ମହାସମାରୋହରେ ଅନୁଷ୍ଠିତ ହୋଇଛି ଖଡିଆଳର ବୁଏଲ ଛତର ଯାତ୍ରା, ଲାଗିଛି ଭକ୍ତଙ୍କ ଭିଡ଼

ବିଜୟାଦଶମୀ ଉପଲକ୍ଷେ ନୂଆପଡା ଜିଲ୍ଲା ଖଡିଆଳର ଗଡଦେବୀ ମାଁ ରକ୍ତାମ୍ୱରୀ ଓ ଚୈାହାନ ବଂଶର ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ବୁଏଲ ଛତର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦେବୀଙ୍କ ଯୋଡି ଛତର ଯାତ୍ରା ଓଡିଶା ପ୍ରସିଦ୍ଧ ।

ପବିତ୍ର ଦଶହରା ବିଜୟାଦଶମୀ ଉପଲକ୍ଷେ ନୂଆପଡା ଜିଲ୍ଲା ଖଡିଆଳର ଗଡଦେବୀ ମାଁ ରକ୍ତାମ୍ୱରୀ ଓ ଚୈାହାନ ବଂଶର ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ବୁଏଲ ଛତର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦେବୀଙ୍କ ଯୋଡି ଛତର ଯାତ୍ରା ଓଡିଶା ପ୍ରସିଦ୍ଧ । ଏଭଳି ଯୋଡି ଛତର ଯାତ୍ରା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଏହି ଦୁଇ ଦେବୀଙ୍କ ଯୋଡି ଛତର ଯାତ୍ରାରେ ଏବର୍ଷ ନୂଆପଡା ଜିଲ୍ଲା ସମେତ କୋରାପୁଟ,ବଲାଙ୍ଗୀର ଓ ବ୍ରହ୍ମପୁରର କଳାକାରମାନେ ଶୋଭାଯାତ୍ରାରେ ସାମିଲ ହୋଇ ଘୁମୁରାନୃତ୍ୟ, ଘୋଡାନାଚ,ଘଣ୍ଟବାଜା, ଦୁଲଦୁଳି ବାଜା ସହ ଢୋଲ, ନିଶାନ ଓ ତାସାର ତାଳେ ତାଳେ ନୃତ୍ୟଗୀତ ପରିବେଷଣ କରିଛନ୍ତି । କଳାକାରମାନଙ୍କ ନୃତ୍ୟଗୀତରେ ଖଡିଆଳ ସହର ଉତ୍ସବ ମୁଖରିତ ହୋଇଥିଲା । ଏହି ଦୁଇ ଦେବୀଙ୍କ ଛତର ଯାତ୍ରାକୁ ଦେଖିବା ପାଇଁ ୫୦ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

