ସାଇକେଲରେ ଓଡ଼ିଶାରୁ କେଦାରନାଥ ବାହାରିଛନ୍ତି ୪ ଯୁବକ, ୧୬ ଦିନରେ କେଦାରନାଥରେ ପହଞ୍ଚିବା ନେଇ ରଖିଛନ୍ତି ଲକ୍ଷ୍ୟ

ବସ କି ଟ୍ରେନ ନୁହେଁ ସାଇକେଲ ଧରି ସୁଦୂର କେଦାରନାଥ ଯିବା ପାଇଁ ଆଗେଇ ଆସିଛନ୍ତି । ଦୀର୍ଘ ୧୬୦୦ କିଲୋମିଟର ରାସ୍ତାକୁ ସାଇକେଲରେ ଅତିକ୍ରମ କରିବାର ଲକ୍ଷ୍ୟ ରଖିଛନ୍ତି ଏମାନେ ।

ନବରଙ୍ଗପୁର ସାଇକେଲରେ ଓଡ଼ିଶାରୁ କେଦାରନାଥ । କଥା ଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କେଦାରନାଥରେ ପହଞ୍ଚିବା ପାଇଁ ୪ ଜଣ ଯୁବକ ଆପଣାଇଛନ୍ତି ଏଭଳି ଭିନ୍ନ ଉପାୟ । ବସ କି ଟ୍ରେନ ନୁହେଁ ସାଇକେଲ ଧରି ସୁଦୂର କେଦାରନାଥ ଯିବା ପାଇଁ ଆଗେଇ ଆସିଛନ୍ତି । ଦୀର୍ଘ ୧୬୦୦ କିଲୋମିଟର ରାସ୍ତାକୁ ସାଇକେଲରେ ଅତିକ୍ରମ କରିବାର ଲକ୍ଷ୍ୟ ରଖିଛନ୍ତି ଏମାନେ । ବାବା କେଦାରନାଥଙ୍କ ଭକ୍ତିରେ ଆନନ୍ଦର ସହ ଏତେ ଦୂରକୁ ସାଇକେଲ ଧରି ବାହାରି ପଡ଼ିଛନ୍ତି । ମନରେ ଦୃଢ଼ ଇଚ୍ଛା ଶକ୍ତି ଆସିଲେ ଲମ୍ବା ଯାତ୍ରା ବି କମ୍‌ ଲାଗେ । ଆଉ ଏ ଯୁବକମାନେ ବର୍ତ୍ତମାନ ଓଡ଼ିଶାରୁ କେଦାରନାଥ ଅଭିମୁଖେ ବାହାରି ପଡ଼ିଛନ୍ତି ।

ବାବା କେଦାରନାଥ ନାଁ ଶୁଣିଲେ ହିଁ ଏଠାକୁ ଯିବା ପାଇଁ ମନରେ ଇଚ୍ଛା ଆସେ । ବର୍ତ୍ତମାନ ଯୁବପିଢ଼ୀଙ୍କ ମଧ୍ୟରେ କେଦାରନାଥ ଯିବାର ଭିନ୍ନ କ୍ରେଜ୍‌ ଦେଖିବାକୁ ମିଳୁଛି । ବାବା କେଦାରନାଥଙ୍କ ଭକ୍ତିରେ ଭକ୍ତମାନେ କିଛି ବି କରିବାକୁ ପଛାନ୍ତି ନାହିଁ । ୪ ଜଣ ଯୁବକ ବି ବାବା କେଦାରନାଥଙ୍କ ଦର୍ଶନ ପାଇଁ ବାହାରି ପଡ଼ିଛନ୍ତି । କିନ୍ତୁ ଏମାନେ ବସ କି ଟ୍ରେନ ନୁହେଁ ସାଇକେଲ ଧରି ଓଡ଼ିଶାରୁ କେଦାରନାଥ ବାହାରିଛନ୍ତି ।

ନବରଙ୍ଗପୁର ଜିଲ୍ଲା ଉମରକୋଟର ଚାରିଜଣ ଯୁବକ ସାଇକଲରେ କେଦାରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଉମରକୋଟ ଠାରୁ କେଦାରନାଥ ସମୁଦାୟ ୧୬୦୦ କିଲୋମିଟର ରହିଥିବା ବେଳେ ଏହି ଦୀର୍ଘ ରାସ୍ତାକୁ ୧୬ ଦିନରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ଚାରି ଯୁବକ ହେଉଛନ୍ତି ଉମରକୋଟ ସହରର ଡଙ୍ଗରିସାହିର ଗୋବିନ୍ଦ ନାୟକ, କେନାଲ ସାହିର ଛବି ହରିଜନ, ହରିବଲ ହରିଜନ ଓ ଟିକିରା ସାହିର ଖଗପତି ମାହାରା । ଏହି ୪ ଜଣ ସାଙ୍ଗ ପ୍ରଥମେ ଉମରକୋଟ ପେଣ୍ଡରାଣୀ ମା’ଙ୍କ ମନ୍ଦିର ଠାରେ ପୂଜାର୍ଚ୍ଚନା କରିବା ପରେ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଚାରିଟି ଉଦେଶ୍ୟ ନେଇ ଏହି ଯାତ୍ରା ଆରମ୍ଭ କରିଛନ୍ତି ଏମାନେ । ତେବେ ଏହି ଉଦ୍ଦେଶ୍ୟ ଗୁଡ଼ିକ ହେଲା ପ୍ରକୃତି ସୁରକ୍ଷା , ସ୍ୱଚ୍ଛ ଭାରତ ମିଶନ, ସନାତନ ଧର୍ମର ସୁରକ୍ଷା ଓ ବିଶ୍ୱବାସୀଙ୍କ ମଙ୍ଗଳ ଉଦ୍ଦେଶ୍ୟ ନେଇ ଏହି ଯାତ୍ରାରେ ବାହାରି ପଡ଼ିଛନ୍ତି ଏହି ୪ ଯୁବକ । ମୋଟ ୧୬୦୦ କିଲୋମିଟର ରାସ୍ତାକୁ ପ୍ରତିଦିନ ୧୦୦ କିଲୋମିଟର ଭାବେ ରାସ୍ତା ଅତିକ୍ରମ କରିବା ସହ ୫ ଟି ରାଜ୍ୟ ଦେଇ ୧୬ ଦିନରେ କେଦାରନାଥଠାରେ ପହଞ୍ଚିବା ନେଇ ଲକ୍ଷ୍ୟ ରଖିଛନ୍ତି । ସାଇକେଲ ଯୋଗେ କେଦାରନାଥ ଯାତ୍ରା କରିବା ପାଇଁ ଯେଉଁ ଦୁଃସାହସିକତା ଦେଖାଇଛନ୍ତି ତାକୁ ନେଇ ଗାଁ ଲୋକେ ବେଶ୍‌ ପ୍ରଶଂସା କରିଛନ୍ତି ।

କେଦାରନାଥ ତ ଅନେକ ଲୋକ ଯାଉଛନ୍ତି । କିନ୍ତୁ ଏମାନଙ୍କ ଏ ନିଆରା ପ୍ରୟାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏମାନଙ୍କ ସାହସ ବାନ୍ଧିବା ପାଇଁ ଗାଁ ଲୋକେ ବି ସମର୍ଥନ କରିଛନ୍ତି । ଯୁବକମାନଙ୍କ ଏଭଳି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

Leave A Reply

Your email address will not be published.