କେରଳକୁ କିମ୍‌ସର ସହାୟତାର ହାତ : ଗଲେ ୨୫ଜଣିଆ ଡ଼ାକ୍ତରୀ ଦଳ

ଭୁବନେଶ୍ବର(କେନ୍ଯୁଜ୍) : କେରଳ ବନ୍ୟା ବିପନ୍ନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ କଳିଙ୍ଗ ଇନିଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ-କିମସର ୨୫ ଜଣିଆ ଡାକ୍ତରୀ ଦଳ ଆଜି କେରଳ ଯାତ୍ରା କରିଛନ୍ତି । କେରଳ ମହାବନ୍ୟାରେ ୧୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ବହୁ କ୍ଷୟକ୍ଷତି ହୋଇଛି । ଏବେ ବନ୍ୟା କମିଥିବା ବେଳେ ସେଠାରେ ମହାମାରୀ ଆଶଙ୍କା ଦେଖାଦେଇଛି । ବିଶେଷକରି ଅଧିକ ପ୍ରଭାବିତ ହୋଇଥିବା ୪ଟି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବ୍ୟାପକ ଆବଶ୍ୟକତା ଦେଖାଦେଇଥିବାରୁ କିମସର ଏହି ଡାକ୍ତରୀ ଦଳ ଏକ ଭ୍ରାମ୍ୟମାଣ ଚିକିତ୍ସା ସହାୟକ ଦଳ ଭାବେ କେରଳର ଏର୍ନାକୁଲମ , ଆଲାପୁଝା, ତ୍ରିସୁର ଓ କୋଟାୟାମ ଆଦି ପ୍ରଭାବିତ ଜିଲ୍ଲାରେ କାର୍ଯ୍ୟ କରିବେ ।

ରାଜା ରମଣଙ୍କ ନେତୃତ୍ୱରେ ଏହି ଡାକ୍ତରୀ ଦଳ କେରଳ ଯାଇଛି । ଏହି ଟିମ କେରଳରେ ଏକ ମାସ ରହି ପ୍ରଭାବିତ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବେ । ଏହି ଦଳର ସମସ୍ତ ଗସ୍ତ ଖର୍ଚ୍ଚ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ କିମସ ୧୦ ଲକ୍ଷ ଟଙ୍କା ବହନ କରୁଛି । ଏହା ବ୍ୟତୀତ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ କିଟ ଓ କିସ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ମଧ୍ୟ ନିଜ ଦରମାରୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ନିଶ୍ଚିତ ପଢ଼ନ୍ତୁ : ମୁମ୍ବାଇରେ ବଡ଼ ଧରଣର ଅଗ୍ନିକାଣ୍ଡ : କ୍ରିଷ୍ଟାଲ ଟାଓ୍ଵାରରେ ନିଆଁ, ୪ ମୃତ ଏବଂ ୧୬ ଗୁରୁତର

ଗସ୍ତ ପୂର୍ବରୁ ଡ. ସାମନ୍ତ ଡାକ୍ତରୀ ଦଳକୁ ଏହି ପ୍ରକାର ସେବା ମନୋବୃତ୍ତି ପାଇଁ ଉତ୍ସାହିତ କରିଥିଲେ । କେରଳ ଗସ୍ତରେ ଯାଇଥିବା ସବୁ ଡାକ୍ତର କିମସରେ ଅଧ୍ୟୟନ ତଥା କାର୍ଯ୍ୟ କରୁଥିବା ବେଳେ ସେମାନେ କେରଳ ଓ ତାମିଲନାଡୁର ବାସିନ୍ଦା । ଏହାଛଡ଼ା କିସର ବହୁ ପୁରାତନ ଛାତ୍ରଛାତ୍ରୀ କେରଳରେ ଏବେ ବନ୍ୟା ବିପନ୍ନଙ୍କ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.