ରାଜଧାନୀରେ କୋଭିଡ଼ରେ ପ୍ରାଣହରାଇଥିବା ପେନ୍‌ସନ୍‌ଧାରୀଙ୍କ ପତ୍ନୀଙ୍କୁ ମିଳିବ ପେନ୍‌ସନ୍‌

ଭୁବନେଶ୍ୱର(କେନ୍ୟୁଜ୍):  ରାଜ୍ୟ ସରକାରଙ୍କର ଘୋଷଣା କ୍ରମେ ଭୁବନେଶ୍ୱର ମହାନଗର ନିଗମ (ବି ଏମ୍ ସି) ପକ୍ଷରୁ କୋଭିଡ଼୍ ଯୋଗୁଁ ମୃତ୍ୟୁବରଣ କରିଥିବା ଏବଂ ସାମାଜିକ ସୁରକ୍ଷା ପେନ୍‌ସନ୍ ପାଉଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ସମାନ ପେନ୍‌ସନ୍ ଦେବାପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଏହି ଭିତିରେ ଆବେଦନ କରିଥିବା ୧୧ ଜଣ ମହିଳାଙ୍କୁ ଉକ୍ତ ସହାୟତା ଯୋଗାଇ ଦେବାପାଇଁ ଅନୁମୋଦନ କରିଛନ୍ତି ବିଏମସିର କମିଶନର ସଂଜୟ  ସିଂହ। ସ୍ୱତନ୍ତ୍ର ଭାବେ ଚିହ୍ନିତ ହୋଇ ସାମାଜିକ ସୁରକ୍ଷା ପେନ୍‌ସନ୍ ପାଉଥିବା ବ୍ୟକ୍ତିମାନଙ୍କ ନିମନ୍ତେ କରାଯାଉଥିବା ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରିବାକୁ କହିଛନ୍ତି କମିଶନର ।

ବି ଏମ୍ ସି ଅଂଚଳରେ ଆଜି ସୁଧା ଆସିଥିବା ଏହି ୧୧ ଜଣ ଆବେଦନକାରୀଙ୍କୁ ଚିହ୍ନଟ କରି ଏବଂ ଏହାର କ୍ଷେତ୍ର ପରିଦର୍ଶନ, ଆବଶ୍ୟକୀୟ କାଗଜାତ, ସମ୍ପୃକ୍ତ ପତ୍ନୀମାନଙ୍କ ପ୍ରାମାଣିକ ଚିହ୍ନଟ ଇତ୍ୟାଦି ସେମାନଙ୍କ ନିଜ ନିଜର ଜୋନ୍ ସ୍ତରରେ କରାଯାଇଥିଲା । ପରେ ଏହାକୁ ଉପ ଆୟୁକ୍ତ (ସମାଜ ମଙ୍ଗଳ)ଙ୍କ ସ୍ତରରେ ନଥିକରଣ କରାଯାଇ କମିଶନରଙ୍କ ଅନୁମୋଦନ ପାଇଁ ପ୍ରେରିତ ହୋଇଥିଲା । ଆଜି ଏହି ୧୧ ଜଣଙ୍କର ପେନ୍‌ସନ୍ କୁ ଅନୁମୋଦନ କରାଯାଇଛି ଏବଂ ସରକାରଙ୍କ ନିୟମ ଅନୁଯାୟୀ ମଧୁବାବୁ ପେନ୍‌ସନ୍ ଯୋଜନା ଅଧିନରେ ଦିଆଯିବ ବୋଲି କୁହାଯାଇଛି ।

 

