ ବର୍ଷର ଗଣେଶ୍ୱର ବେହେରା । ବାପା କୁନା ବେହେରା ଏବଂ ମାଆ ସଞ୍ଜୁରାଣୀ ବେହେରାଙ୍କର ଗୋଟିଏ ବୋଲି ପୁଅ । ଏହା ସହିତ ଗଣେଶ୍ୱରର ଦୁଇ ଜଣ ଭଉଣୀ ମଧ୍ୟ ରହିଛନ୍ତି । ପାଞ୍ଚ ପ୍ରାଣୀର କୁଟୁମ୍ବ । ହସଖୁସିରେ ଚାଲିଥିଲା ସବୁକିଛି । ବାପା ଦିନ ମଜୁରିଆ ଭାବେ ଦି ପଇସା ରୋଜଗାର କରି ଆଣୁଥିଲେ ସେଥିରେ ପରିବାର ଚଳୁଥିଲା । ହେଲେ ଆଜକୁ ଏକ ବର୍ଷ ପୂର୍ବେ ହଠାତ୍ ପଂଚମ ଶ୍ରେଣୀରେ ପାଠ ପଢୁଥିବା ପୁଅ ଗଣେଶ୍ୱରକୁ ଜ୍ୱର ହୋଇଥିଲା । ଏହା ପରେ ପରିବାର ଲୋକେ ଉଦଳା, ବାରିପଦା,ବାଲେଶ୍ୱର ନେଇ ଚିକିତ୍ସା କରାଇଲେ । ହେଲେ ଜ୍ୱର କମିଲା ନାହିଁ । ବରଂ ଦିନକୁ ଦିନ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା । ଶେଷରେ କଟକ ନେଇ ଡାକ୍ତର ଦେଖାଇଲେ । ଆଉ ସେଠାରୁ ଫେରିବା ପରେ ଯେମିତି ଗଣେଶ୍ୱର ଜୀବନ ଆକାଶରେ ଛାଇଗଲା କଳାବାଦଲ ।

ହଠାତ୍ ହାତ ଗୋଡ କାମ କରିବା ବନ୍ଦ କରିଦେଲା, ପାଟି ବି ବନ୍ଦ ହୋଇଗଲା । ନା ସେ କଥା କହିପାରିଲା ନା ଚାଲିବୁଲି ପାରିଲା । ଖେଳକୁଦରେ ମାତି ରହୁଥବା ସବୁବେଳେ ଦୁଷ୍ଟାମୀ କରୁଥିବା ଏକମାତ୍ର ପୁଅର ଏପରି ଅବସ୍ଥା ଦେଖି ବାପାମାଆଙ୍କ ପାଦତଳୁ ମାଟି ଖସିଗଲା । ଏହା ପରେ ପୁଣି କଟକ ନେଇ ଡାକ୍ତର ଦେଖାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିଲା । ପାଖରେ ଥିବା ଗୋରୁ ଛେଳି ସହିତ ସୁନାଗହଣା ସବୁ ବିକି ଭାଙ୍ଗି ପୁଅକୁ ଭଲ କରିବାକୁ ଚେଷ୍ଟା କରିଥିଲେ। ହେଲେ ସମ୍ଭବ ହୋଇପାରିଲା ନାହିଁ । ଶେଷରେ ପୁଅ ସବୁଦିନ ପାଇଁ ବିଛଣାରେ ପଡି ରହିଲା। ମା ସବୁବେଳେ ତାକୁ ନିଜ ପାଖରେ ଧରି ବସିଥାନ୍ତି । ତାର ସବୁ କାମ ମାଆ ହିଁ କରିଥାନ୍ତି ।

ସେପେଟ ଘର ଖଣ୍ଡିଏ ଥିଲା ଯାହାକି ଏବେ ଭାଙ୍ଗି ଭୂଇଁରେ ଲୋଟୁଛି, ସେହି ଭଙ୍ଗା ଘର ଭିତରେ ସମସ୍ତେ ରହୁଛନ୍ତି। ଘରର ଏପରି ଅବସ୍ଥାରେ ବଡଝିଅ ପ୍ରିୟତମାର ପାଠପଢାରେ ଡୋରି ବନ୍ଧାଗଲା କେବଳ ସାନଝିଅ ପାର୍ବତୀ ବେହେରା ପାଠ ପଢୁଛି । ଏଭଳି ଅବସ୍ଥାରେ ପୁଅର ଚିକିତ୍ସା ପାଇଁ ଅନ୍ୟ ଆଗରେ ହାତ ପାତିବା ଛଡା ଅନ୍ୟ କୌଣସି ବାଟ ନାହିଁ ବାପାମାଆଙ୍କ ପାଖରେ। ପୁଅର ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚର ଆବଶ୍ୟକତା ଥିବା ବେଳେ ସରକାରୀ ସ୍ତରରେ ସହାୟତାକୁ ଚାହିଁ ରହିଛନ୍ତି ପରିବାର ଲୋକେ ।

ତେବେ ଏ ବାବଦରେ ସ୍ଥାନୀୟ ସରପଂଚଙ୍କୁ ପଚାରିବାରୁ ସେ ସବୁ ଘଟଣା ଶୁଣିବା ପରେ ତୁରନ୍ତ କିପରି ସରକାରୀ ଯୋଜନାରେ ତାଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସହ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏ ସବୁ ଭିତରେ ଏହି ନିରୀହ ପିଲାଟିର ଚିକିତ୍ସା ପାଇଁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦିଆଗଲେ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢାଇଲେ ଏହି ପିଲାଟି ସୁସ୍ଥ ହୋଇ ସ୍ୱାଭାବିକ ଭାବେ ଜୀବନ କାଟିପାରନ୍ତା । ତାସହିତ ଏହି ପରିବାରକୁ ସରକାରୀ ଯୋଜନାରେ ଘର ଖଣ୍ଡିଏ ମିଳିପାରିଲେ ପୁରା ପରିବାର ହସଖୁସିରେ ଜୀବନ ବିତାଇପାରନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.