ଶ୍ରାଦ୍ଧ କରିବାକୁ ଯାଉଥିଲେ ଯାଜପୁର ନାଭିଗୟାକୁ, ଛତିଆ ଠାରେ ଦୁର୍ଘଟଣାରେ ଦୁଇ ଯାଆଙ୍କର ମୃତ୍ୟୁ

ଯାଜପୁର (କେନ୍ୟୁଜ୍): ଏମିତି ବି ଆସେ ମୃତ୍ୟୁ । ପୂରା ଗୋଟିଏ ପରିବାର ଭୁବନେଶ୍ୱରରୁ ଯାଜପୁର ବିରଜା କ୍ଷେତ୍ରକୁ ଯାଉଥିଲେ । ଅସ୍ଥି ବିସର୍ଜନ ପରେ ନାଭିଗୟାରେ ଶ୍ରାଦ୍ଧ ଦେଇ ପୁଣି ଶ୍ରୀକ୍ଷେତ୍ର ଆସିଥାନ୍ତେ । ହେଲେ ସେମାନେ ଶ୍ରାଦ୍ଧ ଦେବେ କଣ ସେମାନଙ୍କ ପାଇଁ ମୃତ୍ୟୁ ଜଗି ବସିଥିଲା ଜାତୀୟ ରାଜପଥରେ । ବିରଜା ଦର୍ଶନ ପୂର୍ବରୁ ଛତିଆବଟ ଠାରେ ସେମାନଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହେଲା । ଆଉ ଆଖି ପିଛୁଳାକେ ଚାଲିଗଲା ଦୁଇ ଯାଆଙ୍କ ଜୀବନ ।

ଆଜି ସକାଳେ ଛତିଆ ବାଇପାସ୍‌ ଏନ୍‌ଏଚ୍‌-୧୬ ଉପରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସୂଚନା ଅନୁଯାୟୀ ଏକ ଟାଭେରା ଗାଡ଼ିରେ ଗୋଟିଏ ପରିବାରର ସାତ ଜଣ ଯାଜପୁର ବିରଜାଙ୍କ ପୀଠକୁ ଯାଉଥିଲେ । ତେବେ ସେମାନେ ଛତିଆ ନିକଟରେ ଜଳଖିଆ ଖାଇବା ପାଇଁ ଅଟକି ଥିଲେ । ଏନ୍‌ଏଚ୍‌ ଉପରେ ଛତିଆ ବାଇପାସ୍‌ର ଫ୍ଲାଏଓଭର ପରେ ପରେ ରାସ୍ତାର ଦୁଇ ପାଖରେ ପଡ଼େ ଅନେକ ଜଳଖିଆ ଦୋକାନ । ତେବେ ସେଠାରେ ରାସ୍ତାରେ ଟର୍ଣ୍ଣିଂ ରହିଛି । ସେହିଠାରେ ଗାଡ଼ି ଅଟକାଇ ଯେତେବେଳେ ଦୁଇ ଜଣ ମହିଳା କାର୍‌ ଡୋର ଖୋଲି ବାହାରକୁ ବାହାରୁଥିଲେ ଅଚାନକ ପଛ ପଟୁ ଏକ ମାଛ ବୋଝେଇ ଟ୍ରକ୍‌ ଅତି ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ଆଉ ସେହି ଠାରେ ହିଁ ସେମାନଙ୍କ ଜୀବନ ଚାଲି ଯାଇଥିଲା ।

ନିମିଷକେ ସବୁ କିଛି ଛାରଖାର କରିଦେଲା ଏହି ଦୁର୍ଘଟଣା। ହସଖୁସିରେ ବିରଜା ପୀଠକୁ ଯାଉଥିବା ପରିବାରରେ ଘୋଟିଗଲା ଦୁଃଖର କଳା ବାଦଲ। ଦୁର୍ଘଟଣାର ବାସ୍ତବ ଚିତ୍ର ଯିଏ ଦେଖିବ ସେ ଭୟରେ ଥରି ଉଠିବ। ମୃତକ ଦୁଇ ଜଣ ହେଉଛନ୍ତି ଭୁବନେଶ୍ୱରର ଗୀତାରାଣୀ ପାଢ଼ୀ ଓ ସସ୍ମିତା ପାଢ଼ୀ। ସେମାନେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀଙ୍କ ଭାଉଜ ।

