ହତ୍ୟାର ୧୪ ଦିନ ପରେ ମିଳିଲା ସ୍କୁଟି, ହତ୍ୟାକାରୀର ପତ୍ତା ପାଉନି ପୋଲିସ୍

ଆନନ୍ଦପୁର (କେନ୍ୟୁଜ) : ହତ୍ୟାକାଣ୍ଡର ୧୪ ଦିନ ପରେ ମଧ୍ୟ ପୋଲିସ୍ ହାତ ଖାଲି ହେଲେ ହତ୍ୟାକାରୀ ନେଇ ଯାଇଥିବା ସ୍କୁଟିକୁ ଉଦ୍ଧାର କରିଛି ପୋଲିସ୍। ନଭେମ୍ବର ମାସ ୧୪ ତାରିଖରେ ନନ୍ଦିପଦା ଥାନା ନିକଟରେ ଭଡ଼ାଘରେ ରହୁଥିବା ଢେଙ୍କା ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ବାଇଁଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିବା ପରେ ତାଙ୍କ ସ୍କୁଟିକୁ ନେଇ ଫେରାର ହୋଇ ଯାଇଥବା ଚର୍ଚ୍ଚା ହୋଇଥିଲା।
କିଛି ଲୋକଙ୍କ କହିବା କଥା ଓ ପାରିପାର୍ଶ୍ୱିକ ସ୍ଥିତି କୁ ଅନୁଧ୍ୟାନ କରି ସାଳନ୍ଦୀ ନଦୀ ର ବିଦ୍ୟାଧରପୁର ପ୍ରୋଜେକ୍ଟ ବାମ ପାର୍ଶ୍ୱ କେନାଲର ଢେଙ୍କା ନିକଟରେ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ୍ ଓ ଅଗ୍ନିଶମ ବାହିନୀ। କେନାଲ ର ପାଣି ସୁଖା ଯାଇ ଖୋଜାଖୋଜି କାମ କରାଯାଉଥିଲେ ମଧ୍ୟ ସାଇଫନ ତଳକୁ ପଳାଇଥିଲା ସ୍କୁଟିଟି। ତେବେ ଦୀର୍ଘ ୧୪ ଦିନ ପରେ ଆଜି ସ୍କୁଟି ଟିକୁ ଠାବ କରି ଉଦ୍ଧାର କରଯାଇଛି। ଏବେ ମଧ୍ୟ ପୋଲିସ୍ ସମ୍ପୃକ୍ତ ସ୍ଥାନରେ ହତ୍ୟା ସମୟରେ ଆଉ କିଛି ବ୍ୟବହୃତ ସାମଗ୍ରୀ ପଡି ଥିବା ନେଇ ଖୋଜାଖୋଜି ଜାରୀ ରଖିଛି। ହତ୍ୟା ଘଟଣା ର ୧୪ ଦିନ ବିତି ଯାଇଥିବା ବେଳେ ତୁରନ୍ତ ହତ୍ୟାକାରୀକୁ ଧରିବାକୁ ଦାବି ରଖୁଛନ୍ତି ପରିବାର ଓ ସ୍ଥାନୀୟ ଲୋକେ।