ଗାଧୋଇବା ବେଳେ ବୁଡି ଗଲେ ୨ ସାନ ଭଉଣୀ, ବଞ୍ଚାଇବାକୁ ଯାଇ ବଡ଼ ଭଉଣୀ ମୃତ

ନଦୀରେ ଗାଧୋଉଥିଲେ ୩ ଭଉଣୀ ସାନ ଭଉଣୀ ଦୁଇଜଣ ନଦୀରେ ହଠାତ ଭାସିଯିବାରୁ ଉଦ୍ଧାର କରିବାକୁ ଯାଇ ବଡ଼ ଭଉଣୀ ମୃତ

ସାଲେପୁର (କେନ୍ୟୁଜ): ଜେଜେଙ୍କର ଏକାଦଶାହ ଦିନ ୩ ନାବାଳିକା ଭଉଣୀ ନଦୀରେ ଗାଧୋଉଥିଲେ। ସାନ ଭଉଣୀ ଦୁଇଜଣ ନଦୀରେ ହଠାତ ଭାସିଯିବାରୁ ବଡ଼ ଭଉଣୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ପାଣିରେ ଭାସିଗଲା। ସାନ ଦୁଇଜଣ ସିନା ବଞ୍ଚିଗଲେ ହେଲେ ବଡ଼ ଭଉଣୀର ଚାଲିଗଲା ଜୀବନ। ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସାଧକନଗର ଗାଁରେ।

ଲୁଣା ନଦୀରେ ଗାଧୁଉଥିବା ସମୟରେ ଏଭଳି ଅଘଟଣ ଘଟିଛି। ମୃତ ନାବାଳିକା ଛାତ୍ରୀ ଜଣଙ୍କ ନାଁ ହେଉଛି ଋତୁପର୍ଣ୍ଣା ସାହୁ। ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ। ନଦୀରୁ ମୃତ୍ୟୁ ମୁଖରୁ ଗ୍ରାମବାସୀଙ୍କ ଦ୍ଵାରା ଅଳ୍ପକେ ଉଦ୍ଧାର ହୋଇଥିବା ନାବାଳିକା ସାନ ଭଉଣୀ ଦୁଇଜଣ ହେଲେ ରିଦ୍ଧି ଆଉ ସିଦ୍ଧି। ସାନ ଦୁଇଜଣ ଏବେ ସୁସ୍ଥ ଅଛନ୍ତି।