କାମ କରିବାକୁ ଯାଇ ଥାଇଲାଣ୍ଡରେ ଫସି ରହିଛନ୍ତି ୩୮ଜଣ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଅପିଲ୍
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ୩୮ଜଣ ଯୁବକ ଥାଇଲାଣ୍ଡର ଏକ ପ୍ଲାଏଉଡ଼ କମ୍ପାନୀରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ କମ୍ପାନୀ କର୍ମଚାରୀଙ୍କ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି ।
ଆଳି(କେନ୍ୟୁଜ୍): କାମ କରିବାକୁ ଯାଇ ଥାଇଲାଣ୍ଡରେ ଫସି ରହିଛନ୍ତି ୩୮ଜଣ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ୩୮ଜଣ ଯୁବକ ଆଟାପୁ-ଲାଓର ଏକ ପ୍ଲାଏଉଡ଼ କମ୍ପାନୀରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ କମ୍ପାନୀ କର୍ମଚାରୀଙ୍କ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଓଡ଼ିଆ ଶ୍ରମିକ ମାନଙ୍କୁ ୨ମାସ ହେବ ଦରମା ଦିଆଯାଇନଥିବା ବେଳେ ସେମାନଙ୍କ ପାସପୋର୍ଟକୁ ଜୋର ଜବରଦସ୍ତ କମ୍ପାନୀ କର୍ମଚାରୀ ଛଡାଇ ନେଇଯାଇଛନ୍ତି।
ଯାହାଫଳରେ ୩୮ଜଣ ଶ୍ରମିକ ଭୋକ ଉପାସରେ ଗୃହବନ୍ଦୀ ଭାବେ ଜୀବନ କାଟୁଛନ୍ତି। ଏନେଇ ଏକ ଭିଡିଓ ବାର୍ତା ଜରିଆରେ ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ଏମାନେ। ଏପଟେ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ସହ ଫସି ରହିଥିବା ଶ୍ରମିକ ଯୋଗାଯୋଗ କରିବା ପରେ, ଶ୍ରୀ ଶର୍ମା କେନ୍ଦ୍ରାପଡା ଜିଲାପାଳଙ୍କୁ ଏନେଇ ଅବଗତ କରିବା ସହ ଫସି ରହିଥିବା ଶ୍ରମିକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦେଇଛନ୍ତି ।