ଉଦଘାଟିତ ହେଲା ୫ଟି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ, ଭର୍ଚୁଆଲ ମୋଡରେ ଉଦଘାଟନ କଲେ ସୁପ୍ରିମକୋର୍ଟର ବିଚାରପତି

ଓଡିଶା ହାଇକୋର୍ଟ ପକ୍ଷରୁ ଜିଲ୍ଲା କୋର୍ଟ ଗୁଡିକରେ ପ୍ରତିଷ୍ଠା ହୋଇଥିବା ଭ୍ରଚୁଆଲ କୋର୍ଟ ପାଇଁ ସେ ମଧ୍ୟ ପ୍ରଶଂସା କରିଥିଲେ। ବିକଳ୍ପ ବିବାଦ ସମାଧାନ କ୍ଷେତ୍ରରେ ମଧ୍ୟସ୍ଥତା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିବା ସହିତ ଏହି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଗୁଡିକରେ ମଧ୍ୟସ୍ଥତା ଓ ଆଇନ ସହାୟତା ତାଲିମ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ।

କଟକ(କେନ୍ୟୁଜ୍): ରାଜ୍ୟରେ ୫ଟି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଉଦଘାଟିତ ହୋଇଯାଇଛି। କଟକ ଜୁଡିସିଆଲ ଏକାଡେମୀରୁ ଭର୍ଚୁଆଲ ମୋଡ଼ରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସମସ୍ତ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଗୁଡିକୁ ଉଦଘାଟିତ କରିଛନ୍ତି। ଅନୁଗୁଳ, ବାଲେଶ୍ଵର, ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁରରେ ଏହି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଉଦଘାଟନ କରି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ ଯେ, ଓଡିଶାରେ ସ୍ଥାପନ ହୋଇଥିବା ଏହି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ସାରା ଦେଶ ପାଇଁ ଉଦାହରଣ ହୋଇପାରିଛି। ଓଡିଶା ହାଇକୋର୍ଟ ପକ୍ଷରୁ ଜିଲ୍ଲା କୋର୍ଟ ଗୁଡିକରେ ପ୍ରତିଷ୍ଠା ହୋଇଥିବା ଭ୍ରଚୁଆଲ କୋର୍ଟ ପାଇଁ ସେ ମଧ୍ୟ ପ୍ରଶଂସା କରିଥିଲେ। ବିକଳ୍ପ ବିବାଦ ସମାଧାନ କ୍ଷେତ୍ରରେ ମଧ୍ୟସ୍ଥତା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିବା ସହିତ ଏହି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଗୁଡିକରେ ମଧ୍ୟସ୍ଥତା ଓ ଆଇନ ସହାୟତା ତାଲିମ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର କହିଥିଲେ, ଓଡ଼ିଶାର ଭୌଗୋଳିକ ସ୍ଥିତିକୁ ବିଚାରକୁ ନେଇ ଏହି ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଗୁଡିକ ପ୍ରତିଷ୍ଠା କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ସହଯୋଗ ଯୋଗାଇ ଦେଇଥିବାରୁ ସେ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜୁଡିସିଆଲ ତାଲିମ କମିଟି ଅଧ୍ୟକ୍ଷ ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ, ଓଡିଶା ଜୁଡିସିଆଲ ଏକାଡେମୀରେ ଗତ ପାଞ୍ଚ ବର୍ଷ ମଧ୍ୟରେ ତିନି ଶହ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇ ପାରିଛି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥି କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କିଛି ବିଚାରପତି ଜୁଡିସିଆଲ ଏକାଡେମୀରେ ଉପସ୍ଥିତ ରହିଥିବା ବେଳେ ଅନ୍ୟ କିଛି ବିଚାରପତି ପାଞ୍ଚଟି ଆଞ୍ଚଳିକ ଜୁଡିସିଆଲ ଏକାଡେମୀରେ ଉପସ୍ଥିତ ରହି ଭ୍ରଚୁଆଲରେ ଯୋଗ ଦେଇଥିଲେ।