ବିଲାତରୁ ବାଲେଶ୍ୱର : ସ୍ୱାମୀର ମୃତଦେହ ଆସିଥିଲା ସ୍ତ୍ରୀର କବର ପାଖରେ ଶୋଇବା ପାଇଁ, ଜାଣନ୍ତୁ କଣ ଥିଲା ଏଇ ପ୍ରେମ କାହାଣୀ

ପ୍ରେମ ଅମର, ସତ୍ୟ ଆଉ ସୁନ୍ଦର । ଏମିତି ଏକ ପ୍ରେମର ସନ୍ତକ ପାଖକୁ ଆମେ ଆପଣଙ୍କୁ ନେଇଯିବୁ ଏଇ ଭାଲେଣ୍ଟାଇନ ସପ୍ତାହ ଅବସରରେ । ବାଲେଶ୍ୱର ଗୋରା କବରରେ ରହିଛି ଏକ ଦମ୍ପତିଙ୍କ ସମାଧି । ଏ ସମାଧି ହେଉଛି ତତ୍କାଳୀନ ପ୍ରଥମ କଲେକ୍ଟର ସାହେବ ହେନେରୀ ରିକେଟ ଓ ତାଙ୍କ ସହଧର୍ମିଣୀ ଲେଡି ରିକେଟଙ୍କର। ୧୮୨୭ରେ ବାଲେଶ୍ୱର ଅବସ୍ଥାପିତ ହେବା ପରେ ହେନେରୀ ରିକେଟ ଥିଲେ ପ୍ରଥମ ଜିଲ୍ଲାପାଳ। ହେନେରୀ ଥିଲେ ଖୁବ ମେଳାପି ଶାନ୍ତି ପ୍ରିୟ । ଓଡିଆ ଭାଷାଭାଷୀଙ୍କୁ ଭଲ ପାଉଥିବା ଜଣେ ଗୋରା ସାହେବ। ସେ ଇଂରେଜ ଶାସନ କାଳରେ ଘୃଣା ଦ୍ୱେଷ ନୀତି ଠାରୁ ଊର୍ଦ୍ଧ୍ୱରେ ରହି ସ୍ନେହଶ୍ରଦ୍ଧା ଓ ସମ୍ମାନର ବାତାବରଣ ସୃଷ୍ଟି କରିଥିଲେ। ସେ ଖୁବ୍ କମ ବୟସରେ ଲେଡି ରିକେଟଙ୍କୁ ବିବାହ କରିଥିଲେ। ପ୍ରାଣପ୍ରିୟା ଲେଡି ରିକେଟ ଜେନ୍‌ ଥିଲେ ବୃତ୍ତିରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ।

RICKET_2

ହେନେରୀଙ୍କ ପାଇଁ ଜେନ୍‌ ଥିଲେ ଜୀବନର ସବୁକିଛି। ହେନେରୀ ନିଜର ସାହେବୀ କାର୍ଯ୍ୟ କରିବା ସହ ଅବସର ସମୟରେ ଜେନଙ୍କୁ ବିଭିନ୍ନ ଅଞ୍ଚଳକୁ ବୁଲିବା ପାଇଁ ନେଇ ଯାଉଥିଲେ । କିନ୍ତୁ ଦୁହିଁଙ୍କ ପ୍ରେମ ବେଶି ଦିନ ରହିଲା ନାହିଁ । ପ୍ରେମରେ ଆସିଲା ଭଟ୍ଟା । ନିଜକୁ ରୋଗୀ ସେବାରେ ସମର୍ପି ଦେଇଥିବା ଲେଡି ରିକେଟ ନିଜେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଖୁବ୍‌ କମ୍‌ ବୟସରେ ଆରପାରିକୁ ଚାଲିଗଲେ ଲେଡି ରିକେଟ। ଲେଡି ରିକେଟ୍‌ଙ୍କୁ ବାଲେଶ୍ୱର ଦାମୋଦରପୁର ଠାରେ ଥିବା ଗୋରା କବର ପରିସରରେ ସମାଧି ଦିଆଯାଇଥିଲା । ଯାହା ଏକ ଐତିହାସିକ ସ୍ଥଳୀ ଭାବେ ମାନ୍ୟତା ପାଇଛି ସତ ହେଲେ ଲୋକ ଲୋଚନ ଠାରୁ ବହୁ ଦୂରରେ ରହିଯାଇଛି।

