ଝାଡ଼ପଡା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ, ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ୍

୧୪ ମାସ ପରେ ଝାଡ଼ପଡା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ । ବେଲ ପାଇବାର ୭ ଦିନ ଜେଲରେ କାଟିବା ପରେ ଆଜି ବାହାରକୁ ବାହାରିଲେ ଅର୍ଚ୍ଚନା ନାଗ । ହାଇକୋର୍ଟଙ୍କ ସର୍ତ୍ତ ଅନୁସାରେ ସର୍ତ୍ତଗୁଡ଼ିକ ପୂରଣ କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଜାମିନ ପରେ ଜେଲରୁ ମୁକୁଳିଲେ ଅର୍ଚ୍ଚନା ନାଗ । ୧୪ ମାସ ପରେ ଜେଲ ଚାରିକାନ୍ଥରୁ ବାହାରିଛନ୍ତି । ବେଲ୍ ମିଳିବାର ସପ୍ତାହେ ପରେ ଆଜି ସକାଳୁ ସକାଳୁ ଭୁବନେଶ୍ବର ଝାରପଡ଼ା ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା । ତାଙ୍କୁ ସାଙ୍ଗରେ ନେଇଥିଲେ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଝାରପଡ଼ା ଜେଲରୁ ସେ ଯାଇଥିଲେ ସତ୍ୟବିହାର ସ୍ଥିତ ଘରକୁ । ସେଠାରେ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ତାଙ୍କୁ ସ୍ବାଗତ କରିଥିଲେ ପରିବାର ସଦସ୍ୟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଗତ ସୋମବାର ଦିନ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ହାଇକୋର୍ଟ ।

ସର୍ତ୍ତ ପୂରଣ ପରେ ବାହାରିଛନ୍ତି ଅର୍ଚ୍ଚନା ନାଗ । ଜେଲରୁ ମୁକୁଳିବା ପରେ ଅର୍ଚ୍ଚନା କହିଛନ୍ତି, କୋର୍ଟଙ୍କ ସବୁ ସର୍ତ୍ତ ମାନିବେ ଓ ତଦନ୍ତରେ ସହଯୋଗ କରିବେ । କୋର୍ଟଙ୍କ ଦ୍ୱାରସ୍ଥ ହେବେ । ସବୁ ତଥ୍ୟ ପ୍ରମାଣ ଦାଖଲ କରିବେ । କୋର୍ଟଙ୍କ ଉପରେ ଭରସା ଅଛି ବୋଲି କହିଛନ୍ତି ଅର୍ଚ୍ଚନା । ହାଇକୋର୍ଟ ସର୍ତ୍ତ ଅନୁସାରେ, ଏବେ ଅର୍ଚ୍ଚନା ଯେଉଁ ସ୍ଥାନରେ ଅଛନ୍ତି ତାର ଠିକଣା ଦେଇଛନ୍ତି । କୋର୍ଟଙ୍କ ବିନା ଅନୁମତିରେ ରହିବା ସ୍ଥାନ ପରିବର୍ତ୍ତନ କରି ପାରିବେ ନାହିଁ। କେଉଁ ମୋବାଇଲ ନମ୍ବର ବ୍ୟବହାର କରୁଛନ୍ତି ତାହା କୋର୍ଟଙ୍କୁ ଜଣାଇଛନ୍ତି । ମୋବାଇଲ ନମ୍ବର ସୁଇଚ ଅଫ କରି ପାରିବେ ନାହିଁ କିମ୍ବା କିମ୍ବା ନମ୍ବର ପରିବର୍ତ୍ତନ କରି ପାରିବେ ନାହିଁ । ଖଣ୍ଡଗିରି ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ୨୦୨୨ ଅକ୍ଟୋବର ୬ ତାରିଖରେ ସେ ଗିରଫ ହୋଇଥିଲେ । ତାଙ୍କ ନାଁରେ ନୟାପଲ୍ଲୀ ଥାନାରେ ଆଉ ଗୋଟିଏ ମାମଲା ହୋଇଥିବା ବେଳେ ଆଉ ଏକ ମାମଲା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସମସ୍ତ ୩ଟି ମାମଲାରେ ଅର୍ଚ୍ଚନାଙ୍କୁ ବେଲ୍ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.