ତିନି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା : ଦଶମୂଳ ମୋଦକ ଲାଗି ପରେ ସୁସ୍ଥ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର ତିନି ଦିନ ବାକି । ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରଥଖଳାରେ ବି ତିନି ରଥର ନିର୍ମାଣ କାମ ସରି ସରି ଆସୁଛି। ଦଶମୂଳ ମୋଦକ ଲାଗି ପରେ ସୁସ୍ଥ ହେଲେ ଚତୁର୍ଦ୍ଧାମୂର୍ତ୍ତି। ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି କରାଯାଇଥିଲା। ଏହାପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଆଜି ଦଇତାପତିମାନେ ରାଜପ୍ରାସାଦ ବିଜେ କରିବେ। ଶ୍ରୀନଅରକୁ ଯାଇ ଗଜପତି ମହାରାଜଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ବାର୍ତ୍ତା ଦେବେ। ଅନବସରରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ ଚନ୍ଦନ ଓ ପ୍ରଲେପ ସବୁକୁ ନେଇ ଦଇତାପତିମାନେ ସମୂହ ଶ୍ରୀନଅରକୁ ଯିବେ। ସକାଳଧୂପ ପରେ ଶ୍ରୀମନ୍ଦିରରୁ ଦଇତା ସେବାୟତମାନେ ରାଜପ୍ରସାଦରେ ପହଞ୍ଚିବେ। ସେଠାରେ ଦିବ୍ୟ ପ୍ରଲେପ ସବୁକୁ ଦେବା ପରେ ଗଜପତି ଦିବ୍ୟସିଂହ ଦେବଙ୍କ ସହ ଆଲୋଚନା କରିବେ।

ଶ୍ରୀଜିଉଙ୍କ ସୁସ୍ଥତାର ଖବର ପାଇବା ପରେ ଘୋଷଯାତ୍ରା ସମ୍ପର୍କରେ ବିଚାରବିମର୍ଶ କରିବେ ଗଜପତି । ରାଜପ୍ରସାଦ ବିଜେ ପରେ ଆସନ୍ତାକାଲି ମହାପ୍ରଭୁଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ। ୧୩ ତାରିଖରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ୧୪ ତାରିଖରେ ରଥଯାତ୍ରା। ବଶ୍ୱକର୍ମା ଓ ଅନ୍ୟ ସେବାୟତମାନେ ଏବେ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି । ଗତକାଲି ରଥ ଚାରିପାଖରେ ପାର୍ଶ୍ୱ ଦେବଦେବୀଙ୍କୁ ଅବସ୍ଥାନ କରାଯାଇଥିଲା । ରଙ୍ଗକାମ ଚଳାଇଛନ୍ତି ଚିତ୍ରକର ସେବାୟତ । ସେପଟେ ରଥର ପ୍ରଭା, କଳସ, ହଂସପଟା କାର୍ୟ୍ୟ ଶେଷ ହୋଇଥିବା ବେଳେ ଏଗୁଡ଼ିକୁ ନେତ୍ରୋତ୍ସବ ଦିନ ଲଗାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.