Below header

ବ୍ରହ୍ମପୁର : ମାଆ ବୁଢୀ ସାଆନ୍ତାଣୀଙ୍କ ଯାତ୍ରାରେ ପୁଣି ଲାଗୁ ହେଲା ୧୪୪ ଧାରା

ବ୍ରହ୍ମପୁର(କେନ୍ୟୁଜ) : ମାଆ ବୁଢୀ ସାଆନ୍ତାଣୀଙ୍କ ଯାତ୍ରାରେ ପୁଣି ଲାଗୁ ହେଲା ୧୪୪ ଧାରା । ଆଜି ସଂଧ୍ୟା ୬ଟାରୁ ରାତି ୧୦ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ଆଜି ସଂଧ୍ୟାରେ ମାଆ ଅସ୍ଥାୟୀ ମଣ୍ଡପରୁ ମହୁରୀ ରାଜବାଟି ଯିବେ । ତେଣୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଛି ପ୍ରଶାସନ । ମାଆ ମହୁରୀ ରାଜବାଟି ପରିକ୍ରମା ସମୟରେ କେବଳ ୨୦ ଜଣ ପୂଜକ ରହିପାରିବେ ।

ଏହି ସମୟରେ ଆଳତୀ, ପ୍ରସାଦ ସେବନ ବନ୍ଦ ରହିବା ସହ ନଡିଆ ଭଙ୍ଗା ଯାଇପାରିବ ନାହିଁ । ସର୍ବସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ । ଆଜି ହେଉଛି ମା’ ବୁଢି ସାଆନ୍ତାଣୀଙ୍କ ଯାତ୍ରାର ତୃତୀୟ ଦିନ । ଗତକାଲି ମାଆ ଚାଙ୍ଗୁଡିରେ ବିଶ୍ରାମ ନେବା ପରେ ଆଜି ଘଟ ଭିତରେ ପ୍ରବେଶ କରିବେ ।

ମାଆଙ୍କ ମୁଖ୍ୟ ଘଟ ସହ ୮ଟି ପାର୍ଶ୍ୱ ଘଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ପୁରୁଷାନୁକ୍ରମେ ଘଟ ଯୋଗାଉଥିବା ଏକ ନିର୍ଦ୍ଦିଷ୍ଟ ଚିତ୍ରକାର ପରିବାର ପକ୍ଷରୁ ସମସ୍ତ ଘଟକୁ ଚିତ୍ରିତ କରାଯାଇଛି । ପୂଜାର୍ଚ୍ଚନା ପରେ ସଂଧ୍ୟାରେ ମା ଚାଙ୍ଗୁଡିରୁ ଘଟ ଭିତରେ ପ୍ରବେଶ କରିବେ । ଦେଶୀ ବେହେରାଙ୍କ ପତ୍ନୀ ମୁଖ୍ୟ ଘଟକୁ ମୁଣ୍ଡରେ ଧରି ରାଜବାଟି ପର୍ଯ୍ୟନ୍ତ ଯିବେ । ମହୁରୀ ରାଜବାଟିକୁ ଯାଇ ମାଙ୍କୁ ରାଜାଙ୍କ ଦର୍ଶନ କରାଇ ଫେରି ଆସିବେ । କଟକଣାକୁ ଦୃଷ୍ଟିରେ ରଖି ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.