ନୂଆପଡା ଜିଲ୍ଲାର ବହୁ ପୁରୁଣା ସହର ହେଉଛି ଖଡିଆଳ । ୧୮୨୦ ମସିହାରେ ଖଡିଆଳର ତତ୍କାଳୀନ ରାଜା ରତନ ସିଂଦେଓ କୋମନାଗଡରୁ ତାଙ୍କ ରାଜଧାନୀକୁ ଖଡିଆଳକୁ ଆଣି ପ୍ରତିଷ୍ଠା କରିଥିଲେ । ଖଡିଆଳରେ ରାଜଧାନୀ ପ୍ରତିଷ୍ଠା ହେବାପରେ ଖଡିଆଳ ନିକଟସ୍ଥ ପଲମାଗଡରୁ ମାଁ ରକ୍ତାମ୍ୱରୀଙ୍କୁ ଗୋଟିଏ ପାଦରେ ଗୋଟିଏ ବୋଦା ବଳି ଦେଇ ଖଡିଆଳକୁ ଆଣି ପ୍ରତିଷ୍ଠା କରିଥିଲେ । ସେହିଭଳି କୋମନାଗଡରୁ ମାଁ ସମଲେଶ୍ଵରୀଙ୍କୁ ମଧ୍ୟ ପାଛୋଟି ଆଣିବା ପରେ ଖଡିଆଳର ଈଷ୍ଟଦେବୀ ଭାବେ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରି ଆସୁଛନ୍ତି । ସେହିଦିନଠାରୁ ପ୍ରତିବର୍ଷ ଦଶହରା ମହାଳୟା ଦିନଠାରୁ ପ୍ରଥମେ ଖଡିଆଳର ଗଡଦେବୀ ମାଁ ରକ୍ତାମ୍ୱରୀଙ୍କ ମନ୍ଦିରରୁ ବାଜାଗାଜା ସହ ଛତର ଧରି ସେବାୟତ ଓ ପୂଜାରୀମାନେ ସ୍ଥାନୀୟ ରାଜା.ଏ.ଟି. ହାଇସ୍କୁଲ ପଛପଟେ ଥିବା ଦେବୀ ରକ୍ତାମ୍ୱରୀଙ୍କ ମୁଖ୍ୟପୀଠକୁ ଯାଇଥାନ୍ତି । ସେଠାରେ ପୂଜାର୍ଚ୍ଚନା ହେବାପରେ ଛତରକୁ ରକ୍ତାମ୍ୱରୀ ମନ୍ଦିରକୁ ଆଣି ଦଶଦିନ ବ୍ୟାପୀ ଅଖଣ୍ଡ ଦୀପ ଜାଳି ପୂଜାର୍ଚ୍ଚନା କରାଯାଇଥାଏ । ସେହିଭଳି ପ୍ରତିପଦା ଦିନରେ ଖଡିଆଳର ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ଛତର ଧରି ବାଜାଗାଜା ସହ ଦେବୀଙ୍କ ସେବାୟତ ଓ ପୂଜାରୀମାନେ ଖଡିଆଳର ଗୋଶାଳା ନିକଟରୁ ଦେବୀଙ୍କ ମୂଖ୍ୟ ପୀଠସ୍ଥଳରୁ ଛତର ମନ୍ଦିରକୁ ଅଣାଯାଇ ଦେବୀଙ୍କୁ ନଅଦିନ ଧରି ବିଭିନ୍ନ ବେଶରେ ତନ୍ତ୍ରମନ୍ତ୍ର ପାଠ କରି ପୂଜା କରାଯାଇଥାଏ । ବିଜୟା ଦଶମୀରେ ମାଁ ସମଲେଶ୍ଵରୀଙ୍କ ପୀଠରେ ମାନସିକଧାରୀ ଭକ୍ତମାନେ ବୋଦାବଳି ଦେବାର ପରମ୍ପରା ରହିଛି । ଆଜି ଏବର୍ଷ ଏହି ଦୁଇ ଦେବୀଙ୍କ ଯୋଡି ଛତର ଯାତ୍ରାରେ ନୂଆପଡା ଜିଲ୍ଲା ସମେତ କୋରାପୁଟ ଓ ବଲାଙ୍ଗୀର ଜିଲାର କଳାକାରମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଘୋଡାନାଚ, ଘୁମୁରାବାଦ୍ୟ, ଘଣ୍ଟବାଜା, ଦୁଲଦୁଳି ବାଜାର ଢୋଲ, ନିଶାନ ଓ ତାସାର ତାଳେ ତାଳେ ଦୁଇ ଦେବୀଙ୍କ ଯୋଡି ଛତର ଯାତ୍ରା ଖଡିଆଳ ସହର ପରିକ୍ରମା କରାଯାଇଛି । ଖଡିଆଳରେ ହେଉଥିବା ଏହି ଦୁଇ ଦେବୀଙ୍କ ଛତର ଯାତ୍ରାକୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ ।

ଖଡିଆଳର ଗଡଦେବୀ ମାଁ ରକ୍ତାମ୍ୱରୀ ଓ ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ବୁଏଲ ଯାତ୍ରା ବହୁ ବର୍ଷଧରି ପାଳନ ହୋଇଆସୁଅଛି । କିନ୍ତୁ ଏହି ଦୁଇଦେବୀଙ୍କ ମଧ୍ୟରେ କେବେ ଯଦି ମୁହାଁମୁହିଁ ଭେଟ ହୋଇଯାଏ । ତେବେ ଦୁଇଦେବୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ମଧ୍ୟ ହୋଇଥାଏ ବୋଲି ସ୍ଥାନୀୟ ଗବେଷକମାନେ ମତ ଦେଇଥାନ୍ତି । ବିଜୟା ଦଶମୀରେ ଦୁଇଦେବୀ ମାଁ ରକ୍ତାମ୍ୱରୀ ଓ ମାଁ ସମଲେଶ୍ଵରୀ ନଗର ପରିକ୍ରମା ଶେଷ କରିବା ପରେ ମଧ୍ୟରାତ୍ରିରେ ଖଡିଆଳ ରାଜଦରବାର ସମ୍ମୁଖରେ ଦୁଇଦେବୀଙ୍କ ଖପର ଚୋପା ଉସବ ହୋଇଥାଏ । ଦେବୀ ରକ୍ତାମ୍ୱରୀ ଓ ମାଁ ସମଲେଶ୍ଵରୀଙ୍କ ଯୋଡି ଛତର ଯାତ୍ରା ଓଡିଶା ବିରଳ ହୋଇଥିବା ବେଳେ ଦେବୀ ଦୁହିଁଙ୍କ ଖପର ଚୋପା ଉସବରେ ମଧ୍ୟ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ଏହି ଦୁଇଦେବୀଙ୍କ ଖପର ଚୋପା ଉତ୍ସବରେ ସାମିଲ ହୋଇ ଖପର ଖଣ୍ଡେ ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ହୋଇଥାଏ । ସେହି ଖପର ଖଣ୍ଡେ ପାଇଲେ ନିଜକୁ ଧନ୍ୟ ମନେ କରିବା ସହ ନିଜର ମନସ୍କାମନା ପୂର୍ଣ ହୋଇଥାଏ ବୋଲି ଭକ୍ତମାନଙ୍କର ଅଗାଢ ବିଶ୍ଵାସ ରହିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.