ସୋନପୁରର ମା ସୁରେଶ୍ୱରୀଙ୍କ ଅଳଂକାର ଚୋରୀ ଘଟଣା:ଜିଲ୍ଲା ପୋଲିସର ତିନିଜଣ କର୍ମଚାରୀ ନିଲମ୍ବିତ

କେନ୍ୟୁଜ୍(ବ୍ୟୁରୋ): ସୋନପୁର ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ଅଳଂକାର ଚୋରୀ ଘଟଣାରେ ଜିଲ୍ଲା ପୋଲିସର ତିନିଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା କରିଥିବାରୁ ସଦର ଟାଉନ ଥାନାର କନେଷ୍ଟବଲ ଶଙ୍କରଭାନୁ ବେହେରା, ହୋମଗାର୍ଡ ଅନ୍ତର୍ଯ୍ୟାମୀ ସେଠୀ ଓ ନୃପରାଜ ସୁନାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଗତକାଲି ମା ସୁରେଶ୍ୱରୀଙ୍କ ମନ୍ଦିରର ମୁଖ୍ୟ ଫାଟକ ଓ ଗମ୍ଭୀରା ଫାଟକର ତାଲା ଭାଂଗି ଦୁର୍ବୁତ୍ତମାନେ ଦେବୀଙ୍କ ଅଳଂକାର ଚୋରୀ କରି ନେଇଥିଲେ । ଦେବୀମାଙ୍କ ୨୦ ଭରିର ରୂପା ମୁକୁଟ ସହିତ ରୂପାର ଦୁଇଟି ବଡ ଛତ୍ର ଚୋରୀ କରି ନେଇଛନ୍ତି ।

ଘଟଣାସ୍ଥଳକୁ ପୋଲିସ ଓ ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ପହଂଚି ଘଟଣା ନେଇ ସେବାୟତଙ୍କୁ ପଚାରି ବୁଝିବା ସହିତ ତଦନ୍ତ କରିଥିଲେ । ଦେବୀ ମା ସୁରେଶ୍ୱରୀ ଗଡଜାତର ଇଷ୍ଟ ଦେବୀ ହୋଇଥିବାରୁ ଏହି ଘଟଣା ଗଡଜାତବାସୀଙ୍କ ମନରେ ଗଭୀର ରେଖାପାତ ସୃଷ୍ଟି କରିଛି । ତେବେ ଏହି ଘଟଣାର ସମ୍ବେଦନଶୀଳତାକୁ ହୃଦୟଂଗମ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟରେ ଅବହେଳା ଯୋଗୁଁ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଏକ ସ୍ୱତନ୍ତ୍ର ପୋଲିସ ଦଳ ଘଟଣାର ତଦନ୍ତ କରୁଛି । ତେବେ ଖୁବ ଶୀଘ୍ର ଚୋରୀ ଜିନିଷ ଉଦ୍ଧାର ହେବ ବୋଲି ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.