ଯେଉଁ ୧୧ ଜଣ ଏହି ସହାୟତା ପାଇବେ ସେମାନେ ହେଲେ:-୧-ଚଗଲି ସାହୁ, ସ୍ୱାମୀ-ଶ୍ୟାମ ସୁନ୍ଦର ସାହୁ, ୨-ପି. ନୂତନ ପାତ୍ର, ସ୍ୱାମୀ-ପି. ସନ୍ତୋଷ ପାତ୍ର, ୩-ଉଷାରାଣୀ ମହାପାତ୍ର, ସ୍ୱାମୀ-କୃଷ୍ଣଚନ୍ଦ୍ର ମହାପାତ୍ର, ୪-ସସ୍ମିତା ଖୁଂଟିଆ, ସ୍ୱାମୀ-ସୁଷାନ୍ତ କୁମାର ସାହୁ, ୫-ଜାସ୍ମିନି ନାୟକ, ସ୍ୱାମୀ-ସନ୍ଦିପ୍ କୁମାର ବେହେରା, ୬-ପ୍ରଣତି ମହାନ୍ତି, ସ୍ୱାମୀ-ମାନସ ମହାନ୍ତି, ୭-ସୁକାନ୍ତି ସାମନ୍ତରାୟ, ସ୍ୱାମୀ-ଦେବେନ୍ଦ୍ରନାଥ ସାମନ୍ତରାୟ, ୮-ଶ୍ରଦ୍ଧାଞ୍ଜଳୀ ମହାପାତ୍ର, ସ୍ୱାମୀ-ଅଜୟ କୁମାର ମହାପାତ୍ର, ୯-ସତ୍ୟଭାମା ନାୟକ, ସ୍ୱାମୀ- ଧୋବା ନାୟକ, ୧୦-ମମତା ସାହୁ, ସ୍ୱାମୀ-ହରେକୃଷ୍ଣ ସାହୁ, ୧୧-ଭାଗ୍ୟଶ୍ରୀ ମହାପାତ୍ର, ସ୍ୱାମୀ-ସଞ୍ଜୀବ୍ କୁମାର ସାହୁ । ଏମାନଙ୍କ ମଧ୍ୟରୁ ୧୦ ଜଣ ବି ଏମ୍ ସି ନର୍ଥ ଜୋନ୍‌ରୁ ଏବଂ ଜଣେ ଦକ୍ଷିଣ-ପୂର୍ବ ଜୋନ୍‌ରୁ ରହିଛନ୍ତି । ତେବେ ଏହି ପେନ୍‌ସନ୍ ଦେବା ବ୍ୟବସ୍ଥାରେ ମଧୁବାବୁ ପେନ୍‌ସନ୍ ଯୋଜନାର ନିୟମ-୬ ଅଧିନରେ ଥିବା ନିର୍ଦ୍ଦେଶାବଳୀକୁ ଆଧାର କରାଯିବାକୁ କୁହାଯାଇଛି ଯେଉଁଥିରେ କି ୬୦ % ରୁ ଅଧିକ ଭିନ୍ନକ୍ଷମ ଥିବା ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ୱଙ୍କ ଲାଗି ରହିଥିବା ନିୟମ ଗୁଡ଼ିକ ଲାଗୁହେବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ  ଗତ ଜୁନ୍ ମାସରୁ ଅଦ୍ୟାବଧି ବି ଏମ୍ ସି ଅଂଚଳରେ ସାମାଜିକ ସୁରକ୍ଷା ପେନ୍‌ସନ୍‌ଧାରୀଙ୍କୁ ଗୁରୁତ୍ୱ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟରେ ପହଂଚାଇବାକୁ କମିଶନରଙ୍କ ନିର୍ଦ୍ଦେଶ ରହିଥିବା ବେଳେ ଆଜି ଦିନରେ ବିଏମସି ଅଂଚଳରେ ସମୁଦାୟ ୨୧,୨୦୬ ଜଣ ହିତାଧିକାରୀ ସାମାଜିକ ସୁରକ୍ଷା ପେନ୍‌ସନ୍‌ରେ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି । ଏମାନଙ୍କର ମାସିକ ଦେୟ ବ୍ୟାଙ୍କ୍ ଆକାଉଂଟ୍ ମାଧ୍ୟମରେ କରାଯାଉଛି । ଧାର୍ଯ୍ୟ ଲକ୍ଷ୍ୟ ୨୧,୮୧୧ ଥିବାବେଳେ ଆଉ ମାତ୍ର ୬୦୫ ଜଣଙ୍କର ଅନୁମୋଦନ ପ୍ରକ୍ରିୟା ଚଳିତ ଡ଼ିସେମ୍ବର ମାସ ସୁଧା ସାରିବାର ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ଉପ ଆୟୁକ୍ତ (ସମାଜ ମଙ୍ଗଳ) ରମେଶ ଚନ୍ଦ୍ର ଜେନା ।

 

ବର୍ତ୍ତମାନ ସୁଧା ପାଉଥିବା ସାମାଜିକ ସୁରକ୍ଷା ପେନ୍‌ସନ୍‌ଧାରୀଙ୍କ ମଧ୍ୟରୁ ୧୬,୪୪୮ ଜଣ ମଧୁବାବୁ ପେନ୍‌ସନ୍ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୪,୭୫୮ ଜଣ ଜାତୀୟ ସାମାଜିକ ସୁରକ୍ଷା ପେନ୍‌ସନ୍‌ଧାରୀ ଅଟନ୍ତି । ଏମାନଙ୍କ ମଧ୍ୟରେ ୧୨,୬୧୫ ଜଣ ମହିଳା ଥିବାବେଳେ ୮,୫୯୧ ଜଣ ପୁରୁଷ ହିତାଧିକାରୀ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.