ରାୟଗଡ଼ା ହୋଟେଲରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା: ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ାରେ ପୁଟିନଙ୍କ ସମାଲୋଚକ ତଥା ରାଜନେତା ଓ ଅନ୍ୟଜଣଙ୍କ ମୃତ୍ୟୁକୁ ନେଇ ସସପେନ୍ସ । ଘଟଣାର ତଦନ୍ତରେ ସହାୟତା କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ଡିଜିପି ସୁନୀଲ ବଂଶଲ । ଆବଶ୍ୟକ ପଡ଼ିଲେ ପୂର୍ଣ୍ଣାଙ୍ଗ କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି ଡିଜିପି କହିଛନ୍ତି । ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟରେ ରୁଷ୍‌ର କୋଟିପତି ରାଜନେତା ତଥା ପୁଟିନଙ୍କ ସମାଲୋଚକ ପାଭେଲ୍‌ ଆଣ୍ଟୋଭ ଓ ପ୍ରତିଷ୍ଠିତ ବ୍ୟବସାୟୀ ଭ୍ଲାଦିମିର ବୁଡାନୋଭ୍‌ଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଚର୍ଚ୍ଚା । ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ପୁଟିନଙ୍କୁ ସମାଲୋଚନା କରିଥିବା ଆଣ୍ଟୋଭଙ୍କ ମୃତ୍ୟୁକୁ ଅନେକ ପ୍ରଶ୍ନବାଚୀ ସୃଷ୍ଚି କରିଛି ।

ଅନ୍ୟପଟେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ କହିଛନ୍ତି, ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ମୃତକଙ୍କ ଭିସେରା ପରୀକ୍ଷା ପାଇଁ ପଠାଯାଇଛି । ଶବ ବ୍ୟବଚ୍ଛେଦର ଭିଡିଓ କେରର୍ଡିଂ ଓ ଫଟୋଗ୍ରାଫୀ କରାଯାଇଛି । ଆଜି ହୋଟେଲରେ ପହଞ୍ଚି ରୁମ୍‌ ବୁଲି ତଦନ୍ତ କରିଛନ୍ତି ଡିଆଇଜି ।୬୬ତମ ଜନ୍ମଦିନ ପାଳନ କରିବାକୁ ଗତ ୨୧ ତାରିଖରେ ଚାରି ଜଣ ରାୟଗଡ଼ାରେ ପହଞ୍ଚିଥିଲେ । ରୁଷ୍‌ର କୋଟିପତି ରାଜନେତା ପାଭେଲ୍‌ ଆଣ୍ଟୋଭଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ । ପୁଟିନଙ୍କ ୟୁନାଇଡେଟ୍‌ ରୁଷିଆ ପାର୍ଟିର ସଦସ୍ୟ ଥିଲେ ପାଭେଲ୍‌ । ୨୨ ତାରିଖରେ ହୋଟେଲରୁ ଉଦ୍ଧାର ହୋଇଥିଲା ୬୧ ବର୍ଷୀୟ ଭ୍ଲାଦିମିର ବୁଡାନୋଭ୍‌ଙ୍କ ମୃତଦେହ ।

ଏହାପରେ ୨୫ ତାରିଖରେ ଉଦ୍ଧାର ହୋଇଥିଲା ପାଭେଲ୍‌ ଆଣ୍ଟୋଭଙ୍କ ମୃତଦେହ । ସେ ହୋଟେଲର ତିନି ମହଲା ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରାୟଗଡ଼ା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ରହସ୍ୟ ବଢୁଛି । କେମିତି ଓ କେଉଁ ପରିସ୍ଥିତିରେ ଦୁଇ ନାଗରିକଙ୍କ ଦେହାନ୍ତ ହେଲା ? ହୋଟେଲରେ ମୃତ୍ୟୁ ଦିନ କ’ଣ ଘଟିଥିଲା ? ୨ ରୁଷ ନାଗରିକଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରୁଷିଆର ଭ୍ଲାଦିମିର ଲେଜିସଲେଟିଭ ଆସେମ୍ବ୍ଲିର ସଦସ୍ୟ ଥିଲେ ପାଭେଲ । ଗତ ଜୁଲାଇ ମାସରେ ୟୁକ୍ରେନ୍‌ ଉପରେ ରୁଷର ମିସାଇଲ ହମଲାକୁ ଆତଙ୍କବାଦ ସହିତ ତୁଳନା କରି ହ୍ଵାଟସଆପରେ ଷ୍ଟୋରୀ ପୋଷ୍ଟ କରିଥିଲେ ପାଭେଲ୍‌ ଆଣ୍ଟୋଭ । ପରେ ଭୁଲ୍‌ ମାଗିବା ସହ ମତ ପ୍ରତ୍ୟାହାର କରିଥିଲେ । ଏବେ ତାଙ୍କର ଅସ୍ୱାଭାବିକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭ୍ଲାଦିମିର ଲେଜିସଲେଟିଭ ଆସେମ୍ବ୍ଲିର ସଦସ୍ୟ ଥିବା ପାଭେଲ୍‌ ଆସେମ୍ବ୍ଲିରେ କୃଷି, ପରିବେଶ ପରିଚାଳନା କମିଟର ଅଧ୍ୟକ୍ଷ ଥିଲେ । ଭ୍ଲାଦିମିର ଷ୍ଟାଣ୍ଡର୍ଡ ଗ୍ରୁପ୍‌ ଅଫ କମ୍ପାନୀର ସେ ଥିଲେ ପ୍ରତିଷ୍ଠାତା । ଜଣେ ସମାଜସେବୀ ଓ ଭ୍ରମଣପ୍ରିୟ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.