ନିଜ ପ୍ରାଣପ୍ରିୟାଙ୍କ ମୃତ୍ୟୁ ପରେ ଏକା ହୋଇଗଲେ ହେନେରୀ ରିକେଟ। ଭାରତରେ କିଛି ବର୍ଷ ଜିଲ୍ଲାପାଳ ରୂପେ କାର୍ଯ୍ୟ କରିବା ପରେ ୧୮୫୭ରେ ସେ ବିଲାତ । ଇଂଲଣ୍ଡ ଫେରି ଯାଇଥିଲେ। ହେଲେ ଭରତର ସ୍ମୃତି ତାଙ୍କୁ ଜାବୁଡ଼ି ଧରିଥିଲା । ସେ ଭିତରେ ମନରେ ରହିଯାଇଥିଲା ବାଲେଶ୍ୱର। ଲେଡି ରିକେଟଙ୍କ ମୃତ୍ୟୁର ଠିକ୍ ୫୫ ବର୍ଷ ପରେ ୧୮୮୬ ମସିହାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ହେନେରୀ ରିକେଟ। କିନ୍ତୁ ଏହା ପୂର୍ବରୁ ତାଙ୍କ ପରିବାର ଲୋକଙ୍କୁ କହିଦେଇ ଯାଇଥିଲେ ତାଙ୍କ ଶେଷ ଇଚ୍ଛା । ମୃତ୍ୟୁ ପରେ ତାଙ୍କୁ ପତ୍ନୀ ତଥା ପ୍ରାଣ ଠାରୁ ଅଧିକ ରିକେଟ୍‌ଙ୍କ କବର ନିକଟରେ କବର ଦେବା ଲାଗି ସେ କହିଥିଲେ ।

RICKET_3

ଶେଷରେ ସେୟା ହିଁ ହେଲା, ହେନେରୀ ରିକେଟଙ୍କ ମର ଶରୀରକୁ ଜଳପଥରେ ସୁଦୂର ବିଲାତରୁ କଲିକତା ଦେଇ ବାଲେଶ୍ୱର ସ୍ଥିତ ଦାମୋଦରପୁରୁକୁ ଅଣାଗଲା। ଯାହାକୁ ଏବେ ଗୋରା କବର ସ୍ଥଳୀ କୁହାଯାଉଛି। ଠିକ୍‌ ପତ୍ନୀଙ୍କ କବର ପାଖରେ କବର ଦିଆଗଲା ରିକେଟ୍‌ଙ୍କୁ ।

ଇଂରେଜ ଶାସନ କାଳରେ ଏଠାରେ ଅନେଙ୍କ ବ୍ରିଟିଶ୍‌ ନାଗରିକଙ୍କୁ କବର ଦିଆ ହୋଇଛି କିନ୍ତୁ ହେନେରୀ ରିକେଟ ଓ ଲେଡି ରିକେଟଙ୍କ ଶାଶ୍ୱତ ପ୍ରେମ ସମାଜ ପାଇଁ ଏକ ନିଆରା ଉଦାହରଣ ସାଜିଛି। ତେବେ ଶାଶ୍ୱତ ପ୍ରେମର ସ୍ମୃତି ବହନ କରୁଥିବା ଏହି ସମାଧି ସ୍ଥଳର ରକ୍ଷଣା ବେକ୍ଷଣ ପାଇଁ ଯେମିତି କାହାର ନିଘା ନାହିଁ। ଏବେ ଭାଲେଣ୍ଟାଇନ ସପ୍ତାହରେ ବର୍ତ୍ତମାନର ତଥାକଥିତ ପ୍ରେମିକ ପ୍ରେମିକାମାନଙ୍କ ପାଇଁ ରିକେଟ୍‌ ଦମ୍ପତି ଏକ ଅନନ୍ୟ ଉଦାହରଣ ।

ବାଲେଶ୍ୱରରୁ ଆଶୁତୋଷ ମଲ୍ଲିକଙ୍କ ରିପୋର୍ଟ, କେ ନ୍ୟୁଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.