ପୁରୀ: ଆଜିବି ଯଶୋଦା ମା ହାତ ରନ୍ଧାକୁ ଝୁରୁଛନ୍ତି ଶ୍ରୀକୃଷ୍ଣ, ଗୌରବିହାର ଆଶ୍ରମ ବ୍ଯଞ୍ଜନ ଦ୍ୱାଦଶୀରେ ପରଷି ଦେଲା ୭୦୧ ପ୍ରକାରର ଖାଇବା

ପୁରୀ(କେନ୍ୟୁଜ୍):ଆଜି ହେଉଛି ବ୍ଯଞ୍ଜନ ଦ୍ୱାଦଶୀ । ଆଜିର ଦିବସରେ ମାତା ଯଶୋଦା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ୟେଶ୍ଯରେ ନାନାଦି ପ୍ରକାରର ବ୍ଯଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି । ଏହାକୁ ପାଥେୟ କରି ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମ ଠାରେ ବ୍ଯଞ୍ଜନ ଦ୍ୱାଦଶୀ ପାଳନ କରାଯାଇ ଥିବା ବେଳେ ୭୦୧ ପ୍ରକାରର ବ୍ଯଞ୍ଜନ ପ୍ରସ୍ତୁତ କରାଯାଇଥିଲା । ଏତେ ପ୍ରକାରର ବ୍ଯଞ୍ଜନ ପ୍ରସ୍ତୁତ କରିବାରେ ପୁରୀର ଏହି ଆଶ୍ରମର ବିଶେଷ ଖ୍ଯାତି ରହିଛି ।

ଆଜି ବ୍ଯଞ୍ଜନ ଦ୍ୱାଦଶୀ ଅବସରରେ ଭିନ୍ନ ଭିନ୍ନ ବ୍ଯଞ୍ଜନ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବାର ପ୍ରଥା ରହିଛି । ଦ୍ୱାପର ଯୁଗରେ ମାତା ଯଶୋଦା ଶ୍ରୀକୃଷ୍ଣଙ୍କୁ ଭିନ୍ନ ଭିନ୍ନ ପ୍ରକାରର ବ୍ଯଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେବାର କିମ୍ବଦନ୍ତୀ ଅଛି । ସେହି ପରମ୍ପରାକୁ ପାଳନ କରିବାକୁ ଯାଇ କୃଷ୍ଣ ଭକ୍ତ ମାନେ ଆଜିର ଦିନରେ ବିଶେଷ ଖାଦ୍ୟ ଦ୍ରବ୍ଯ ପ୍ରସ୍ତୁତ କରିଥାନ୍ତି ।

ପୁରୀରେ ଥିବା ଗୌରବିହାର ଆଶ୍ରମରେ ଏହି ବ୍ଯଞ୍ଜନ ସବୁ ପ୍ରାୟ ୧୦୦ ଜଣ ପାଚକ ପାଚିକାଙ୍କ ସହାୟତାରେ ମହନ୍ତ ସୁବଳ ମହାରାଜଙ୍କ ତତ୍ୱାବଧାନରେ ୭୦୧ ପ୍ରକାରର ବ୍ଯଞ୍ଜନ ପ୍ରସ୍ତୁତ କରାଯାଇଥିଲା ।ଏଥିରେ ବିଭିନ୍ନ ପ୍ରକାରର ଅନ୍ନ, ଡାଲି, ଭଜା,ଚଟଣି, ଶତାଧିକ ପ୍ରକାରର ତରକାରୀ, ପାମ୍ପଡ, ରାଇତା ସହ କ୍ଷୀରି ଆଦି ଭୋଗ ପ୍ରସ୍ତୁତ ହୋଇଥିଲା ।

ଏହାକୁ ଭୋଗ କରାଯାଇ ସାଧୁ, ସନ୍ଥ ଓ ଭକ୍ତ ମାନଙ୍କ ମଧ୍ୟରେ ପରସା ଯାଇଥିଲା । ସ୍ବତନ୍ତ୍ର ଖଲି ପତ୍ରରେ ଏହି ବ୍ଯଞ୍ଜନ ସବୁକୁ ପରସା ଯାଇଥିଲା। ଭକ୍ତମାନେ ଏତେପ୍ରକାରର ପ୍ରସାଦ ସେବନ କରିବାର ସୌଭାଗ୍ଯ ପାଇଥିବାରୁ ନିଜକୁ ଧନ୍ଯମନେ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.