କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ରେ କରେଣ୍ଟ୍‌! ୪ କର୍ମକର୍ତ୍ତା ହସ୍ପିଟାଲରେ ଭର୍ତ୍ତି; ଅବସ୍ଥା ସଙ୍ଗୀନ

ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ରେ ଏକ ଦୁର୍ଘଟଣା ଘଟିଛି। କର୍ଣ୍ଣାଟକର ବେଲ୍ଲାରୀରେ କଂଗ୍ରେସର ୪ କର୍ମକର୍ତ୍ତା ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଖବରରୁ ଜଣାପଡ଼ିଛି ଯେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଥିବା ୪ କର୍ମକର୍ତ୍ତା କୌଣସି ମତେ ବିଦ୍ୟୁତ୍‌ ସଂସ୍ପର୍ଶରେ ଚାଲି ଆସିଥିଲେ। ଏହାର ତୁରନ୍ତ ପରେ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନା ମୁତାବକ, ରବିବାର ସକାଳେ କର୍ଣ୍ଣାଟକର ବେଲ୍ଲାରୀରୁ ଯାତ୍ରା ଆରମ୍ଭ ହୋଇଥିଲା। ଏଠାରୁ ଯାତ୍ରା ମୌକା ନାମକ ସ୍ଥାନରେ ପହଞ୍ଚିଥିଲା। ଯାତ୍ରାରେ ସାମିଲ କିଛି କର୍ମକର୍ତ୍ତା ଦଳୀୟ ପତାକା ଏବଂ ଲୁହା ରଡ୍‌ ଧରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ହଠାତ୍‌ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେଓ୍ଵାଲା କହିଛନ୍ତି ଯେ ଘଟଣାସ୍ଥଳରେ ମୁତୟନ ଥିବା ଆମ୍ବୁଲାନ୍ସର ଡାକ୍ତର ୪ କର୍ମକର୍ତ୍ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ ଏବଂ ସେମାନଙ୍କୁ ହସ୍ପିଟାଲ ରେଫର୍‌ କରି ଦେଇଥିଲେ।

କହି ରଖୁଛୁ, କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସେପ୍ଟେମ୍ବର ୭ରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା। ୩୭୫୦ କିଲୋମିଟର ଯାତ୍ରା ପୂରା କରିବା ପରେ ଏହା ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଶେଷ ହେବ। ଯାତ୍ରାରେ ସାମିଲ ସମସ୍ତ ସଦସ୍ୟ ଏହି ସମୟରେ ୧୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ଯିବେ। ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ଜନତାଙ୍କ ସହ ଜଡ଼ିତ ପ୍ରସଙ୍ଗ ଉପରେ ଫୋକସ୍‌ କରିବ। ଯାତ୍ରା ସମୟରେ ରାହୁଲ ବେରୋଜଗାରୀ, କୃଷକମାନଙ୍କ ଋଣ ଛାଡ, ଉନ୍ନତ ଶିକ୍ଷା ଭଳି ପ୍ରସଙ୍ଗ ଉଠାଇ ସାରିଛନ୍ତି। ସେ କର୍ଣ୍ଣାଟକରେ ପ୍ରଶ୍ନ ଉଠାଇଥିଲେ ଯେ ରାଜ୍ୟର ଲୋକମାନେ କାହିଁକି କନ୍ନଡ ଭାଷାରେ ପରୀକ୍ଷା ଦେଇ ପାରିବେ ନାହିଁ?

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସେପ୍ଟେମ୍ବର ୭ରେ କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିଲା, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ୪ ରାଜ୍ୟ ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ଅତିକ୍ରମ କରି ସାରିଛି। ଭାରତ ଯୋଡ଼ୋ ଯାତ୍ରା ୯ ନଭେମ୍ବରରେ ମହାରାଷ୍ଟ୍ରରେ ପ୍ରବେଶ କରିବ। କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି କି, ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ଵାର ଓ ତାଙ୍କ ଝିଅ ତଥା ଲୋକସଭା ସାଂସଦ ସୁପ୍ରିୟା ସୁଲେ ଭାରତ ଯୋଡ଼ୋ ଯାତ୍ରାକୁ ସ୍ୱାଗତ କରି ପାରନ୍ତି। ଏହା ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଛି, ଯେତେବେଳେ କି, କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ବିପକ୍ଷର କୌଣସି ବରିଷ୍ଠ ନେତା ନଜର ଆସିବେ। ଏଥି ପୂର୍ବରୁ ସେପ୍ଟେମ୍ବର ୭ରେ ତାମିଲନାଡ଼ୁ ସିଏମ୍‌ ଏବଂ ଡିଏମ୍‌କେ ପ୍ରମୁଖ ଏମ୍‌କେ ଷ୍ଟାଲିନ୍‌ଙ୍କୁ ଯାତ୍ରା ଆରମ୍ଭ ସମୟରେ କନ୍ୟାକୁମାରୀଠାରେ ରାହୁଲ ଗାନ୍ଧୀଙ୍କୁ ତ୍ରିରଙ୍ଗା ହସ୍ତାନ୍ତର କରୁଥିବାର ଦେଖା ଯାଇଥିଲା।

ପ୍ରଥମ ଥର ଚାଷୀ ଦେବେ ଜିଏସ୍‌ଟି

ଦିନକ ପୂର୍ବରୁ ରାହୁଲ ଗାନ୍ଧୀ କହିଥିଲେ କି, ପ୍ରଥମ ଥର ଚାଷୀମାନଙ୍କୁ ଜିଏସ୍‌ଟି ଦେବାକୁ ପଡ଼ିବ। ସେ ଆହୁରି କହିଥିଲେ, ଗୋଟିଏ ପଟେ ବେକାରୀ ସମସ୍ୟା ତ ଅନ୍ୟପଟେ ଦରଦାମ୍‌ ବୃଦ୍ଧି। ନିଜର ସମ୍ପୂର୍ଣ୍ଣ ଭ୍ରମଣ ସମୟରେ ମୁଁ ଚାଷୀମାନଙ୍କୁ ଭେଟୁଛି ଏବଂ ସେମାନଙ୍କ ସ୍ଥିତି ବିଷୟରେ ପଚାରୁଛି। ଚାଷୀମାନେ ବିନା ସହାୟତାରେ ପଇସା ରୋଜଗାର କରି ପାରିବେ ନାହିଁ ଏବଂ ଚାଷୀଙ୍କୁ ସହାୟତା ପରିବର୍ତ୍ତେ ପ୍ରଥମ ଥର ଭାରତର ଚାଷୀମାନଙ୍କୁ ଜିଏସ୍‌ଟି ଦେବାକୁ ପଡ଼ିବ। ଏଭଳି ସ୍ଥିତି ସାରା ଦେଶର ଚାଷୀ ଭୋଗୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.