ଆତଙ୍କବାଦୀ ସହ ସମ୍ପର୍କରେ ଥିଲା ମହମ୍ମଦ ଅବଦୁର ରେହମାନ, ହେଲା ଦୋଷୀ ସାବ୍ୟସ୍ତ
ଅଲକାଏଦା ଲିଙ୍କ୍ରେ କଟକ ଜଗତପୁର ପଶ୍ଚିମକଛ ଗାଁରୁ ଗିରଫ ଅବଦୁର ରେହମାନ୍ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି । ତାସହ ଆଉ ୩ ଜଣ ଆତଙ୍କୀ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି
କେନ୍ୟୁଜ୍(ବ୍ୟୁରୋ): ଅଲ-କାଏଦା ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନ ଦୋଷୀ । ଅଲକାଏଦା ଲିଙ୍କ୍ରେ କଟକ ଜଗତପୁର ପଶ୍ଚିମକଛ ଗାଁରୁ ଗିରଫ ଅବଦୁର ରେହମାନ୍ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି । ତାସହ ଆଉ ୩ ଜଣ ଆତଙ୍କୀ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ । ରେହମାନ ସମେତ ୪ ଜଣଙ୍କୁ ଆତଙ୍କବାଦୀ ଲିଙ୍କ୍ରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେମାନେ ହେଲେ ମହମ୍ମଦ ଆସିଫ୍, ଜାଫର ମାସୁଦ ଓ ଅବଦୁଲ ସାମି । ଆସନ୍ତା ୧୪ ତାରିଖରେ ଦଣ୍ଡ ଘୋଷଣା କରିବେ କୋର୍ଟ । ୨୦୧୫ ମସିହା ଡିସେମ୍ବର ୧୬ ତାରିଖରେ ଜଗତପୁର ପଶ୍ଚିମକଛ ଗାଁରୁ ଅବଦୁର ରେହମାନକୁ କମିଶନରେଟ ପୋଲିସ ସହାୟତାରେ ଗିରଫ କରିଥିଲା ଏନଆଇଏ । ଦିଲ୍ଲୀ ପୋଲିସ ତଦନ୍ତ ବେଳେ ଅବଦୁର ରେହମାନର ଅନ୍ତର୍ଜାତୀୟ ଆତଙ୍କବାଦ ଲିଙ୍କ ନେଇ ସୁରାକ ପାଇଥିଲା । ସେ ବହୁବାର ପାକିସ୍ତାନ ଯାଇଥିବା ଜଣାପଡିଥିଲା ।
ସେଠାରେ ୨୬/୧୧ ମୁମ୍ବାଇ ଆକ୍ରମଣର ମୋଷ୍ଟ ଓ୍ଵାଣ୍ଟେଡ୍ ଜାକି-ଉର-ରେହମାନ ଓ ସାଜିଦକୁ ଭେଟିଥିଲା ରେହମାନ । ଏମିତିକି ସେଠାରେ ଥିବା ଅଲକାଏଦା ଆତଙ୍କବାଦୀ ସଙ୍ଗଠନ ମିଶି ଟ୍ରେନିଂ ନେଇଥିବା ଜଣାପଡିଛି । ତା ନାଁରେ ଦେଶଦ୍ରୋହ ନେଇ ଅନେକ ଅଭିଯୋଗ ରହିଥିଲା । ସେହିପରି ବେଆଇନ ମଦ୍ରାସା ଚଳାଇବା, ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ NIA ହାତରେ ଲାଗିଥିଲା। ରେହମାନକୁ ରିମାଣ୍ଡରେ ନେଇ ମାମଲାର ଟିକିନିଖି ତଦନ୍ତ କରିଥିଲା । କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରିଥିଲା । ଗତ କିଛି ମାସ ହେବ ରେହମାନ କୋର୍ଟଙ୍କ ଅନୁମତି କ୍ରମେ ଚୌଦ୍ୱାର ଜେଲ୍ରେ ରହି ଆସୁଥିଲା । ୨୦୨୦ରେ ନିଜ ମାଆଙ୍କ ଶ୍ରାଦ୍ଧ କାମ ପାଇଁ ଚୌଦ୍ୱାର ଜେଲ୍ରୁ ପଶ୍ଚିମକଛ ଗାଁକୁ ଆସିଥିଲେ ରେହମାନ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ୪ ଘଣ୍ଟା ପାଇଁ ପାରୋଲ ଅନୁମତି ଦେଇଥିବାରୁ କଡ଼ା ସୁରକ୍ଷା ଭିତରେ ରେହମାନକୁ ନିଜ ପୈତୃକ ଘରକୁ ଅଣାଯାଇଥିଲା।