ନାବାଳିକା ଅନରକିଲିଂ ମାମଲା: ୩ ଅଭିଯୁକ୍ତଙ୍କୁ ଗିରଫ କଲା ନୂଆଗାଁ ପୋଲିସ୍

ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଂଚଳର ନାବାଳିକା ଅନରକିଲିଂ ମାମଲା । ୩ ଅଭିଯୁକ୍ତଙ୍କୁ ଗିରଫ କଲା ନୂଆଗାଁ ପୋଲିସ୍ । ଘଟଣାର ମୁଖ୍ୟ ଅଭିଯୁକ୍ତ ଝିଅର ବାପା ବିପ୍ରବର ନାୟକ ଫେରାର ।

ଦଶପଲ୍ଲା/ନୟାଗଡ଼/ କନ୍ଧମାଳ: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଂଚଳର ନାବାଳିକା ଅନରକିଲିଂ ମାମଲା । ୩ ଅଭିଯୁକ୍ତଙ୍କୁ ଗିରଫ କଲା ନୂଆଗାଁ ପୋଲିସ୍ । ଘଟଣାର ମୁଖ୍ୟ ଅଭିଯୁକ୍ତ ଝିଅର ବାପା ବିପ୍ରବର ନାୟକ ଫେରାର ଥିବାବେଳେ, ମୃତ ନା – ବାଳିକାର ପିଉସା ପତିତପାବନ ନାୟକ ଏବଂ ବିପ୍ରବରଙ୍କ ୨ ପୁତୁରା ବିକାଶ ନାୟକ,ତନ୍ମୟ ନାୟକଙ୍କୁ ଗିରଫ କରିଛି ପୋଲିସ୍। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଧୀନ ସୋରଡ଼ା ପଞ୍ଚାୟତର ବିପ୍ରବର ନାୟକଙ୍କ ଝିଅ ତୁଳସୀ ନାୟକ(୧୭)ଅଞ୍ଚଳର ଜଣେ ବିବାହିତ ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ଜିଦ୍ ଧରି ଘରୁ ପଳାଇଯାଇଥିଲେ।

ଆପୋଷ ବୁଝାମଣା କରି ତାଙ୍କୁ ଘରକୁ ଆଣିବା ସତ୍ତ୍ୱେ ତାଙ୍କ ମନୋଭାବ ବଦଳି ନଥିଲା । ଗତ ୯ ତାରିଖରେ ଝିଅକୁ ତାଗିଦ୍ କରିବା ସହ ପରିବାର ସଦସ୍ୟ ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣା ପ୍ରଘଟ ହୋଇଯିବା ଭୟରେ ଗାଁ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କରଡ଼ା ଜଙ୍ଗଲରେ ମୃତଦେହକୁ ପୋତି ଦେଇଥିଲେ ।

ଅନ୍ୟପକ୍ଷେ ନୂଆଗାଁ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଝିଅର ବାପାକୁ ଖୋଜୁଥିଲା । ଏଥି ସହ ତାଙ୍କର ୨ ପୁତୁରା କୁ ଉଠାଇଆଣି ପଚରାଉଚରା କରିବା ପରେ ସବୁ ସତ ପଦାକୁ ଆସିଥିଲା । ପରେ ଏସଡିପିଓଙ୍କ ନିର୍ଦ୍ଦେଶ କ୍ରମେ ଦଶପଲ୍ଲା ଥାନା ଅଧିକାରୀ ଓ ନୂଆଗାଁ ଥାନା ଅଧିକାରୀଙ୍କ ମିଳିତ ଭାବେ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ସହାୟତାରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ମାଟିତଳୁ ମୃତଦେହ ଉଦ୍ଧାର କରି ଫୁଲବାଣୀ ରେ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ । ଏ ନେଇ ୧୮୬/୨୩ ଏକ ମାମଲା ରୁଜୁ ହୋଇଥିବା ଜଣା ପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.