ଭୁବନେଶ୍ୱର ସହିଦ ନଗର ଅଂଚଳର ଗୋପାଳକୃଷ୍ଣ ପାଢ଼ୀ ଏବଂ ତାଙ୍କ ପରିବାରର ୭ଜଣ ସଦସ୍ୟ ଆଜି ସକାଳୁ ଭୁବନେଶ୍ୱରରୁ ଯାଜପୁର ଅଭିମୁଖେ ନାଭିଗୟାର ଶ୍ରାଦ୍ଧ ଦେବାକୁ ବାହାରି ଥିଲେ। ଯାଜପୁରରେ ପହଞ୍ଚିବା ପୂର୍ବରୁ ୧୬ନଂ ଜାତୀୟ ରାଜପଥର ଛତିଆ ନିକଟରେ ଜଳଖିଆ ଖାଇବା ପାଇଁ ଡ୍ରାଇଭରକୁ ଗାଡି ପାର୍କ କରିବାକୁ କହିଥିଲେ। ସେଠାରେ ଗାଡ଼ି ରହିବା ପରେ ଦୁଇ ମହିଳା ଗୀତା ରାଣୀ ଓ ସସ୍ମିତା ଜଳଖିଆ ଖାଇବା ପାଇଁ ଗାଡ଼ିରୁ ବାହାରୁଥିବା ବେଳେ ଏହି ଅଘଟଣ ଘଟିଥିଲା ।

ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ମହିଳା ହେଲେ ରଜନୀକାନ୍ତ ପାଢ଼ୀଙ୍କ ୬୦ ବର୍ଷର ପତ୍ନୀ ଗୀତାଞ୍ଜଳି ପାଢ଼ୀ ଏବଂ ଅବନିକାନ୍ତ ପାଢ଼ୀଙ୍କ ୫୨ ବର୍ଷର ପତ୍ନୀ ସୁସ୍ମିତା ପାଢ଼ୀ।
ଦୁର୍ଘଟଣା ପରେ ଘଟଣା ସ୍ଥଳରେ ବୈରୀ ପୋଲିସ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ବଡ଼ଚଣା ମେଡିକାଲକୁ ପଠାଇଥିଲା। ଦୁର୍ଘଟଣା ଖବର ପାଇ ସୁରମା ପାଢ଼ୀ ମଧ୍ୟ ବଡ଼ଚଣା ମେଡିକାଲରେ ପହଞ୍ଚିଥିଲେ। ବାପା ଓ ମାଙ୍କର ଅସ୍ଥି ବିସର୍ଜନ କରିବା ପରେ ତାଙ୍କର ୩ ଭାଇ, ଭାଉଜ, ଭଉଣୀ ଏବଂ ଭିଣୋଇ ମା ବିରଜାଙ୍କ ଦର୍ଶନ କରିବାକୁ ଯାଉଥିଲେ। ଏହା ପରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଯୋଜନା ଥିଲା ବୋଲି ସେ କହିଛନ୍ତି ।

ଏନ୍‌ଏଚ୍‌ ଉପରେ ଗାଡି ପାର୍କିଂ, ଟ୍ରାଫିକ୍‌ ନିୟମ ଅମାନ୍ୟ କରିବା ଏବଂ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏମିତି ଅନେକ ଦୁର୍ଘଟଣା ଘଟୁଛି ଏହି ଅଞ୍ଚଳରେ । ଫଳସ୍ୱରୂପ ଅନେକ ସମୟରେ ଏଠାରେ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ହେଉଥିବାର ନଜିର ମଧ୍ୟ ରହିଛି। ଆଜିର ଦୁର୍ଘଟଣା ପରେ ପୋଲିସ ଏଠାରେ ଥିବା ଦୋକାନଗୁଡିକୁ ବନ୍ଦ କରିଥିବା ସୂଚନା ମିଳିଛି। ହେଲେ କେବଳଯେ ଦିନକ ପାଇଁ ଦୋକାନ ବନ୍ଦ କରି ଦେଲେ ହେବ ନାହିଁ ଏହି ସ୍ଥାନଟିକୁ ଦୁର୍ଘଟଣା ପ୍ରବଣ ଘୋଷିତ କରି ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯିବା ଦରକାର । ତା ସହିତ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ମଧ୍ୟ ସତର୍କ ରହିବା ଜରୁରୀ । କାରଣ ଏହି ଜାଗାରେ ରାସ୍ତାର ଟର୍ଣ୍ଣିଂ ଥିବା ଯୋଗୁଁ ସବୁବେଳେ ବିପଦ ରହୁଛି ।