Below header

ଭିଟାମାଟି ହରାଇଛନ୍ତି ତାଳଚେର ରାକସ ଗାଁର ୧୮ ପରିବାର, କୌଣସି ସୂଚନା ନଦେଇ ଘର ଭାଙ୍ଗିଦେଲା ଏମ୍‌ସିଏଲ୍‌

ଅନୁଗୁଳ: ପିଲାମାନେ କିଭଳି ପାଠ ପଢିବେ ଆଉ ଅଜ୍ଞାନ ରୂପକ ଅନ୍ଧାରରୁ ମୁକ୍ତ ହୋଇ ନୂଆ ଆଲୋକ ଦେଖିବେ ସରକାରଙ୍କ ଦାୟିତ୍ୱ । କିନ୍ତୁ ଏଠି ପ୍ରଶାସନ ଆଉ ଏମସିଏଲ୍‌ ନିଜର ଦାୟିତ୍ୱ ତୁଲାଉ ନାହାନ୍ତି । ଯାହା ଫଳରେ ଅନ୍ଧାରକୁ ଠେଲି ହୋଇଯାଉଛି ପିଲାଙ୍କ ଭବିଷ୍ୟତ । ଅନୁଗୁଳ ଜିଲ୍ଲା ତାଳଚେର ରାକସ ଗାଁର ଦଳିତ ପରିବାରର ଲୋକେ ନିଜର ଭିଟାମାଟି ହରାଇବା ସହ ନିଜ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ।

ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା ଦେଉଛନ୍ତି ସରକାର । କିନ୍ତୁ ଏ କୁନି କୁନି ପିଲାମାନଙ୍କୁ ଦେଖିଲେ ଲାଗୁଛି ସତେ ଯେମିତି ସଭିଏଁ ଖେଳନ୍ତୁ ସଭିଏଁ ବୁଲନ୍ତୁ । ଏମାନଙ୍କ ଭବିଷ୍ୟତ ଏବେ ଠେଲି ହୋଇଯାଇଛି ଅନ୍ଧକାରକୁ । ଆଉ ଏଥିପାଇଁ ଖୋଦ୍‌ ଏମସିଏଲ୍‌ ଦାୟୀ । ଅନୁଗୁଳ ଜିଲ୍ଲା ରାକସ ଗାଁରେ ବସବାସ କରୁଥିଲେ ୧୮ ଦଳିତ ପରିବାର । ସମସ୍ତଙ୍କ ପିଲାମାନେ ପଢୁଥିଲେ ସରକାରୀ ରାକସ ପଦ୍ମାବତୀ ଉପ୍ରା ବିଦ୍ୟାଳୟରେ । କିନ୍ତୁ କୌଣସି ସୂଚନା ନଦେଇ ଏମ୍‌ସିଏଲ୍‌ ଏବଂ ପ୍ରଶାସନ ମାଟି ତଳେ ପୋତି ଦେଇଛି ଏମାନଙ୍କ ସୁନାର ସଂସାରକୁ । ଆସବାବପତ୍ର ସହ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ବହି ବସ୍ତାନୀ ବି ମିଶି ଯାଇଛି ମାଟିରେ ।

ଅନ୍ୟପଟେ ସମସ୍ତଙ୍କୁ ୧୦ କିଲୋମିଟର ଦୂରରେ ଥିବା ସେଣ୍ଟ୍ରାଲ୍‌ କଲୋନୀରେ ବିପଦ ସଙ୍କୁଳ ଘରେ ଥଇଥାନ କରାଯାଇଛି । ତେବେ ସେଠାରୁ ସ୍କୁଲର ଦୂରତା ଅନେକ ଥିବାରୁ ଏବେ ଘରେ ବସି ରହିଛନ୍ତି ଛାତ୍ରଛାତ୍ରୀ । ଏନେଇ ସ୍ଥାନୀୟ ବିଧାୟକ ମଧ୍ୟ ଏମସିଏଲର ଏପରି ପଦକ୍ଷେପକୁ ଦୃଢ ଭାବରେ ନିନ୍ଦା କରିଛନ୍ତି । ଅନ୍ୟପଟେ ଘଟଣା ବିଷୟରେ ଜାଣିବା ପରେ ପିଲାଙ୍କ ପାଠପଢା ଦାୟିତ୍ୱ ତୁଲାଇବା ପାଇଁ ଏମ୍‌ସିଏଲକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ କେବେ ଦାୟିତ୍ୱ ଗ୍ରହଣ କରୁଛନ୍ତି ତାକୁ ଅପେକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.